)
ଭୁବନେଶ୍ୱର: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଆସନ୍ତାକାଲି ପୁରଣ ହେବାକୁ ଯାଉଛି । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ ଭାରତୀୟ ଜନତା ପାର୍ଟି । ରାଜ୍ୟ ବିଜେପି ମଧ୍ୟ ଏହାକୁ ସପ୍ତାହେ ବ୍ୟାପୀ ପ୍ରଭାବଶାଳୀ ଢଙ୍ଗରେ ପାଳନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲିଖିତ ପତ୍ରକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବ ରାଜ୍ୟ ବିଜେପି । ଦଳର କାର୍ଯ୍ୟକର୍ତ୍ତା କୋରୋନା ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବେ । 'ଭୋକାଲ ଫର ଲୋକାଲ' ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ସଙ୍କଳ୍ପ ନେବେ । ଦଳର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।
ସେହିପରି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର ପ୍ରମୁଖ ଉପଲବ୍ଧିକୁ ବ୍ୟାପକ ପ୍ରଚାର ଓ ପ୍ରସାର କରିବ ଦଳ । ଭର୍ଚୁଆଲ ରାଲି ମାଧ୍ୟମରେ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସହ ଯୋଡ଼ିହେବେ । ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକରେ ସାମ୍ବାଦିକ ସମ୍ମିଳନୀ କରାଯିବ । ପ୍ରଥାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ ସାମାଜିକ ଦୂରତ୍ୱ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ଗାଉଡଲାଇନ ଉପରେ ମଧ୍ୟ ଦଳ ଗୁରୁତ୍ୱାରୋପ କରିଛି ।
ତେବେ ଏସବୁ କାର୍ଯ୍ୟକ୍ରମକୁ ପାଳନ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟ ସଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଅନନ୍ତ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି । ବିଧାୟକ ବିଷ୍ଣୁ ସେଠୀ ଓ ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ରାଜ୍ୟରେ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି କରିବେ । ସେହିପରି ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଚାର ଦାୟିତ୍ୱ ଦଳର ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦିଆଯାଇଛି ।