ଜାଣନ୍ତୁ ପୂର୍ବରୁ ଭାରତରେ କେତେ ଥର ଓ କେଉଁଠି ହୋଇଛି ହକି ବିଶ୍ୱକପର ଆୟୋଜନ

ରାଜଧାନୀରେ ଦେଖିବାକୁ ମିଳିବ ହକି ଫିବର, କମ୍ପିବ କଳିଙ୍ଗ

ଜାଣନ୍ତୁ ପୂର୍ବରୁ ଭାରତରେ କେତେ ଥର ଓ କେଉଁଠି ହୋଇଛି ହକି ବିଶ୍ୱକପର ଆୟୋଜନ
ସୌଜନ୍ୟ: ସୋସିଆଲ ମିଡିଆ

ହିମାଂଶୁ ଶେଖର ସାମଲ, ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଫେରିବ ହକି, କମ୍ପିବ କଳିଙ୍ଗ । ରାଜଧାନୀରେ ଦେଖିବାକୁ ମିଳିବ ହକି ଫିବର । ପୁଣି ଥରେ ଓଡ଼ିଶାରେ ଦେଖିବାକୁ ମିଳିବ ହକି ମାନିଆ । ଏ ନେଇ ଗତକାଲି କଳିଙ୍ଗ ଷ୍ଟାଡିୟମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ହକି ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମକୁ ଚୟନ କରାଯାଇଥିବା ହକିପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳାଯାଇଛି ।

ପୁଣି ଥରେ ଓଡ଼ିଶାରେ ଖେଳାଯିବ ହକି ବିଶ୍ୱକପ । ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ପୁଣି ଥରେ କଳିଙ୍ଗ ଷ୍ଟାଡିୟମକୁ ଚୟନ କରାଯାଇଛି । ଏଥର ହକି ବିଶ୍ୱକପ ମ୍ୟାଚ କେବଳ ଭୁବନେଶ୍ୱରରେ ନୁହେଁ, ବରଂ ଓଡ଼ିଶା ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ମଧ୍ୟ ଦେଖିବାକୁ ମିଳିବ । ଓଡ଼ିଶାରେ ହକି ବିଶ୍ୱକପକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ, ୨୦୧୮ ବିଶ୍ୱକପର ଏକ ବର୍ଷ ପୂର୍ତ୍ତି ଆବସରରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ । ପରେ ମୁଖ୍ୟମନ୍ତ୍ରୀ ନିଜର ଚିରାଚରିତ ଢଙ୍ଗରେ, ଆପଣମାନେ ଖୁସି ତ ବୋଲି ଷ୍ଟାଡ଼ିୟମରେ ଥିବା କ୍ରୀଡ଼ାପ୍ରେମୀଙ୍କୁ ପଚାରିଥିଲେ ? ପରେ ମୁଁ ବି ବହୁତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

୨୦୨୩ ମସିହା ଜାନୁଆରୀ ୧୩ରୁ ୨୯ ମଧ୍ୟରେ ପୁରୁଷ ହକି  ବିଶ୍ୱକପ ଆୟୋଜନ ହେବ । ଆୟୋଜକ ଦେଶ ଭାରତ ବିଶ୍ୱକପର କେଉଁ ମ୍ୟାଚ କେଉଁଠି ଖେଳାଯିବ ତାହାର ସ୍ଥାନ ନିର୍ଦ୍ଧାରଣ କରିବ ବୋଲି ହକି ମହାସଂଘ ଘୋଷଣା କରିଛି । ଏହି ଅବସରରେ ୨୦୧୮ ହକି ପୁରୁଷ ବିଶ୍ୱକପର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ହକି ଇଣ୍ଡିଆ ସଭାପତି ନରିନ୍ଦର ବାତ୍ରା ।

ଭାରତ ସ୍ୱାଧୀନ ହେବା ପରେ ୧୯୭୧ ପରଠାରୁ ୪ର୍ଥ ଥର ପାଇଁ ଭାରତରେ ହକି ବିଶ୍ୱକପ୍  ଆୟୋଜନ ହେବାକୁ ଯାଉଛି । ୧୯୮୨ରେ  ମୁମ୍ବାଇ,  ୨୦୧୦ରେ ନୂଆଦିଲ୍ଲୀ ଓ  ୨୦୧୮ ରେ  ଭୁବନେଶ୍ୱରରେ ପୁରୁଷ ହକି ବିଶ୍ୱକପ୍  ଆୟୋଜନ ହୋଇଥିଲା । ୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ ପାଇଁ ଭାରତ ସମେତ ୩ଟି ଦେଶ ଆବେଦନ କରିଥିଲେ ।
୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଦୁନିଆର ବଛା ବଛା ଟିମ ଓଡ଼ିଶା ଆସିବେ । ରାଜଧାନୀରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିବ ହକି ଫିବର । ରାଜ୍ୟ ସରକାରଙ୍କ ଏହି ଘୋଷଣା ସମସ୍ତ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି ।