ଏକାମ୍ର କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Advertisement

ଏକାମ୍ର କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଲିଙ୍ଗରାଜ ମନ୍ଦିରର ଚାରିପଟେ ଥିବା ନିର୍ମାଣକୁ ଭାଙ୍ଗି ପରିପାର୍ଶ୍ଵିକ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଲିଙ୍ଗରାଜ ମନ୍ଦିର ପରିପାର୍ଶ୍ଵିକ ବିକାଶ ନିମନ୍ତେ ପ୍ୟାକେଜକୁ ଅନୁମୋଦନ ମିଳିଛି ।

 ଏକାମ୍ର କ୍ଷେତ୍ର ପାଇଁ  ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସରୋଜ ବେହେରା, ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ ଓ ଘରୋଇ ଜମିକୁ ଅଧିଗ୍ରହଣ କରିବାପରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରର ପରିପାର୍ଶ୍ଵିକ ବିକାଶ ପାଇଁ ରାଜ୍ୟ ସରକାର ଅନୁରୂପ ପଦକ୍ଷେପ ନେଇଛନ୍ତି । ଲିଙ୍ଗରାଜ ମନ୍ଦିରର ଚାରିପଟେ ଥିବା ନିର୍ମାଣକୁ ଭାଙ୍ଗି ପରିପାର୍ଶ୍ଵିକ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଲିଙ୍ଗରାଜ ମନ୍ଦିର ପରିପାର୍ଶ୍ଵିକ ବିକାଶ ନିମନ୍ତେ ପ୍ୟାକେଜକୁ ଅନୁମୋଦନ ମିଳିଛି ।

ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ଭାବେ ପରିଚିତ ଏହି ୬୬ ଏକର ପରିବ୍ୟପ୍ତ ଅଞ୍ଚଳର ଗୌରବମୟ ଐତିହ୍ୟର ଉପଯୁକ୍ତ ସଂରକ୍ଷଣ ପାଇଁ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଅଧୀନ ରେ ସଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗରର ପୁନରୁଦ୍ଧାର ଯୋଜନାରେ ବିଭିନ୍ନ ଐତିହ୍ୟ ପୁଷ୍କରଣୀର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କି, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ, କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ ରହିଛି । ଏହାବ୍ୟତୀତ ଇ-ଅଟୋ ପ୍ରୋଗ୍ରାମ, ଐତିହ୍ୟ ବ୍ୟାଖାନ କେନ୍ଦ୍ର ଓ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

ଏହି ଯୋଜନାରେ ଶ୍ରୀଲିଙ୍ଗରାଜ ଥାନା ଓ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ୍ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଟ୍ରାଫିକ ହ୍ରାସ ଓ ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକଠୁ ବଢ଼େଇବାଙ୍କ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ । ଚାରିଗୋଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ । ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ମନ୍ଦିର ଚାରିପଟେ ପରିକ୍ରମା ପାଇଁ ରାସ୍ତା ନିର୍ମାଣ କରାଯିବ । ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ ତା’ର ବ୍ୟବସ୍ଥା ହେବ ।

ବିନ୍ଦୁ ସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସମେତ କେଦାରଗୌରୀ, ପାପନାଶିନୀ, ଗୋଦାବରୀ, କୋଟିତୀର୍ଥ, ଗଙ୍ଗାଯମୁନା ଓ ଦେବୀପାଦହରା ଐତିହ୍ୟ ପୁଷ୍କରଣୀର ପୁନରୁଦ୍ଧାର ଓ ସଂରକ୍ଷଣ କରାଯିବ । ଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ମଧ୍ୟ ଆହୁରି ସୁଦୃଢ଼ କରାଯିବ ।
 ସରକାରଙ୍କ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବା ଦ୍ୱାରା ଜୀବିକା ହରାଉଥିବା ଉଠା ଦୋକାନୀମାନଙ୍କୁ ଦୁଇଟି କିସ୍ତିରେ ୩୦ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ ଓ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ପକ୍କାଘରେ ଥିବା ଦୋକାନ ଘର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ମାସ ପାଇଁ ମାସିକ ୧୦ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ । ପରବର୍ତ୍ତୀ ସମୟରେ ବିଏମସି ଓ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ମାର୍କେଟ୍ ଅବା ନୂଆ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ ।