ବୋହୂକୁ ଗିଳିଦେଲା ଯୌତୁକ ରାକ୍ଷସ

ମେ ୨୦୧୮ ରେ ଢେଙ୍କାନାଳ ସୁରପ୍ରତାପପୁର ଗାଁର ଭୋଳେଶ୍ୱର ରାଉତଙ୍କ ସାନପୁଅ ପ୍ରତାପ ସହ ବି-ବାରୁଆ ଗାଁର ବାଳକୃଷ୍ଣ ପରିଡ଼ାଙ୍କ  ଝିଅ ବନିତାଙ୍କର ହୋଇଥିଲା ବୈଦିକ ରୀତିରେ ବିବାହ । ଏହା ଥିଲା ଏକ ଆରେଞ୍ଜଡ୍ ମ୍ୟାରେଜ । ପ୍ରତାପ ଥିଲା ଏକ ଘରୋଇ ଖଣି କମ୍ପାନୀରେ ସିକ୍ୟୁରିଟି ଗାର୍ଡ ।

ବୋହୂକୁ ଗିଳିଦେଲା ଯୌତୁକ ରାକ୍ଷସ
ଫାଇଲ ଫଟୋ

ଭୁବନେଶ୍ୱର: ଶାଶୁଘର ହେଲା ମଶାଣି । ବାହାଘର ଦେଢ଼ବର୍ଷରେ ଉଠିଲା କୋକେଇ । ଯୌତୁକ ରାକ୍ଷସ ତାଙ୍କୁ ଏମିତି କବଳିତ କରିଥିଲା ଯେ, ଦୁଇଲକ୍ଷ ଟଙ୍କା ନ ମିଳିବାରୁ ସ୍ୱାମୀ, ଶାଶୁ-ଶ୍ୱଶୁର, ନଣନ୍ଦ, ନଣନ୍ଦେଇ ସମସ୍ତେ ମିଶି ମାରିଦେଲେ ବନିତାଙ୍କୁ । ୨୫ ନଭେମ୍ବର ୨୦୧୯, ସୋମବାର ଢେଙ୍କାନାଳ ଜିଲ୍ଲା ବାରୁଆ ଗାଁ । ବାଜି ଉଠିଲା ବାଳକୃଷ୍ଣ ପରିଡ଼ାଙ୍କ ଫୋନ । ଫୋନ୍ ଉଠାଇଲେ ତାଙ୍କ ପତ୍ନୀ । ସେପଟୁ ଶୁଭିଲା ଜ୍ୱାଇଁଙ୍କ ସ୍ୱର, 'ତୁମ ଝିଅ ଆତ୍ମହତ୍ୟା କରିଛି' । ଏତିକି କହି ଫୋନ୍ କାଟିଦେଲା ଜ୍ୱାଇଁ ପ୍ରତାପ । 

ଢେଙ୍କାନାଳ ଜିଲ୍ଲା ସୁରପ୍ରତାପପୁର ଗାଁରେ ସକାଳୁ ଦେଖିବାକୁ ମିଳିଲା ଅଘଟଣ । ଭୋଳେଶ୍ୱର ରାଉତଙ୍କ ବୋହୂ ଆଉ ନାହିଁ, ଶୋଇବା ଘର ପଲଙ୍କରେ ପଡ଼ିଛି ମୃତଦେହ । ମୁହଁରୁ ବାହାରୁଥିଲା ଫେଣ । ଘରେ ଅଜଣା ଆତଙ୍କର ବାତାବରଣ । ତେବେ କିଏ ହତ୍ୟାକଲା ବୋହୂ ବନିତାଙ୍କୁ ? ଏ ଘଟଣା କାହିଁକି ସୁରପ୍ରତାପପୁରର ସୀମା ସରହଦ ଡେଇଁ ସାରା ରାଜ୍ୟରେ ପାଲଟି ଗଲା ଚର୍ଚ୍ଚାର ବିଷୟ ? ଆସନ୍ତୁ ଜାଣିବା କ'ଣ ଥିଲା ପୂରା ଘଟଣା....
 
ମେ ୨୦୧୮ ରେ ଢେଙ୍କାନାଳ ସୁରପ୍ରତାପପୁର ଗାଁର ଭୋଳେଶ୍ୱର ରାଉତଙ୍କ ସାନପୁଅ ପ୍ରତାପ ସହ ବି-ବାରୁଆ ଗାଁର ବାଳକୃଷ୍ଣ ପରିଡ଼ାଙ୍କ  ଝିଅ ବନିତାଙ୍କର ହୋଇଥିଲା ବୈଦିକ ରୀତିରେ ବିବାହ । ଏହା ଥିଲା ଏକ ଆରେଞ୍ଜଡ୍ ମ୍ୟାରେଜ । ପ୍ରତାପ ଥିଲା ଏକ ଘରୋଇ ଖଣି କମ୍ପାନୀରେ ସିକ୍ୟୁରିଟି ଗାର୍ଡ । ବିବାହ ସମୟରେ ଝିଅ ଘର ତରଫରୁ ସମସ୍ତ ଆସବାବ ପତ୍ର ସହିତ ନଗଦ ୬୫ ହଜାର ଟଙ୍କା ଦିଆ ଯାଇଥିଲା ପୁଅ ଘରକୁ । ଖାଲି ସେତିକି ନୁହେଁ, ତା ସହିତ ସହିତ ଜ୍ୱାଇଁ ପ୍ରତାପକୁ ସୁନାଚେନ, ସୁନାମୁଦି ମଧ୍ୟ ମିଳିଥିଲା ଶ୍ୱଶୁରଘରୁ । ବନିତାଙ୍କୁ ୬ ଭରିର ସୁନାହାର ସହିତ କାନ ଫୁଲ ବି ଦେଇଥିଲେ ।  ବିବାହର ୫ ମାସ ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଚାଲିଥିଲା ।

ତା' ପର ଠାରୁ ବନିତାଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର । ବିଭିନ୍ନ  ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ଶ୍ୱଶୁରଘର ଲୋକେ । ଏମିତିକି ବିବାହ ସମୟରେ ଦିଆଯାଇଥିବା ନୂଆ ଫ୍ରିଜକୁ ପୁରୁଣା କହି ନିର୍ଯାତନା ଦେଉଥିଲେ ବନିତାଙ୍କୁ । ଏହା ସହି ନ ପାରି ବାପଘରକୁ  ଜଣାଇଥିଲେ ବନିତା । ଫଳରେ ବାଳକୃଷ୍ଣ ପୁଣି ଏକ ଫ୍ରିଜ୍ କିଣି ଦେଇଥିଲେ । ଏହା ପରେ ମଧ୍ୟ ବନିତାଙ୍କ ଉପରେ କମି ନ ଥିଲା ଅତ୍ୟାଚାର ।  ବାପଘରୁ ଆଉ ୨ଲକ୍ଷ ଟଙ୍କା ଆଣିବାକୁ କହିଥିଲା ପ୍ରତାପ । ସେମାନେ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି  କହିବାରୁ ବନିତାକୁ ଘରୁ ତଡ଼ି ଦେଇଥିଲା ପ୍ରତାପ ।

 ଅଭିଯୁକ୍ତ ସ୍ୱାମୀ

ବାପଘରେ କିଛିଦିନ ରହିବା ପରେ ଗ୍ରାମର ଭଦ୍ରଲୋକ ଓ ପଡିଶା ଲୋକଙ୍କ ମଧ୍ୟସ୍ଥତାରେ ହୋଇଥିଲା ସମାଧାନ । ତଦନୁଯାୟୀ  ଆଉ ୬୦ ହଜାର ଟଙ୍କା ଦେଇଥିଲେ ବାଳକୃଷ୍ଣ । କିଛିଦିନ ଭଲରେ ଚାଲିବା ପରେ ପୁଣି ଆରମ୍ଭ ହୋଇଥିଲା ଅତ୍ୟାଚାର । ଗତ ପ୍ରଥମାଷ୍ଟମୀ ବେଳକୁ ବନିତାଙ୍କ ବାପଘର ଲୋକେ ୩ ହଜାର ଟଙ୍କା ନେଇ ଆସିଥିଲେ । ପ୍ରତାପ ଏତିକିରେ କ'ଣ ହେବ କହି ଝଗଡ଼ା କରିବାରୁ ଆଉ ୨ ହଜାର ଟଙ୍କା ମଧ୍ୟ ଦେଇଥିଲେ । ଏହାପରେ ବି ମେଣ୍ଟି ନ ଥିଲା ତାଙ୍କ ଯୌତୁକ ଶୋଷ । ପୁଣି ଏକ ଦାମୀ ବାଇକ୍ ନିମନ୍ତେ ବାପଘରୁ ଟଙ୍କା ଆଣିବାକୁ ବନିତାଙ୍କ ଉପରେ ବାରମ୍ବାର କରୁଥିଲେ ଅତ୍ୟାଚାର । ଫଳରେ ତାଙ୍କ ବୈବାହିକ ଜୀବନ ହୋଇପଡ଼ିଥିଲା ଦୁର୍ବିସହ । ଘଟଣା ଏପରି ହୋଇଥିଲା, ବିବାହର ମାତ୍ର ଦେଢ଼ବର୍ଷ ଭିତରେ ୮/୧୦ଥର ଭଦ୍ରଲୋକଙ୍କ ସହାୟତାରେ ସମାଧାନ ହୋଇଥିଲା । ଏଇଥିରୁ ବୁଝାପଡୁଛି ପ୍ରତାପଙ୍କ ପରିବାରର ଯୌତୁକ ଲୋଭ ଥିଲା କେଡ଼େ ତୀବ୍ର ଆଉ ଉତ୍କଟ ।
ବନିତାଙ୍କ ମରିବା ଖବର ଶୁଣି ପରିବାର ଲୋକେ ଧାଇଁ ଆସିଥିଲେ ସୁରପ୍ରତାପପୁର । ଆଉ ଦେଖିଥିଲେ ବନିତା ଶୋଇବା ଘର ଖଟ ଉପରେ ମରି ପଡିଥିବାର କିନ୍ତୁ ପ୍ରତାପ ଫୋନରେ କହିଥିଲା,  ତୁମ ଝିଅ ଫ୍ୟାନରେ ଲୁଗାଦେଇ ଆତ୍ମହତ୍ୟା କରିଛି । ତେଣୁ ସେମାନଙ୍କର ଦୃଢ଼ ବିଶ୍ୱାସ ଜନ୍ମିଥିଲା ଯେ, ବନିତାଙ୍କୁ ହତ୍ୟା କରାଯାଇଛି । ତାଙ୍କ ପାଟିରୁ ଫେଣ ମଧ୍ୟ ବାହାରୁଥିଲା । ଫଳରେ ବନିତାଙ୍କ ବାପଘର ଲୋକେ  ସଙ୍ଗେସଙ୍ଗେ ଆସି ସୁରପ୍ରତାପପୁର ଫାଣ୍ଡିରେ ଏତଲା ଦେଇଥିଲେ ।

