ବିଶ୍ୱ କ୍ରିକେଟରେ ଭାରତୀୟ ଫାଷ୍ଟ୍ ବୋଲରଙ୍କ ଯୁଗ

ଭାରତୀୟ କ୍ରିକେଟ୍ ସବୁବେଳେ ଏହାର ବ୍ୟାଟ୍ସମ୍ୟାନମାନଙ୍କୁ ନେଇ ଚର୍ଚ୍ଚାକୁ ଆସେ । କିନ୍ତୁ ଏବେ ଭାରତୀୟ କ୍ରିକେଟ୍ ଏହାର ବୋଲରମାନଙ୍କୁ ନେଇ ଚର୍ଚ୍ଚାରେ । ଆଉ ତାହା ପୁଣି ଦ୍ରୁତ ବୋଲରଙ୍କୁ ନେଇ ।

ବିଶ୍ୱ କ୍ରିକେଟରେ ଭାରତୀୟ ଫାଷ୍ଟ୍ ବୋଲରଙ୍କ ଯୁଗ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ଦେଖି ଏବେ ଲାଗୁଛି ଯେମିତି ସେ ସମୟ ଆସିଯାଇଛି, ଯେବେ ଭାରତ ଏହାର ଦ୍ରୁତ ବୋଲରଙ୍କ ପାଇଁ ମ୍ୟାଚ୍ ବିଜୟୀ ହେଉଛି । ଭାରତୀୟ କ୍ରିକେଟ୍ ସବୁବେଳେ ଏହାର ବ୍ୟାଟ୍ସମ୍ୟାନମାନଙ୍କୁ ନେଇ ଚର୍ଚ୍ଚାକୁ ଆସେ । କିନ୍ତୁ ଏବେ ଭାରତୀୟ କ୍ରିକେଟ୍ ଏହାର ବୋଲରମାନଙ୍କୁ ନେଇ ଚର୍ଚ୍ଚାରେ । ଆଉ ତାହା ପୁଣି ଦ୍ରୁତ ବୋଲରଙ୍କୁ ନେଇ ।
ନିକଟରେ ଘରୋଇ ମାଟିରେ ହେଉ କି ବିଦେଶରେ, ଭାରତୀୟ ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ବିଶ୍ୱର ଅନ୍ୟ କ୍ରିକେଟିଂ ଦେଶଗୁଡ଼ିକୁ ହତୋଚକିତ କରିଛି । ଟେଷ୍ଟରେ ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ ଯାଦବ ହୁଅନ୍ତୁ କି ଦିନିକିଆରେ ଯଶପ୍ରୀତ ବୁମରା, ସାମି ଓ ଭୁବନେଶ୍ୱର କୁମାର । ଟି-୨୦ରେ ବି ଏବେ ଦୀପକ ଚହର ଓ ଶିଭମ୍ ଦୁବେଙ୍କ ପ୍ରଦର୍ଶନ ବି ଅନେକଙ୍କୁ ଏବେ ଆଶ୍ଚର୍ଯ୍ୟ କରିଛି। ଚହର ତ ଏଇ ଏଇ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଅନ୍ତିମ ଟି-୨୦ରେ ୪ ଓଭର ବୋଲିଂ କରି ୬ଟି ୱିକେଟ୍ ନେଇ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏଥିରେ ତାଙ୍କର ଏକ ହ୍ୟାଟ୍ରିକ ମଧ୍ୟ ସାମିଲ ଅଛି । ଖାଲି ଏତିକି ନୁହେଁ, ପ୍ରଥମ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲରମାନଙ୍କ କାରନାମା କପ୍ତାନ କୋହଲିଙ୍କୁ ଏବେ ଏତେ ଆତ୍ମବିଶ୍ୱାସୀ କରାଇଦେଇଛି କି, ବୋଲରଙ୍କୁ ନେଇ ରିସ୍କ ନେବାକୁ ବି ପଛାଉ ନାହାନ୍ତି । ତେବେ ଅଚାନକ ଭାରତକୁ ଏମିତି ସବୁ ଦ୍ରୁତ ବୋଲର ମିଳିଲେ କିଭଳି ? ଏମାନେ କାହାର ଅବଦାନ ? ଏ ପ୍ରଶ୍ନ ଅନେକ ବିଦେଶୀ ଖେଳାଳି ଓ କୋଚ୍ ପଚାରୁଛନ୍ତି । ଜାଣିବାକୁ ଚାହୁଁଛନ୍ତି ।

