ପ୍ରକାଶ ପରିଡ଼ା, ଭୁବନେଶ୍ୱର: ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଏକଜିଟ ପୋଲରେ ପୂର୍ବାନୁମାନ କରାଯାଇଥିବାବେଳେ ପରାଜୟର ଦୋଷ କିଏ ମୁଣ୍ଡାଇବ ତାକୁ ନେଇ ବିରୋଧୀ ଶିବିରରେ ଲାଗି ରହିଛି ଉତ୍ତେଜନା । ବିରୋଧୀ ଦଳ ନେତାମାନେ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି । ପରାଜୟର ଆଭାଷ ପାଇବା ପରେ ମହାରାଷ୍ଟ୍ରରେ ବିରୋଧୀ କଂଗ୍ରେସ ଏନସିପି ମେଣ୍ଟ ମଧ୍ୟରେ ଫାଟ ଦେଖିବାକୁ ମିଳିଛି । ରାଜ୍ୟରେ ମେଣ୍ଟର ପରାଜୟ ହେଲେ ଏଥିପାଇଁ କଂଗ୍ରେସ ଦାୟୀ ରହିବ ବୋଲି ଏନସିପି ନେତା ମାଜିଦ ମେମମ କହିଛନ୍ତି ।ସେପଟେ ହରିୟାଣାରେ କଂଗ୍ରେସ ପୁଣି ଥରେ କ୍ଷମତାକୁ ଫେରିବ ବୋଲି କଂଗ୍ରେସ ନେତା ଶୈଳଜା ପ୍ରତିକ୍ରିୟା ରଖିଛନ୍ତି ମହାରାଷ୍ଟ୍ର ଓ ହରିୟାଣାରେ ପରାଜୟ ଆଶଙ୍କାରେ ବିରୋଧୀଙ୍କ ହୁଙ୍କାର । ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବିରୋଧୀ ଦଳ ନେତାମାନେ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି ।
ଦୁଇ ରାଜ୍ୟରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଯାଉଥିବାବେଳେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକଜିଟ ପୋଲରୁ ଜଣାପଡ଼ିଛି । ହରିୟାଣାରେ କଂଗ୍ରେସ ବିଜୟୀ ହେବ ବୋଲି ଶୈଳଜାଙ୍କ ମତ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ । ୨୦୧୪ ତୁଳନାରେ ବିଜେପି ଅଧିକ ଆସନରେ ବିଜୟୀ ହେବ ବୋଲି ସେ କହିଛନ୍ତି । ଏକଜିଟ ପୋଲ ଅନୁସାରେ ଉଭୟ ରାଜ୍ୟରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିବ । ତେବେ ମହାରାଷ୍ଟ୍ରରେ ବିଜେପି ଶିବସେନା ମେଣ୍ଟ କଂଗ୍ରେସ ଏନସିପି ତୁଳନାରେ ଭଲ ପ୍ରଦର୍ଶନ କରିବା ସହ ୨୦୩ ଆସନ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି । ୨୪ରେ ଫଳାଫଳ ପ୍ରକାଶ ପରେ ଦୁଇ ରାଜ୍ୟରେ ରାଜନୈତିକ ବାଦ ବିବାଦର ଅନ୍ତ ହେବା ଆଶା କରାଯାଉଛି ।