ମାସକ ଭିତରେ ଗଡ଼ିଲାଣି ୫ ମୁଣ୍ଡ

ଗୋଟିଏ ପରେ ଗୋଟିଏ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆଳରେ ବୁଲୁଛନ୍ତି ଅଫିସର । ଏୟାରଫିଲ୍ଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡଠାରୁ ଗତ ମଙ୍ଗଳବାର ଶିଶୁପାଳ ଗଡ଼ରୁ ଉଦ୍ଧାର ହୋଇଥିବା  ଯୁବକଙ୍କ ମୃତଦେହ ମାମଲା । କେଉଁଥିରେ ହେଲେ ପୋଲିସକୁ ମିଳୁନାହିଁ ସଫଳତା । ଅପରାଧୀଙ୍କକୁ ଧରିପାରୁ ନ ଥିବା ପୋଲିସ ଏ ସମସ୍ତ ମାମଲାରୁ ଗଣମାଧ୍ୟମର ନଜର ହଟାଇବା ପାଇଁ ଚଳାଇଛି ସମସ୍ତ ଚେଷ୍ଟା ।  

ମାସକ ଭିତରେ ଗଡ଼ିଲାଣି ୫ ମୁଣ୍ଡ

ପିସିଆର୍ ବ୍ୟୁରୋ, ଭୁବନେଶ୍ୱର: ମାସକରେ ଗଡ଼ିଲାଣି ୫ ମୁଣ୍ଡ । ତଥାପି କମିଶନରେଟ୍ ପୋଲିସ  ନିରବ । ତଦନ୍ତ ପ୍ରକ୍ରିୟା ବାଟବଣା । ଅପରାଧ ଘଟାଇ ଲୁଚି ଗଲେଣି ଅପରାଧୀ । ତଥାପି କମିଶନରେଟ୍ ପୋଲିସ ବୋଲାଉଛି ଶ୍ରେଷ୍ଠ ପୋଲିସ । ସ୍ମାର୍ଟ ସିଟି  ଏବେ କ୍ରାଇମ୍ ସିଟି । ଯେଉଁଠି ଭୟରେ କମ୍ପୁଛନ୍ତି ଲୋକେ । ଲୋକଙ୍କୁ ସୁରକ୍ଷା ଦେଇ ପାରୁ ନ ଥିବା କମିଶନରେଟ୍ ପୋଲିସ ଖାଲି ଭିଭିଆଇପି ସୁରକ୍ଷାରେ ଲାଗିଛି । କାଗଜ କଲମରେ ଚାଲିଛି ଅପରାଧ ରୋକିବାର କୌଶଳ । ଦକ୍ଷ ଅଫିସରଙ୍କ ଅଭାବରୁ ଏବେ ତଦନ୍ତ ପ୍ରକ୍ରିୟା ହୋଇଛି ବାଟବଣା । ଗୋଟିଏ ପରେ ଗୋଟିଏ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆଳରେ ବୁଲୁଛନ୍ତି ଅଫିସର । ଏୟାରଫିଲ୍ଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡଠାରୁ ଗତ ମଙ୍ଗଳବାର ଶିଶୁପାଳ ଗଡ଼ରୁ ଉଦ୍ଧାର ହୋଇଥିବା  ଯୁବକଙ୍କ ମୃତଦେହ ମାମଲା । କେଉଁଥିରେ ହେଲେ ପୋଲିସକୁ ମିଳୁନାହିଁ ସଫଳତା । ଅପରାଧୀଙ୍କକୁ ଧରିପାରୁ ନ ଥିବା ପୋଲିସ ଏ ସମସ୍ତ ମାମଲାରୁ ଗଣମାଧ୍ୟମର ନଜର ହଟାଇବା ପାଇଁ ଚଳାଇଛି ସମସ୍ତ ଚେଷ୍ଟା ।

ଆଜ୍ଞା ହଁ, ଶବର ଗଦା ଉପରେ ଛିଡ଼ା ହୋଇଛି ରାଜଧାନୀ ଭୁବନେଶ୍ୱରର କମିଶନରେଟ୍ ପୋଲିସ । ରାଜଧାନୀରେ ଘଟି ଚାଲିଛି ମର୍ଡର ପରେ ମର୍ଡର । ରକ୍ତରଞ୍ଜିତ ହେବାରେ ଲାଗିଛି ସ୍ମାର୍ଟସିଟି ।  ଗତ ପ୍ରାୟ ମାସକ ମଧ୍ୟରେ  ଗଡିଲାଣି ପାଞ୍ଚ ପାଞ୍ଚଟି ମୁଣ୍ଡ । ନିଜକୁ ରାଜ୍ୟର ଅନ୍ୟାନ୍ୟ ପୋଲିସଠାରୁ ଭିନ୍ନ, ଆଉ ବେଶ କୁଶଳୀ ବୋଲାଉଥିବା କମିଶନରେଟ୍ ପୋଲିସର ସବୁ କୌଶଳ ଫେଲ୍ ମାରିଛି । ଏତେ ହତ୍ୟାକାଣ୍ଡ ଭିତରୁ ଜଣେ ବି ହତ୍ୟାକାରୀଙ୍କୁ ଖୋଜି ପାଉନି ପୋଲିସ । ଅଫିସର ଭୁଲିଗଲେଣି ତଦନ୍ତର ଧାରା । ଆଗରେ ଅପରାଧୀ ପଛରେ ପୋଲିସ । ଏଭଳି ସ୍ଥିତିରେ ଅସୁରକ୍ଷିତ  ରାଜଧାନୀବାସୀ । କେଉଁଠି ଭାଇଗିରି ପାଇଁ ଗ୍ୟାଙ୍ଗ୍ ୱାରରେ ଗୋଡ଼େଇ ଗୋଡ଼େଇ ହାଣୁଛନ୍ତି ତ ଆଉ କେଉଠି ମିଳୁଛି କଟାଗୋଡ଼ । ଏମିତିକି ବୁଦା ଭିତରୁ ମିଳୁଛି  ଯୁବକଙ୍କ ମୃତଦେହ । ଅପରାଧ ଓ ଅପରାଧୀକୁ ଜଗିବାରେ ଫେଲ ମାରିଥିବା କମିଶନରେଟ୍ ପୋଲିସ ଖାଲି ଭିଭିଆଇପି ଡ୍ୟୁଟିରେ ମାତିଛି । ଭିଭିଆଇପିଙ୍କୁ ଖୁସି କରି ବାହା ବାହା ନେବାରେ ସଫଳ ହେଉଛି ସିନା, ହେଲେ ଟ୍ରାଫିକ ମ୍ୟାନେଜମେଣ୍ଟ ଆଉ ମେଗା ଇଭେଣ୍ଟରୁ ବାହାରି ପାରୁନାହିଁ । ରାଜ୍ୟର ସବୁଠୁ କାବିଲ୍ ପୋଲିସ, କମିଶନରେଟ୍ ପୋଲିସ ଭୁଲିଗଲାଣି ଅପରାଧର ତଦନ୍ତ ଦିଗ ।
 
