)
ସରୋଜ ବେହେରା, ଭୁବନେଶ୍ୱର:-ଅପରାଧିକ ମାମଲା ଥିବା ସାଂସଦ ଓ ବିଧାୟକଙ୍କ ପାଇଁ ବଢିବ ଅଡୁଆ । ଅଦାଲତରେ ବର୍ଷ ବର୍ଷ ଧରି ପଡି ରହିଥିବା ପୁରୁଣା ଫୌଜଦାରୀ ମାମଲା ପୁଣି ଥରେ ଖୋଲିବାକୁ ଯାଉଛି । ହାଇକୋର୍ଟର ଏକ ସ୍ୱତନ୍ତ୍ର ଅଦାଲତରେ ଏ ସବୁ ମାମଲାର ଶୁଣାଣି ହେବ । କେଉଁ ସାଂସଦ ଓ ବିଧାୟକଙ୍କ ବିରୋଧରେ କେଉଁ ଅଦାଲତରେ କେତୋଟି ମାମଲା ବିଚାରାଧୀନ ରହିଛି ତାହାର ସ୍ଥିତି ପରଖିବାକୁ ଉଭୟ ରାଜ୍ୟ ସରକାର ଓ ରେଜିଷ୍ଟ୍ରାର ଜେନେରାଲଙ୍କ ଠାରୁ ତଥ୍ୟ ମାଗିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନେକ ଦିନ ତଳୁଥିବା ବେଳେ ବିଳମ୍ୱରେ ହେଲେ ପଛେ ଏଭଳି ହେଲେ ରାଜନୀତିରୁ ଅପରାଧିକ ପୃଷ୍ଟଭୂମିର ଲୋକଙ୍କୁ ଦୂରରେ ରଖାଯାଇପାରିବ ବୋଲି ଆଶା ବୃଦ୍ଧି ପାଇଛି ।
ଅପରାଧିକ ରେକର୍ଡ ଥିବା ରାଜନେତାଙ୍କ ବଢିବ ଅଡୁଆ । ଲୋକ ପ୍ରତିନିଧି ହୋଇ ଲୋକଙ୍କୁ ହଇରାଣ ହରକତ କରୁଥିବା ରାଜନେତା ଏବେ ହୋଇଯାଆନ୍ତୁ ସାବଧାନ । ଆପଣଙ୍କ ନାଁରେ ଥିବା ଅପରାଧୀକ ମାମଲାର ପୁଣି ହେବ ଶୁଣାଣି । ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟରେ ଶୁଣାଣି କରି ହୋଇପାରେ ସଜା । ହତ୍ୟା, ହତ୍ୟା ଉଦ୍ୟମ ଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ହୋଇପାରେ ୧୦ ବର୍ଷରୁ ଅଧିକର ସଜା । ଦେଶର ବିଭିନ୍ନ ସାଂସଦ ଓ ବିଧାୟକଙ୍କ ବିରୋଧରେ ୪ ହଜାରରୁ ଅଧିକ ଅପରାଧିକ ମାମଲା ବର୍ଷ ବର୍ଷ ଧରି ଗଡି ଚାଲିଛି । ଠକେଇରୁ ଆରମ୍ଭ କରି ହତ୍ୟା, ହତ୍ୟା ଧମକ ଭଳି ଫୌଜଦାରୀ ମାମଲା ରହିଛି ରାଜନେତାଙ୍କ ବିରୋଧରେ । ଏ ସବୁ ମାମଲାର ଶୁଣାଣି ଶେଷ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ରୁଜୁ ହେବା ପରେ ଏ ସବୁ ମାମଲାର ତ୍ୱରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ହାଇକୋର୍ଟରେ ନିଜ ଆଡୁ ମାମଲା ରୁଜୁ କରି ଯେଉଁ ସବୁ ମାମଲା ପଡି ରହିଛି ତାହାର ସମୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟରେ ଏହାର ଶୁଣାଣି କରିବା ସହ ପ୍ରତ୍ୟେକ ଦିନ ଏ ସବୁ ମାମଲାର ସମାଧାନ କରିବାକୁ କୁହାଯାଇଛି । କୋଭିଡ ଆଳ କିମ୍ବା ଅନ୍ୟାନ୍ୟ ଆଳ ନ ଦେଖାଇ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟ ସବୁଦିନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ଆକ୍ସନ ପ୍ଲାନ ତିଆରି କରିବା ପରେ ମାନ୍ୟବର ହାଇକୋର୍ଟ ଏବେ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ସାଧାରଣ ଲୋକଟି ଜେଲ୍ ଗଲେ ଭୋଟ ଦେବନି , ହେଲେ ଏମାନେ ଜେଲରେ ଥିଲେ ଏମଏଲଏ ଓ ଏମପି ହୋଇପାରିବେ । ଦୋଷୀ ପ୍ରମାଣିତ ହେବା ପାଇଁ ୨୬-୨୭ ବର୍ଷ ଲାଗୁଛି । ସେମାନେ ଏସ୍କ୍ୟୁଜ ନେଉଛନ୍ତି ଯେ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ମାନଙ୍କ ପାଇଁ ମାମଲା ହୋଇଛି । ବିରୋଧୀ କାହାର ନାହିଁ ? ଏହା ଏକ ଚେତାବନୀ ସେମାନଙ୍କୁ । ଏଡିଆର୍ ତରଫରୁ ଏକ ସର୍ଭେ ହୋଇଥିଲା ଯେଉଁ ମାନେ ବଦମାସ ଲୋକ, ଠକ, ଚୋର ସେମାନଙ୍କର ନିର୍ବାଚନରେ ଜିତିବା ତିନି ଗୁଣ ଅଧିକ । ସେମାନେ ଧମକେଇ ଚାଲୁଛନ୍ତି, ଏହାକୁ ରୋକ୍ ଲଗାଇବା ଦରକାର ।
ନିର୍ବାଚନ ବେଳେ ନିଜ ବିରୋଧରେ ଥିବା ଅପରାଧିକ ମାମଲାର ସବିଶେଷ ତଥ୍ୟ ସାର୍ବଜନିକ କରିବାକୁ ନିର୍ଦ୍ଦେଶ ରହିଛି । ଏହା ପରେ ବି ଅନେକ ଅପରାଧିକ ପୃଷ୍ଠଭୂମିର ରାଜନେତା ନିର୍ବାଚନରେ ଜିତିଥିବା ନଜିର ରହିଛି । ନିର୍ବାଚନୀ ରିପୋର୍ଟ ରଖୁଥିବା ସଂସ୍ଥା ADR କଥା ଯଦି କହିବା ଓଡିଶା ରାଜନୀତିରେ ୨୦୧୯ ସୁଦ୍ଧା ୪୬ ପ୍ରତିଶତ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ଅର୍ଥାତ ୧୪୬ ଜଣ ବିଧାୟକଙ୍କ ମଧ୍ୟରୁ ୬୭ ଜଣ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ଏମାନଙ୍କ ମଧ୍ୟରୁ ୪୯ ଜଣ ବିଧାୟକଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ଗୁରୁତର ଅଭିଯୋଗ ମାମଲା ମଧ୍ୟ ରହିଛି । ସବୁଠାରୁ ଅଧିକ ୧୧୧ ବିଧାୟକଙ୍କ ମଧ୍ୟରୁ ୪୬ ଜଣ ବିଜେଡି ବିଧାୟକ ରହିଥିବା ବେଳେ ବିଜେପିର ୨୩ ଜଣଙ୍କ ମଧ୍ୟରୁ ୧୪ ଓ କଂଗ୍ରେସର ୯ ଜଣଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ଫୌଜଦାରୀ ମାମଲା । ସବୁଠାରୁ ବଡ କଥା ହେଲା ବିଜେଡିର ୩୩, ବିଜେପିର ୧୦ ଓ କଂଗ୍ରେସର ୫ ଜଣ ବିଧାୟକଙ୍କ ନାଁରେ ରହିଛି ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ ଭଳି ସାଂଘାତିକ ଅଭିଯୋଗ । ଏସବୁ ମାମଲାର ତୁରନ୍ତ ଶୁଣାଣି ହେଲେ ଅପରାଧୀ ହୋଇ ନିର୍ବାଚନ ଲଢୁଥିବା ଅପରାଧୀ ବିଧାୟକ ହୋଇପାରିବେ ନାହିଁ । ଅପରାଧୀ କଦାପି ଲୋକଙ୍କୁ ସେବା କରି ପରିବେ ନାହିଁ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ବୋଲି ବିଭିନ୍ନ ରାଜନୈତିକ ଦଳ ମତ ଦେଇଛନ୍ତି ।