ପରିବାର ଲୋକଙ୍କ  କହିବା ଅନୁସାରେ, ପ୍ରତାପ  ତାଙ୍କ ଝିଅକୁ ନିର୍ଯାତନା ଦେଉଥିଲା । ଅଧିକ ଟଙ୍କା ଆଣିବା ପାଇଁ  ଅତ୍ୟାଚାର କରୁଥିଲା । ଆଉ ସେଦିନ ଝିଅକୁ ତାର  ସ୍ବାମୀ,ଶ୍ୱଶୁର,ଓ ଶାଶୁ ମିଶି ମାରି ଦେଇଛନ୍ତି । ଏହାପରେ ଭୁବନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ପ୍ରଥମେ ପ୍ରତାପ ରାଉତକୁ ଅଟକ ରଖି ପଚରାଉଚରା  କରିଥିଲା ପୋଲିସ । ଫଳରେ  ଅଭିଯୁକ୍ତ  ପ୍ରତାପ ନିଜ ଅପରାଧ  ସ୍ୱୀକାର କରିଥିଲା । ସ୍ତ୍ରୀର ଚରିତ୍ରକୁ ନେଇ କଳହ ହେଉଥିବା ସେ କହିଥିଲା । ଘଟଣା ଦିନ ରାତିରେ ପତି-ପତ୍ନୀଙ୍କ ମଧ୍ୟରେ କଳହ ହୋଇଥିଲା । ଏଥିରେ ପ୍ରତାପ ରାଗିଯାଇ ବନିତାଙ୍କୁ ଜୋରରେ ଠେଲି ଦେଇଥିଲା । ଖଟରେ ବନିତାଙ୍କ ମୁଣ୍ଡମାଡ଼ ହେବାରୁ ସେ ଚେତା ହରାଇଥିଲେ । ଏହାପରେ ପାଷାଣ୍ଡ ପ୍ରତାପ ଏକ ଲୁଗାରେ ତାଙ୍କ ବେକକୁ ବାନ୍ଧି ହତ୍ୟା କରିଥିଲା । ଏହାପରେ ବି ସରି ନ ଥିଲା ତା'ର ପୈଶାଚିକତା । ବନିତାଙ୍କ ମୃତଦେହକୁ ନେଇ ଫ୍ୟାନରେ ଝୁଲାଇବାକୁ ଚେଷ୍ଟା କରିଥିଲା । ତେବେ ସେଥିରେ ବିଫଳ ହେବାରୁ ଖଟ ଉପରେ ଶୁଆଇ ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା ।

 ପୋଲିସ ମାଜିଷ୍ଟ୍ରେଟ୍ ଓ ସାଇଣ୍ଟିଫିକ ଟିମ୍ ଡାକି ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଭୁବନ ମେଡିକାଲକୁ ପଠାଇଥିଲା । ସେପଟେ ଗିରଫ ଭୟରେ ବନିତାଙ୍କ ଶାଶୁ ଓ ଶ୍ବଶୁର କେଉଁଆଡ଼େ ଫେରାର ହୋଇ ଯାଇଥିଲେ । ପୋଲିସ କେସ ନଂ. ୩୧୫/୧୯ରେ ରୁଜୁ କରିଥିଲା ଏକ ହତ୍ୟା ମାମଲା  । ଆଇପିସିର ଧାରା ୪୯୮ (ଏ), ୩୦୪ (ବି), ୩୦୨, ୩୪ ଓ ୪ ଡିପି ଆକ୍ଟରେ ରୁଜୁ ହେଲା ଏହି ମାମଲା । ମୃତଦେହର ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଜଣାପଡ଼ିବ କିପରି ଭାବରେ ବନିତାଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ସୁଚିନ୍ତିତ ହତ୍ୟାକାଣ୍ଡରେ କେବଳ ପ୍ରତାପ ଏକାକି ସାମିଲ ନା ଏଥିରେ ବନିତାଙ୍କ ଶାଶୁ, ଶ୍ୱଶୁର ଓ ନଣନ୍ଦ ମଧ୍ୟ ସାମିଲ, ତା' ଉପରୁ ଖୁବଶୀଘ୍ର ପରଦା ଉଠାଇବ ପୋଲିସ ।