ପଞ୍ଚମ ରୋଗୀଙ୍କ ପରିଚୟ ପ୍ରକାଶ କଲେ ସରକାର
Advertisement

ପଞ୍ଚମ ରୋଗୀଙ୍କ ପରିଚୟ ପ୍ରକାଶ କଲେ ସରକାର

ସର୍ବସାଧାରଣ ହେଲା ପଞ୍ଚମ ରୋଗୀଙ୍କ ଠିକଣା ଓ ପରିଚୟ

ପଞ୍ଚମ ରୋଗୀଙ୍କ ପରିଚୟ ପ୍ରକାଶ କଲେ ସରକାର

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କୋରୋନା ପାଇଁ କଟକଣା ଜାରି ରହିଛି। ପୂର୍ବରୁ କୋରୋନା ଆକ୍ରାନ୍ତଙ୍କ ନାମ ଓ ଠିକଣା ଗୋପନୀୟ ରହିବା ନେଇ ପ୍ରକାଶ କରିଥିଲେ ହେଁ ଜନହିତ ଦୃଷ୍ଟିରୁ ପଞ୍ଚମ ରୋଗୀଙ୍କ ନାମ ଆଜି ପ୍ରକାଶ କରାଯାଇଛି। ତେବେ ସରକାର ପ୍ରକାଶ କରିଥିବା ପରିଚୟ ଅନୁଯାୟୀ ପଞ୍ଚମ ରୋଗୀଙ୍କ ନାମ ପ୍ରଦୀପ୍ତ ଦଳବେହେରା ଓ ତାଙ୍କ ଘର ଭୁବନେଶ୍ୱରସ୍ଥିତ ସୂର୍ଯ୍ୟନଗରରେ। ଘର ନମ୍ବର ୩୭, ୟୁନିଟ ୭। ଜନହିତ ଦୃଷ୍ଟିରୁ ତାଙ୍କର ପରିଚୟ ପ୍ରକାଶ କରିଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି। 

ବିଏମସି ପ୍ରକାଶ କରିଥିବା ସୂଚନା ମୁତାବକ, ମାର୍ଚ୍ଚ ପରେ ପଞ୍ଚମ ରୋଗୀଙ୍କ ସହିତ ସମ୍ପର୍କରେ ଆସିଥିବା ଲୋକମାନେ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଯଦି କିଛି ସନ୍ଦେହ ରହୁଛି, ତେବେ ୧୦୪ରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି ବିଏମସି। ଏପରିକି ଆପଣଙ୍କ ଶରୀରରେ କୋରୋନା ଲକ୍ଷଣ ଦେଖାଦେଲେ ସରକାରଙ୍କୁ ତୁରନ୍ତ ଜଣାଇବାକୁ ସୂଚନା ଦିଆଯାଇଛି। 

ସେପଟେ ପ୍ରଦୀପ୍ତ ରହୁଥିବା ଅଞ୍ଚଳକୁ ରେଷ୍ଟ୍ରିକଟଡ଼ ଜୋନ ଭାବେ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ଉପରେ ମଧ୍ୟ କଟକଣା ଲାଗୁ ହେବ। ଗୋପବନ୍ଧୁ ଛକ ଠାରୁ ଆରମ୍ଭ କରି ଏଲଆଇସି ଛକ ଓ ଗଙ୍ଗନଗର ଛକ ମଧ୍ୟରେ କଟକଣା ରହିବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି। 

ସୂଚନାଯୋଗ୍ୟ ରାଜ୍ୟରେ ପଞ୍ଚମ କୋରୋନା ରୋଗୀ ଗତକାଲି ରାତିରେ ଚିହ୍ନଟ ହୋଇଥିଲେ। ତାଙ୍କର ବୟସ ୬୦ ବର୍ଷ ହୋଇଥିବା ବେଳେ ତାଙ୍କ କୌଣସି ଟ୍ରେଭେଲ ହିଷ୍ଟ୍ରୀ ନଥିବା ଜଣାପଡ଼ିଛି।