ମାତ୍ର ୪ ସପ୍ତାହର ରାଜଧାନୀ କ୍ରାଇମ୍ ଡାଏରୀ ଖୋଲିଲେ ଲୋମ ଟାଙ୍କୁରି ଉଠୁଛି । ୨୭ ଅକ୍ଟୋବର ୨୦୧୯, ଦୀପାବଳି ରାତି । ଏୟାରଫିଲ୍ଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ରକ୍ତରଞ୍ଜିତ ଅବସ୍ଥାରେ ଲୋଟିଲା ତା'ର ମୃତଶରୀର । ଦାଦାଗିରି ପାଇଁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଜାଣିବା ପରେ ମଧ୍ୟ କାହାକୁ ଧରିପାରିଲା ନାହିଁ କମିଶନରେଟ୍ ପୋଲିସ । ୭ ନଭେମ୍ବର ୨୦୧୯ । ଡ୍ରଗ୍ସ କାରବାରକୁ ବିରୋଧ କରି ବାପପୁଅ ଖାଇଲେ ଗୁଳି । ସନ୍ଧ୍ୟା ସମୟରେ ବିଚ୍ ରାସ୍ତାରେ ଦୁର୍ବୃତ୍ତ ଗୁଳି କରି ପୁଅକୁ ହତ୍ୟା କରିବା ସହ ବାପାକୁ କଲେ ଘାଇଲା । ଏଭଳି ଭୟଙ୍କର ଘଟଣା ଘଟିଲା ଖଣ୍ଡଗିରି ଥାନା ସରକନ୍ତରାରେ । 

ହେଲେ ଏବେ ବି ପୋଲିସର ହାତ ଖାଲି । ୯ ନଭେମ୍ବର ୨୦୧୯ । ବରମୁଣ୍ଡା ଓୟୁଏଟି ଫାର୍ମ କଡ଼ରୁ ମିଳିଲା କଟାଗୋଡ଼ । ହେଲେ ଏବେସୁଦ୍ଧା କଟା ଗୋଡ଼ର ରହସ୍ୟ ଖୋଜି ପାଇଲା ନାହିଁ ପୋଲିସ । ୧୮ ନଭେମ୍ବର ୨୦୧୯ । ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ହୋଟେଲରେ ବୃଦ୍ଧଙ୍କ ଗଳା କାଟିଲେ ଦୁର୍ବୃତ୍ତ । ହତ୍ୟାର ଶିକାର ହେଲେ ପୂର୍ବତନ ରେଲବାଇ କର୍ମଚାରୀ ଟି. ବି. ରାଓ । ଲକ୍ଷ୍ମୀସାଗର ଥାନା ପୁରୁଣା ଷ୍ଟେସନ ବଜାରରେ ଘଟିଲା ଏଭଳି ଘଟଣା । ହେଲେ ପୋଲିସର ତଦନ୍ତ ରହିଗଲା ଷ୍ଟେସନ ଭିତରେ ସୀମିତ । ୧୯ ନଭେମ୍ବର ୨୦୧୯ । ପୂର୍ବ ଘଟଣାର ଦିନକ ପରେ ଧଉଳି ଥାନା ଅଞ୍ଚଳରୁ ମିଳିଲା ଅପରିଚିତ ଯୁବକଙ୍କ ମୃତଦେହ । ଯୁବକଙ୍କୁ ହତ୍ୟା କରାଯାଇ ସେଠାରେ ଫୋପାଡ଼ି ଦିଆଯାଇଥିବା ପୋଲିସ କଲା ସନ୍ଦେହ । ହେଲେ ଏ ପର୍ଯ୍ୟନ୍ତ ମାମଲାରେ ହେଲାନି ଅଗ୍ରଗତି ।

 ଘଟଣା ଘଟୁଛି । ମାମଲା ରୁଜୁ ହେଉଛି । ହେଲେ ଆଗଉନି ତଦନ୍ତ । ଦୀର୍ଘଦିନ ଧରି  ତଦନ୍ତ ଚାଲିବା ପରେ ଫାଇଲ ବନ୍ଧା ହେଉଛି । ନାଲିଫିତା ତଳେ ଥାଇ ଅପରାଧ ଫାଇଲରେ ଧୂଳି ଜମୁଛି । ଆଉ ଏପଟେ କୋମାରେ କମିଶନରେଟ୍ ପୋଲିସ ।