ଭୁବନେଶ୍ୱର: ପୋଲିସ କଳାକାରନାମା। ନିର୍ଦ୍ଦୋଶୀକୁ ଦୋଷୀ ଆଉ ଦୋଷୀକୁ ନିର୍ଦ୍ଦୋଷୀ କରିବାର ଦେଖାଉଛନ୍ତି କୌଶଳ। ମାମଲାକୁ ଚପାଇବା ପାଇଁ ନୀରିହ ଯୁବକକୁ ଅପରାଧୀ ସଜାଇବାର କଳା। ସବୁଥିରେ ମାହିର କମିଶନରେଟ ପୋଲିସ। ଏଭଳି ଘଟଣା ଏବେ ସାମ୍ନାକୁ ଆସିଛି। ଯେତେବେଳେ ରାଜ୍ୟ ମାନବାଧିକାର କମିଶନର ୨୦୧୨ଜୁଲାଇ ମାସର ଏକ ମାମଲାର ଫର୍ଦ୍ଦ ଲେଉଟାଇଛନ୍ତି। ସାମ୍ନାକୁ ଆସିଛି ଏକ ଲୋମ ଟାଙ୍କୁରା କାହାଣୀ। ଯେଉଁଠି ଜଣେ ଗ୍ୟାରେଜ ମେକାନିକକୁ ପୋଲିସ ସଜାଇଛି ଡକାୟତ। ଥାନାକୁ ଥାନା ଘୁରାଇ ଘୁରାଇ କିଭଳି ଶାରିରୀକ ନିର୍ଯାତନା ଦେବା ପରେ କରାଯାଇଛି କୋର୍ଟ ଚାଲାଣ। ୨୦୧୨ରେ ଖଣ୍ଡଗିରି ଥାନା ଅଞ୍ଚଳରୁ ବଳରାମ ବେହେରାଙ୍କୁ ବେଆଇନ ଥାନାରେ 3 ଦିନ କାଳ ଅଟକ ରଖିବା ପରେ କନ୍ଦରପୁର ଥାନାରୁ କୋର୍ଟ ଚାଲାଣ କରାଯାଇଥିଲା। ଏ ନେଇ ରାଜ୍ୟ ମାନବାଧିକାର କମିଶନରେ ଏକ ମାମଲା ରୁଜୁ ହୋଇଥିଲା। ଯାହାକୁ ନେଇ ଏବେ ତତକାଳୀନ ଖଣ୍ଡଗିରି ଥାନା ଓ କନ୍ଦରପୁର ଥାନା ଅଧିକାରୀଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନ ହେବ ସେ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ।
ଏବେବି ମା ଆଖିରୁ ଶୁଖୁନି ଲୁହ। ୭ ବର୍ଷ ତଳର କଥା ମନେ ପଡିଲେ କୋହଭରି ଉଠୁଛି। ୭ ବର୍ଷ ଧରି ସତ୍ୟ ଅନୁସନ୍ଧାନରେ ଲାଗିପଡିଥିଲେ ବାପା ମା। କେବେ ମିଳିବ ନ୍ୟାୟ? କିଏ ଦେବ ନ୍ୟାୟ ? କାହିଁକି ପୋଲିସ ପୁଅକୁ ଅଟକ ରଖି ୩ ଦିନ କାଳ ଗୋଟାଏ ଥାନାରୁ ଆଉ ଗୋଟାଏ ଥାନାକୁ ବୁଲାଉ ଥିଲା ? ଆଉ ଶେଷରେ ଡକାୟତ ସଜାଇ କୋର୍ଟ ଚାଲାଣ କଲା କମିଶନରେଟ ପୋଲିସ। ସତରେ କଣ ପୁଅ ଥିଲା ଡକାୟତ ? ପୋଲିସ କଣ ତାଙ୍କ ପୁଅ ବିରୋଧରେ ପୋଲିସ ପାଇଥିଲା ପ୍ରମାଣ ? ଏ ଆଖିର ଲୁହ ଆଉ କୋହ ଏବେବି କରୁଛି ଏଭଳି ଅନେକ ପ୍ରଶ୍ନ। ଖଣ୍ଡଗିରି ଥାନା ଅଞ୍ଚଳରେ ବଳରାମ ବେହେରାଙ୍କ ପରିବାର ଲୋକେ ଦୀର୍ଘ ୭ ବର୍ଷ ଦୌଡି ଦୌଡି ଶେଷରେ ରାଜ୍ୟ ମାନବାଧିକାର କମିଶନଙ୍କ ଠାରୁ ପାଇଛନ୍ତି ନ୍ୟାୟ। ପୁଅକୁ ସେ ସମୟରେ ବେଆଇନ ଭାବେ ଖଣ୍ଡଗିରି ଥାନା ଓ କନ୍ଦରପୁର ଥାନାରେ ବେଆଇନ ଭାବେ ପୋଲିସ ଅଟକ ରଖିଥିବା ନେଇ କ୍ଷୁବ୍ଧ ହୋଇଛନ୍ତି ମାନବାଧିକାର କମିଶନ। ଏ ନେଇ ବଳରାମଙ୍କ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସଂପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ଗୃହ ବିଭାଗକୁ କାରଣ ଦର୍ଶାଅ ନୋଟିସ।
ଅନେକ ସମୟରେ ପୋଲିସ ବହୁ ସମ୍ବେଦନଶୀଳ ମାମଲାକୁ ତୁରନ୍ତ ସମାଧାନ କରିବାକୁ ଯାଇ ନୀରିହଙ୍କୁ ସଜାଉଛି ଅପରାଧୀ। ଫଳରେ କୋର୍ଟ ଧାଇ ଧାଇଁ ବାର ଦୁଆର ହୋଇଥାନ୍ତି ପରିବାର ଲୋକେ। ବଳରାମଙ୍କୁ ନିର୍ଦୋଷ ପ୍ରମାଣ କରିବା ପାଇଁ ଶେଷରେ ତାଙ୍କ ଗ୍ୟାରେଜକୁ ମଧ୍ୟ ବିକ୍ରି କରିଦେଇଛନ୍ତି ପରିବାର ଲୋକେ।