ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ । ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସ୍ଥିତ ସିଣ୍ଡିକେଟ ହଲରେ ଏହି ଅଗ୍ନିକାଣ୍ଡ ଘଟିଛି ।
Trending Photos
ଶାନ୍ତା ସ୍ୱରୁପ ରାଉତ, ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ । ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟ ସ୍ଥିତ ସିଣ୍ଡିକେଟ ହଲରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଦୁଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହଲରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଠ ହୋଇଯାଇଥିବା କୁହାଯାଉଛି ।
ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ କୁଳପତିଙ୍କ କାର୍ଯ୍ୟାଳୟ ସ୍ଥିତ ସିଣ୍ଡିକେଟ ହଲରେ ଅଚାନକ ନିଆଁ ଲାଗିଥିଲା । ହୁତୁ ହୁତୁ ହୋଇ ଜଳିଥିଲା ଏହି ହଲ । ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । କ୍ଷୟକ୍ଷତିର ଆକଳନ ହୋଇପାରିନାହିଁ । ତେବେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି ।
କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଛି, ତାହା ସ୍ପଷ୍ଟ ହୋଇପାରିନାହିଁ । ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ । ଅନ୍ୟପଟେ ଅଚାନକ ଏପରି ଅଗ୍ନିକାଣ୍ଡ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।
ସୂଚନାଯୋଗ୍ୟ, ବୁଧବାର ଏହି ହଲକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗସ୍ତ କରି ପ୍ରଫେସରମାନଙ୍କ ସହ ସ୍ୱତନ୍ତ୍ର ବୈଠକ କରିଥିଲେ ଽ ତେବେ ଏହି ହଲରେ ବିଭିନ୍ନ ସମୟରେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ବୌଠକ ଅନୁଷ୍ଠିତ ହୋଇଥାଏ । ଖୋଦ କୁଳପତିଙ୍କ କାର୍ଯ୍ୟାଳୟ ସ୍ଥିତ ଏହି ସିଣ୍ଡିକେଟ ହଲରେ ନିଆଁ ଲାଗିବା ପରେ ବିଶ୍ୱବିଦ୍ୟାଳୟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ, ବିଶ୍ୱବିଦ୍ୟାଳୟର କାଗଜପତ୍ର ଓ ଦଲିଲ ରହୁଥିବା ସ୍ଥାନ କେତେ ସୁରକ୍ଷିତ ତାହା ଜଣାପଡୁଛି ଽ
ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ହଲରେ ଏତେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥାଏ, ସେଠାରେ କାହିଁକି ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଉନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ହେଉଛି ତ ? ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏସବୁ ବିଷୟ ଉପରେ ଦୃଷ୍ଟି ଦେଉଛନ୍ତି ତ ? ଏନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଉଛି ।