କାହାକୁ ମିଳିବ ଚତୁର୍ଥ ଆସନ ? ୩ ଦଳ ମଧ୍ୟରେ ଚାଲିଛି ଅଙ୍କକଷା
Advertisement

କାହାକୁ ମିଳିବ ଚତୁର୍ଥ ଆସନ ? ୩ ଦଳ ମଧ୍ୟରେ ଚାଲିଛି ଅଙ୍କକଷା

ରାଜ୍ୟସଭା ପାଇଁ ଆମେ ପ୍ରାର୍ଥୀ ଦେବୁ ଏବଂ ଲଢେଇ କରିବାକୁ ବୋଲି ଘୋଷଣା କରିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ । ଅନ୍ୟପଟେ ଶାସକ ବିଜେଡ଼ି ସବୁ ଯାକ ଆସନ ଆମର ହେବ ବୋଲି ଦୃଢୋକ୍ତି କରିବା ସହ ପ୍ରାର୍ଥୀତ୍ୱ ବିଷୟରେ ସୁପ୍ରିମୋ ହିଁ ନିଷ୍ପତି ନେବେ ବୋଲି ଦଳ କହିଛି । 

କାହାକୁ ମିଳିବ ଚତୁର୍ଥ ଆସନ ? ୩ ଦଳ ମଧ୍ୟରେ ଚାଲିଛି ଅଙ୍କକଷା

ଯଯାତି ମହାନ୍ତି, ଭୁବନେଶ୍ୱର: ୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ପରେ ତିନି ପ୍ରମୁଖ ଦଳ ମଧ୍ୟରେ ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି । ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ୩ଟି ଆସନ ଅନାୟାସରେ ଜିତିବାକୁ ଥିବା ବେଳେ ଚତୁର୍ଥ ଆସନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ନିଜର ସଂଖ୍ୟା ନଥିଲେ ମଧ୍ୟ ବାମ ଦଳ ସମର୍ଥନ କଲେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଦେଇପାରେ ବୋଲି ବିଧାୟକ ଦଳ ନେତା କହିବା ପରେ କଂଗ୍ରେସର ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ରାଜ୍ୟସଭା ପାଇଁ ଆମେ ପ୍ରାର୍ଥୀ ଦେବୁ ଏବଂ ଲଢେଇ କରିବାକୁ ବୋଲି ଘୋଷଣା କରିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ । ଅନ୍ୟପଟେ ଶାସକ ବିଜେଡ଼ି ସବୁ ଯାକ ଆସନ ଆମର ହେବ ବୋଲି ଦୃଢୋକ୍ତି କରିବା ସହ ପ୍ରାର୍ଥୀତ୍ୱ ବିଷୟରେ ସୁପ୍ରିମୋ ହିଁ ନିଷ୍ପତି ନେବେ ବୋଲି ଦଳ କହିଛି । ବିଜେଡ଼ିର ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଏବଂ କଂଗ୍ରେସର ରଂଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରିବା ସାଙ୍ଗକୁ ଖାଲିଥିବା ଅନୁଭବ ମହାନ୍ତିଙ୍କ ଆସନ ପାଇଁ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୧୩ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ଏହା ପୂର୍ବରୁ ସମସ୍ତ ପ୍ରାର୍ଥୀ ଚୁଡ଼ାନ୍ତ ହେବା ନିଶ୍ଚିତ । ହେଲେ ଏବେ ୪ ଆସନକୁ ନେଇ ରାଜନୈତିକ ତତତ୍ପରତା ବଢିଛି ।

ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ସେମାନଙ୍କ ବଳ କୌଶଳ ଖଟାଇବାକୁ ଯୋଜନା କରିଛନ୍ତି । ଗତ ଥର ଭଳି ନିଜର ସାମର୍ଥ୍ୟ ସତ୍ୱେ ବିଜେଡ଼ି ତୃତୀୟ ଆସନକୁ ବିଜେପିକୁ ଟେକି ଦେଇଥିଲା ।  ଚଳିତ ଥର ମଧ୍ୟ ସେହି ଭଳି କିଛି ଚିତ୍ର ଦେଖିବାକୁ ମିଳିପାରେ । ପ୍ରାର୍ଥୀ ଦେବାକୁ ଆବଶ୍ୟକ ପଡ଼ୁଥିବା ସର୍ବନିମ୍ନ ୧୦ ବିଧାୟକ ନିଜ ପାଖରେ ନଥିଲେ ମଧ୍ୟ ବାମଦଳ ସମର୍ଥନରେ ପ୍ରାର୍ଥୀ ଦେବା କଥା ଚିନ୍ତା କରୁଛି କଂଗ୍ରେସ । ହେଲେ ବିଜେପି ଏଥର ନିଶ୍ଚୟ ପ୍ରାର୍ଥୀ ଦେବ ଏବଂ ଜିତିବା ପାଇଁ ଲଢେଇ କରିବ ବୋଲି ବିରୋଧି ଦଳ ନେତା କହିଛନ୍ତି ।

ବିଧାନସଭାର ୧୪୭ ଆସନ ମଧ୍ୟରୁ ଶାସକ ବିଜେଡ଼ି ହାତରେ ୧୧୩, କଂଗ୍ରେସ ପାଖରେ ୯, ବିଜେପି ପାଖରେ ୨୩ ଏବଂ ଜଣେ ବାମଦଳରୁ ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ପାଖରେ ଏକାକୀ ୩ଟି ଆସନ ହାତେଇବାକୁ ସମର୍ଥ ।  ଚତୁର୍ଥ ଆସନ ପାଇଁ ବିଜେପି ଓ ବିଜେଡ଼ି ପାଖରେ ୭ ଜଣ ଲେଖାଏଁ ବିଧାୟକଙ୍କ ଅଭାବ ରହିଛି । ଏପରି ସ୍ଥଳରେ ବିଜେଡ଼ି ପ୍ରାର୍ଥୀକୁ ବିଜେପି ସମର୍ଥନ କରିବ କି ବିଜେପି ପ୍ରାର୍ଥୀକୁ ବିଜେଡ଼ି ସମର୍ଥନ କରିବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । 

ଅନ୍ୟପକ୍ଷେ ବିଜେଡ଼ି ଦୃଢୋକ୍ତି କରିଛି, ୪ଟି ଯାକ ଯାକ ଆସନ ଦଳ ପାଖକୁ ଆସିବ ଏବଂ ଠିକ୍ ସମୟରେ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିବେ । ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ପଲ୍ଲା ଭାରି ଥିବାରୁ ଦଳ ମଧ୍ୟରେ ଆଶାୟୀଙ୍କ ସଂଖ୍ୟା ଅନେକ ରହିଛି । ତେବେ କେଉଁ ଭିତିରେ କେଉଁ ବର୍ଗଙ୍କୁ ଅଗ୍ରାଧିକାର ଦେବେ ଦଳ ସୁପ୍ରିମୋ , ତାହା ଉପରେ ସମସ୍ତଙ୍କ ନଜର ରହିଛି ।