ପ୍ରଦୀପ ଓ ପାଠକ ବାପା-ପୁଅଙ୍କୁ ଆଉ ନାହିଁ ନିସ୍ତାର, ଏପରି ଚାଲିଛି ତଦନ୍ତ
Advertisement

ପ୍ରଦୀପ ଓ ପାଠକ ବାପା-ପୁଅଙ୍କୁ ଆଉ ନାହିଁ ନିସ୍ତାର, ଏପରି ଚାଲିଛି ତଦନ୍ତ

ବ୍ୟାଙ୍କରୁ ତଥ୍ୟ ମାଗି ୩ ଅଭିଯୁକ୍ତକୁ ଜେରା କରିବା ପାଇଁ କୋର୍ଟରେ ଆବେଦନ କରିବ। କୋର୍ଟରୁ ଅନୁମତି ପରେ ସେମାନଙ୍କୁ ଜେଲ ଅଥବା ଇଡି ଅଫିସକୁ ଆଣି ଜେରା କରାଯିବ।

ଫାଇଲ ଫଟୋ

ସରୋଜ ବେହେରା, ଭୁବନେଶ୍ବର: ଦିନକୁ ଦିନ ପାଠକ ବାପା-ପୁଅ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରଥମେ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଆୟକର ବିଭାଗ ଓ ଏବେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଇଡି ମାମଲା ରୁଜୁ କରିଛି। ସେପଟେ କମିଶନରେଟ ପୋଲିସ ମଧ୍ୟ ପୁରୁଣା କେସର ଖୋଳତାଡ ଆରମ୍ଭ କରିଦେଇଛି।

IFS ଅଭୟକାନ୍ତ ପାଠକ (Abhyakanta Pathak) , ପୁଅ ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ (Pradeep Panigrahi) ଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ୩ଟି ମାମଲା ରୁଜୁ କରିଛି। ବ୍ୟାଙ୍କରୁ ତଥ୍ୟ ମାଗି ୩ ଅଭିଯୁକ୍ତକୁ ଜେରା କରିବା ପାଇଁ କୋର୍ଟରେ ଆବେଦନ କରିବ। କୋର୍ଟରୁ ଅନୁମତି ପରେ ସେମାନଙ୍କୁ ଜେଲ ଅଥବା ଇଡି ଅଫିସକୁ ଆଣି ଜେରା କରାଯିବ। ଏମାନଙ୍କ ସହ ଯେଉଁ ମାନଙ୍କର ଲିଙ୍କ ରହିଛି ସେମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ। ବେଆଇନ ଆର୍ଥିକ କାରବାରର ପ୍ରମାଣ ମିଳିଲେ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କୋର୍ଟରେ ଆବେଦନ କରାଯିବ। 

Also Read: ପ୍ରଦୀପ ପାଣିଗ୍ରାହୀଙ୍କ କଳା ସାମ୍ରାଜ୍ୟ ଉପରୁ ହଟୁଛି ପରଦା !

 

ସେପଟେ ଆକାଶ ପାଠକଙ୍କ ବାବଦରେ କୋର୍ଟରେ ଜୁଡିସିଆଲ ରିମାଣ୍ଡ ପାଇଁ କମିଶନରେଟ ପୋଲିସ (cp) ଯାଇଛି। ଆକାଶଙ୍କ ବିରୋଧରେ ଖାରବେଳ ନଗର ଥାନାରେ ଠକେଇ ମାମଲା ଥିବା ଜଣାଇବା ପରେ ଦିନେ ଦୁଇ ଦିନରେ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିବ। ଚାର୍ଟାଡ ଫ୍ଲାଇଟରେ ଯାଇ କିଭଳି ଟ୍ରାଭେଲ ଏଜେନ୍ସିକୁ ୬୫ ଲକ୍ଷ ଟଙ୍କା ଚୂନ ଲଗାଇଛନ୍ତି ତାହାର ତଥ୍ୟ ପ୍ରମାଣ କୋର୍ଟରେ ଦିଆଯାଇଛି। ଖୋର୍ଦ୍ଧା ଏସଡିଜେଏମ କୋର୍ଟରେ ଜୁଡିସିଆଲ ରିମାଣ୍ଡ ପାଇଁ ଅବଗତ କରିବା ପରେ ପୋଲିସ କଷ୍ଟଡି ପାଇଁ ଆବେଦନ କରାଯିବ। ପୋଲିସ କଷ୍ଟଡିକୁ ଆସିବା ପରେ  କମିଶନରେଟ ପୋଲିସ ଆକାଶଙ୍କ ଦସ୍ତଖତ ଯାଞ୍ଚ ପାଇଁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଇବ।  

ସେପଟେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବେଆଇନ ଟଙ୍କା ଠୁଳ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ୩ଟି କେସ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରଦୀପ ଓ ତାଙ୍କ ଭାବି ଜ୍ବାଇଁ ଓ ସମୁଦୀଙ୍କ ସମ୍ପତ୍ତି ଆକଳନ କରିବା ପରେ ବ୍ୟାଙ୍କ ଅନ୍ୟାନ୍ୟ ସଂସ୍ଥାକୁ ଚିଠି କରାଯାଇଛି। ତଥ୍ୟ ଆସିବା ପରେ ମାମଲାର ତଦନ୍ତ କରି ବେଆଇନ ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ପ୍ରବର୍ତନ ନିର୍ଦେଶାଳୟର ବରିଷ୍ଠ ଅଧିକାରୀ ସୁଚନା ଦେଇଛନ୍ତି।  

Also Read: ପାଠକ ବାପା-ପୁଅ ଗିରଫ ମାମଲା; ଯେତେ ଖୋଳିଲେ ସେତିକି ବାହାରୁଛି ଗୁମର

ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ମାମଲା ଦେଖିବାକୁ ମିଳୁଛି ଯେଉଁଠି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପ୍ରାୟ ସମସ୍ତ ତଦନ୍ତକାରୀ ସଂସ୍ଥା ମାମଲା ରୁଜୁ କରିଛନ୍ତି। ଏ ମଧ୍ୟରେ ଭିଜିଲାନ୍ସ ବାପା ପୁଅଙ୍କୁ ରିମାଣ୍ଡରେ ନେଇ ସାରିଛି। ଏବେ ଅନ୍ୟ ତଦନ୍ତକାରୀ ସଂସ୍ଥା ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ତତ୍ପର ହୋଇ ବସିଛନ୍ତି।