ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ସ୍କୁଲ ବନ୍ଦ ନେଇ ନୂଆ ନିଷ୍ପତ୍ତି ଆଣିଲେ ଓଡିଶା ସରକାର। ଗୃହରେ ଏନେଇ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷା ମନ୍ତ୍ରୀ (Education Minister)। କେବିକେ (KBK)ଅଞ୍ଚଳରେ ୧୫ରୁ କମ ଛାତ୍ରଛାତ୍ରୀ ଥିଲେ ସ୍କୁଲକୁ ମିଶ୍ରଣ କରାଯିବ। ଏହି ଅଞ୍ଚଳ ମଧ୍ୟରେ ଆସୁଥିବା ୮ଟି ଜିଲ୍ଲାର ୮୦ଟି ବ୍ଳକ ରହିଛି। ସେସବୁ ଅଞ୍ଚଳରେ ଏହି ନିୟମ ଲାଗୁ ହେବ। ଗତକାଲି ସିଡ୍ୟୁଲ ଅଞ୍ଚଳରେ (Schedule Area)ମଧ୍ୟ ୧୫ରୁ କମ ଛାତ୍ରଛାତ୍ରୀ ରହିଥିଲେ ଏହି ସ୍କୁଲକୁ ମିଶ୍ରଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।
ନନ ସିଡ୍ୟୁଲ ଏରିଆରେ (Non Schedule Area)୨୦ ଛାତ୍ରଛାତ୍ରୀରୁ କମ ହେଲେ ଏପରି ସ୍କୁଲକୁ ମିଶ୍ରଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ଚଳିତ ଶୀତ ଅଧିବେଶନରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ତାତି ଉଠିଥିଲେ ବିରୋଧି। ସିଡୁଲ ଏରିଆ ଭଲି କେବିକେ ଅଞ୍ଚଳରେ ୧୫ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ଅନୁମତି ଦିଆଯାଉ ବୋଲି ବିରୋଧି ଦାବି କରିଥିଲେ। କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବିରୋଧି ଦଳ ନେତା ପ୍ରମୁଖ ଏହି ଦାବି ଉଠାଇଥିଲେ।
ଅଧିକ ପଢନ୍ତୁ: ହାଜତ ମୃତ୍ୟୁ ପରେ ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ
ଅନ୍ୟପକ୍ଷେ ରାଜ୍ୟରେ ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଥିବା ନେଇ ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ସେଥିରୁ ୯୩୯ ସିନିଅର ଏସଇଏସ ପ୍ରଧାନ ଶିକ୍ଷକ (SEC Head master)ପଦବୀ ଖାଲି ରହିଛି। ବାଲେଶ୍ୱରରେ ସର୍ବାଧିକ ୧୨୩ ସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି ଥିବାବେଳେ, କେନ୍ଦ୍ରାପଡରେ ୯୯, ଭଦ୍ରକରେ ୮୧, କଟକରେ ୬୩, ଯାଜପୁରରେ ୭୩, କେଉଁଝରରେ ୭୨ ସ୍କୁଲରେ ଖାଲି ପଡିଛି ପଦବୀ। ସେହିପରି ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୮୦ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି। କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ।