ଗ୍ରାମାଞ୍ଚଳ ଗର୍ଭବତୀ ମହିଳାଙ୍କୁ ଅବହେଳା, ଖାଇବାକୁ ମିଳୁନି ପୁଷ୍ଟିକର ଖାଦ୍ୟ

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମଧ୍ୟ ଅଧିକାଂଶ ରାଜ୍ୟରେ ଫେଲ୍ ମାରିଛି ।

ଗ୍ରାମାଞ୍ଚଳ ଗର୍ଭବତୀ ମହିଳାଙ୍କୁ ଅବହେଳା, ଖାଇବାକୁ ମିଳୁନି ପୁଷ୍ଟିକର ଖାଦ୍ୟ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର; ଭାରତର ବିଭିନ୍ନ ରାଜ୍ୟରେ ଥିବା ଗ୍ରାମାଞ୍ଚଳ ଗର୍ଭବତୀ ମହିଳାଙ୍କୁ ଠିକ୍ ଭାବେ ଖାଇବାକୁ ଦିଆଯାଉ ନାହିଁ । ସେହିପରି ସେମାନେ ଉପଯୁକ୍ତ ବିଶ୍ରାମ କରି ପାରୁନଥିବାବେଳେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଓ ପୁଷ୍ଟିକର ଖାଦ୍ୟ ସେମାନଙ୍କୁ ମିଳି ପାରୁ ନାହିଁ । ଫଳରେ ସେମାନଙ୍କ ଛୁଆ ଜନ୍ମ ହେବା ପରେ ଦୁର୍ବଳ ହେବା ସହ ମା'ମାନେ ମଧ୍ୟ ନାନା ରୋଗର ଶିକାର ହେଉଛନ୍ତି । ଓଡ଼ିଶା, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ହିମାଚଳ ପ୍ରଦେଶକୁ ନେଇ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି । 
ସମୁଦାୟ ୭୦୬ ଜଣ ମହିଳାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ତନ୍ମଧ୍ୟରୁ ଅଧିକାଂଶ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସହ ଖାଦ୍ୟ, ଔଷଧ ଆଦି ସେମାନଙ୍କୁ ଠିକ୍ ଭାବେ ଦିଆଯାଉ ନଥିବା ସର୍ଭେରୁ ଜଣାପଡ଼ିଛି । ସେହିପରି ଉପରୋକ୍ତ ୬ଟି ରାଜ୍ୟ ମଧ୍ୟରୁ ଉତ୍ତର ପ୍ରଦେଶର ଅବସ୍ଥା ଏ ଦିଗରେ ସାଙ୍ଘାତିକ ଥିବାବେଳେ ଏହା ତଳକୁ ରହିଛନ୍ତି ମଧ୍ୟ ପ୍ରଦେଶ ଓ ଝାଡ଼ଖଣ୍ଡ । ସେହିପରି ଓଡ଼ିଶାର ଅବସ୍ଥା ଏ କ୍ଷେତ୍ରରେ ମଧ୍ୟମ ଧରଣ ରହିଛି । 
ସେହିପରି ଗର୍ଭବତୀ ମହିଳାଙ୍କ ପାଇଁ କରାଯାଇଥିବା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମଧ୍ୟ ଅଧିକାଂଶ ରାଜ୍ୟରେ ଫେଲ୍ ମାରିଛି । ଏହି ଛଅଟି ରାଜ୍ୟକୁ କରାଯାଇଥିବା ସର୍ଭେ ଅନୁସାରେ, ମାତ୍ର ୨୩ ପ୍ରତିଶତ ମହିଳା ଏହି ଯୋଜନାର ଲାଭ ପାଇଛନ୍ତି । ଜଚ୍ଚା-ବଚ୍ଚା ନାମକ ଏକ ସଂଗଠନ ପକ୍ଷରୁ ଚଳିତବର୍ଷ ଜୁନ ମାସରେ ଏନେଇ ଏକ ସର୍ଭେ କରାଯାଇଥିଲା । ତେବେ ଏହି ସଂଗଠନ ୬ଟି ରାଜ୍ୟର ୩୪୨ ଜଣ ଗର୍ଭବତୀ ମହିଳା, ୩୬୪ ଜଣ ନର୍ସିଂ ମହିଳା ଏବଂ ୬୦ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ସର୍ଭେ କରିଥିଲା । 
ତେବେ ଗର୍ଭବତୀ ମହିଳାଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୁଷ୍ଟିକର ଖାଦ୍ୟ । ଓଡ଼ିଶା କଥା ବିଚାର କଲେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲାର ଅନୁନ୍ନତ ଅଞ୍ଚଳରେ ଆଜି ବି ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଉ ନାହାନ୍ତି ଗର୍ଭବତୀ ମହିଳା । ଯାହା ଫଳରେ ଏସବୁ ଜିଲ୍ଲାରେ ଗର୍ଭବତୀ ମହିଳା କମ୍ ଓଜନ ବିଶିଷ୍ଟ ପିଲା ଜନ୍ମ କରୁଛନ୍ତି । ସେହିପରି କେତେକାଂଶରେ ଛୁଆ ଜନ୍ମ ହେବା ପରେ ଅପପୁଷ୍ଟିର ଶିକାର ମଧ୍ୟ ହେଉଛନ୍ତି । ତେବେ ଉପରୋକ୍ତ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ୩୧ ପ୍ରତିଶତ ନର୍ସିଂ ମହିଳା ସେମାନଙ୍କ ଗର୍ଭାବସ୍ଥାରେ ପୁଷ୍ଟିକର ଖାଦ୍ୟ ଖାଉଥିଲେ । କିନ୍ତୁ ବାକି ବର୍ଗର ମହିଳା ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଉ ନଥିଲେ । ସେହିପରି  ପୁଷ୍ଟିକର ଖାଦ୍ୟାଭାବରୁ ଗର୍ଭବତୀ ମହିଳାମାନଙ୍କ ଓଜନ ମଧ୍ୟ କମ୍ ରହିଥିଲା । 

ଗର୍ଭବତୀ ମହିଳାମାନେ ଉପଯୁ୍କ୍ତ ବିଶ୍ରାମ ମଧ୍ୟ କରି ପାରୁନାହାନ୍ତି । ଏକ୍ଷେତ୍ରରେ ହିମାଚଳ ପ୍ରଦେଶର ସ୍ଥିତି ସବୁଠୁ ଭଲ ରହିଛି ଏବଂ ଉତ୍ତର ପ୍ରଦେଶର ଅବସ୍ଥା ସବୁଠୁ ଶୋଚନୀୟ । ସେହିପରି ଓଡ଼ିଶା ଏହି କ୍ଷେତ୍ରରେ ମଧ୍ୟମ ଧରଣର ରେଜଲ୍ଟ କରିଛି ।  ରାଜ୍ୟ ସରକାରଙ୍କ ମମତା ଯୋଜନା ଯୋଗୁ ରାଜ୍ୟର ମହିଳାମାନଙ୍କୁ ଏକ ପ୍ରକାର ସୁବିଧା ମିଳୁଛି ।  କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗର୍ଭବତୀ ମହିଳାମାନେ ଏହି ଯୋଜନାର ଲାଭ ପାଇବାରୁ ଏବେ ବି ବଞ୍ଚିତ ଅଛନ୍ତି ।  ମାଲକାନଗିରି ଜିଲ୍ଲାର ଜଣେ ମହିଳା ନିଜ ନାମ ଗୋପନ ରଖି କହିଛନ୍ତି, ମମତା ଯୋଜନା କ'ଣ ଆମେ ଜାଣିନୁ । ସରକାରୀ ବାବୁ ଆଉ ଜଣେ ଦିଦି ଥରେ କି ଦି ଥର ଗାଁକୁ ଆସିଥିଲେ ।  କିନ୍ତୁ ଏବେ ଆଉ ସେମାନଙ୍କ ଦେଖା ନାହିଁ । ଗର୍ଭାବସ୍ଥା ସମୟରେ ସିଏ ଘରର ସବୁ କାମ କରନ୍ତି ।ସେହିପରି ପୁଷ୍ଟିକର ଖାଦ୍ୟ ଖାଇବାକୁ ସେ ପାଉ ନଥିବା କହିଛନ୍ତି । 
 ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଜରିଆରେ ଗର୍ଭବତୀ ମହିଳାଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା ରହିଛି ।  ପ୍ରତି ମାସ ୯ ତାରିଖରେ ସବୁ ହସ୍ପିଟାଲରେ ଏହି ଚିକିତ୍ସା ଉପଲବ୍ଧ ଥାଏ । ମାଗଣା ଚିକିତ୍ସା ଯୋଗାଇ ଦେବା ସହ ପିଲାର ଯତ୍ନ କିପରି ନିଆଯିବ ସେନେଇ ମଧ୍ୟ ମା'ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ । କିନ୍ତୁ ଓଡ଼ିଶାର କେତେକ ଜିଲ୍ଲାରେ ଏହି ସୁବିଧା ନିୟମିତ ମିଳୁ ନାହିଁ । ଜଚ୍ଚା-ବଚ୍ଚା କରିଥିବା ସର୍ଭେ ଅନୁସାରେ ମହିଳାମାନେ ପ୍ରସବ ପାଇଁ ନିଜ ପରିବାରର ମାସିକ ଆୟରୁ ପ୍ରାୟ ୬ ହଜାର ୫ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି । 
ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ, ପ୍ରତି ଗର୍ଭବତୀ ମହିଳାଙ୍କୁ ୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।  କିନ୍ତୁ ଏହି ସୁବିଧା ମଧ୍ୟ ମହିଳାମାନେ ପାଇବାରୁ ବଞ୍ଚିତ ରହୁଛନ୍ତି ।  ସେହିପରି ୨୦୧୭ରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ ପ୍ରଥମ ଶିଶୁ ପାଇଁ ୫ ହଜାର ଟଙ୍କା ମିଳିବାକୁ ନିୟମ ରହିଛି । ଏହି ଟଙ୍କା ତିନିଟି ପର୍ଯ୍ୟାୟରେ ମିଳିଥାଏ । ପ୍ରଥମେ ହଜାରେ, ତା'ପରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ତେବେ ଏହି ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ, ୩୯ ପ୍ରତିଶତ ମହିଳା ପ୍ରଥମ ପର୍ଯ୍ୟାୟ ଟଙ୍କା ପାଇଛନ୍ତି । ସେହିପରି ଓଡ଼ିଶାରେ ପ୍ରାୟ ୮୦ ପ୍ରତିଶତ ମହିଳା ଏହି ସୁବିଧା ପାଇଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ତେବେ ଯେଉଁ ମହିଳାମାନେ ଏହି ଯୋଜନାର ଲାଭ ପାଇ ନାହାନ୍ତି, ସେଥିପାଇଁ ଭୁଲ୍ ଫର୍ମ ପୂରଣ ହିଁ ଦାୟୀ ବୋଲି ସରକାରୀ ଅଧିକାରୀ କହିଛନ୍ତି ।  ଗୋଟେପଟେ ସରକାର ମାତୃ ମୃତ୍ୟୁ ହାର, ଅପପୁଷ୍ଟି ଜନିତ ମୃତ୍ୟୁ ଏବଂ ଶିଶୁ ମୃତ୍ୟୁ ହାର ରୋକିବାକୁ ଅନେକ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ।  କିନ୍ତୁ ଏସବୁକୁ ଦେଖିଲେ ସଚେତନତା କାର୍ଯ୍ୟକ୍ରମର ବାସ୍ତବ ଚିତ୍ର ଜଣାପଡ଼ୁଛି ।