ଦୀପାବଳୀ ହେଲା ଶେଷ ଦୀପାବଳି, ପୂର୍ବ ଶତ୍ରୁତାରୁ ଗଲା ଜୀବନ
Advertisement
Article Detail0/zeeodisha/odisha590328

ଦୀପାବଳୀ ହେଲା ଶେଷ ଦୀପାବଳି, ପୂର୍ବ ଶତ୍ରୁତାରୁ ଗଲା ଜୀବନ

ପୂର୍ବ ଶତତ୍ରୁତା ହେଲା କାଳ, ଅକାଳରେ ଚାଲିଗଲା ଜୀବନ 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସରୋଜ କୁମାର ବେହେରା, ଭୁବନେଶ୍ୱର:  ପୂର୍ବ ଶତତ୍ରୁତା ହେଲା କାଳ । ଅକାଳରେ ଚାଲିଗଲା ଜୀବନ । ଦୀପାବଳୀ ଭଳି ପବିତ୍ର ଦିନରେ ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ପ୍ରାଣ ଯାଇଛି । ଯୁବକ ଜଣକ ହେଉଛନ୍ତି ଏକାମ୍ର କଲେଜ ନିକଟ ବିଡିଏ କଲୋନୀର ଅମରେଶ ଜେନା । ଅମରେଶ ଓ ତାଙ୍କ ସାଙ୍ଗମାନେ ଦୀପାବଳୀ ପାଳିବା ସହ ସାଙ୍ଗ ସାଥୀଙ୍କ ସହ ଭୋଜି ଆୟୋଜନ କରିଥିଲେ । ବିଳମ୍ବିତ ରାତି ଯାଏ ସେମାନେ ସେଠାରେ ବାଣ ମଧ୍ୟ ଫୁଟାଇଥିଲେ । ହଠାତ୍ ସେହି ଅଂଚଳର ଶଙ୍କରଙ୍କ ସହ ଅମରେଶ ଓ ତାଙ୍କ ସହଯୋଗୀଙ୍କ ବାଣ ଫୁଟାକୁ ନେଇ ବଚସା ହୋଇଥିଲା । ବଚସା ଏତେ ଦୂର ଚାଲିଯାଇଥିଲା ଯେ ଶଙ୍କର ତାଙ୍କ ଅନ୍ୟ ସହଯୋଗୀଙ୍କୁ ସେଠାକୁ ଡାକି ଦେଇଥିଲେ । ଅପର ଗୋଷ୍ଠୀର ଯୁବକମାନେ ଖଣ୍ଡା, ଭୁଜାଲି ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ସେଠାରେ ପହଂଚିବା ବେଳକୁ ସେଠାରୁ ଛତ୍ରଭଙ୍ଗ ଦେବାକୁ ବାହାରି ଥିଲେ ଅମରେଶ ଓ ତାଙ୍କ ସାଙ୍ଗମାନେ । ହେଲେ ସେଠାରୁ ସେମାନେ ବର୍ତ୍ତିପାରି ନ ଥିଲେ । ଅପର ଗୋଷ୍ଠୀ ଯୁବକଙ୍କ ମାଡ଼ରେ ଘଟଣା ସ୍ଥଳରେ ଅମରେଶ ଗୁରୁତର ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ପଥର ଛେଚି ଦେଇଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଅମରେଶଙ୍କ ପ୍ରାଣବାୟୁ ଚାଲିଯାଇଥିଲା । ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି ଅମରେଶଙ୍କ ସାଙ୍ଗ ।

ଖବର ପାଇ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରୁ ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ପରେ ପ୍ରାୟ ୨୫ ଜଣଙ୍କ ନାଁରେ ମାମାଲା ରୁଜୁ କରିଥିଲା ପୋଲିସ । ଘଟଣାସ୍ଥଳକୁ ଫରେନସିକ ଟିମ୍ ପହଂଚି ପ୍ରମାଣ ଗୋଟାଇବାକୁ ଚେଷ୍ଟା କରିଥିଲା । ଘଟଣାସ୍ଥଳରୁ ପୋଲିସ ରକ୍ତଭିଜା ଚପଲ, ବଲହା ଖଣ୍ଡ, ଆଦି ଜବତ କରିଛି ପୋଲିସ । ଯେଉଁ ସ୍ଥାନରେ ଅମରେଶ ଓ ତାଙ୍କ ସହଯୋଗୀ ରୋଷେଇ କରୁଥିଲେ ସେଠାରେ ବୋମା ପଡିଥିବା ଖବର ପାଇବା ପରେ ବୋମା ନିଷ୍କ୍ରିୟ ଟିମ୍ ଆସି ୫ଟି ହାତ ତିଆରି ବୋମାକୁ ନିଷ୍କ୍ରିୟ କରିଥିଲେ । ଏ ସଂକ୍ରାନ୍ତରେ ପୋଲିସ ତଦନ୍ତ କରିବା ପରେ ଜାଣିବାକୁ ପାଇଛି ଯେ, ମୃତକ ଅମରେଶଙ୍କ ନାଁରେ ଏୟାରଫିଲ୍ଡରେ ୫, ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଗୋଟାଏ ଓ ଅନ୍ୟାନ୍ୟ ଥାନାରେ ମଧ୍ୟ ଅପରାଧିକ ମାମଲା ରହିଛି । ସେ ସବୁକୁ ନେଇ ପୂର୍ବ ଶତୃତାରୁ ଅମରେଶଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ ।

ଦୀପାବଳୀ ଭଳି ଗୋଟିଏ ପବିତ୍ର ଦିନରେ ଥାନାଠାରୁ ମାତ୍ର ଏକ କିଲୋମିଟର ଦୂରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଂଚଳରେ ଭୟରେ ବାତାବରଣ ସୃଷ୍ଟି କରିଛି । ପୋଲିସ ପେଟ୍ରୋଲିଂ ଠିକ ଭାବେ କରାଯାଉନଥିବାରୁ ବିଚ ସଡକରେ ଦୁର୍ବୃତ୍ତମାନେ ହତ୍ୟାକାଣ୍ଡ ଭିଆଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । 

;