ପ୍ରକୃତ କଥା ହେଉଛି, ଭାରତ କେବେ ବି ଏହାର ଦ୍ରୁତ ବୋଲରଙ୍କ ପାଇଁ ଜଣାଶୁଣା ନଥିଲା । ଆମ ପଡ଼ୋଶୀ ପାକିସ୍ତାନରେ ଦ୍ରୁତ ବୋଲରଙ୍କ ଦବଦବା ରହିଥିଲା ଓ ଭାରତ ପାଖରେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନମାନଙ୍କ ପୁଞ୍ଜି । କିନ୍ତୁ ଏବେ ଭାରତ ପାଖରେ ନାକେବଳ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ୍ ରହିଛନ୍ତି, ତା' ସହ ଖତରନାକ୍ ଦ୍ରୁତ ବୋଲର ଓ ବିଶ୍ୱସ୍ତୀୟ ଫିଲ୍ଡର ମଧ୍ୟ ରହିଛନ୍ତି । ଆଉ ସେଥିପାଇଁ ଭାରତ ଏବେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଟିମ୍ ସାଜି ପାରିଛି ।

ଭାରତୀୟ ବୋଲରକୁ ବିକଶିତ କରାଇବା କାମର ଶ୍ରେୟ ଅନେକ ମାତ୍ରାରେ ଏନସିଏ ଓ ଏହାର ମୁଖ୍ୟ ରାହୁଲ୍ ଦ୍ରାବିଡଙ୍କୁ ଦିଆଯାଇପାରେ । ଏହା ସହ ଆଇପିଏଲ୍ ଓ ଘରୋଇ କ୍ରିକେଟର ଫର୍ମାଟକୁ ମଧ୍ୟ ଶ୍ରେୟ ଦିଆଯାଇପାରେ । ଆଉ ସବୁଠାରୁ ବଡ଼ କଥା ହେଉଛି, ଟିମ୍ ଇଣ୍ଡିଆରେ ଖେଳାଳି ପାଇଁ ଯେଉଁ ଲେଭଲ ସ୍ଥିର କରାଯାଇଛି, ତା' ବି କେଉଁଠି ନା କେଉଁଠି ଖେଳାଳିଙ୍କୁ ଗ୍ରୁମ୍ କରାଇବାରେ ସାହାଯ୍ୟ କରୁଛି । ଧୋନିଙ୍କ ପରେ ବିରାଟ କୋହଲି ଯେବେ ଟିମ୍ ଇଣ୍ଡିଆର କମାଣ ସମ୍ଭାଳିଲେ, ସେତେବେଳେ ୟୋ ୟୋ ଟେଷ୍ଟ ଭଳି ପରୀକ୍ଷା ମଧ୍ୟ ଟିମ୍ ସିଲେକ୍ସନରେ ସାମିଲ୍ କରାଯାଇଥିଲା । ଟିମ୍ ଇଣ୍ଡିଆରେ ଖେଳିବାକୁ ହେଲେ ଖେଳାଳିକୁ ଶତ ପ୍ରତିଶତ ଫିଟ୍ ହେବାକୁ ପଡ଼ିବ । ଏମିତିକି ସେ ବୋଲର୍ ହେଉ କି ବ୍ୟାଟ୍ସମ୍ୟାନ୍ ତାଙ୍କର ଫିଲ୍ଡିଂ ଓ କ୍ୟାଚିଂ ମଧ୍ୟ ଭଲ ରହିଥିବା ଆବଶ୍ୟକ । ଏ କଡ଼ାକଡ଼ି ନିୟମ ଓ ବିରାଟ କୋହଲିଙ୍କ ୟା ଉପରେ ଅମଳ ଖେଳାଳିଙ୍କୁ ଓ ଟିମକୁ ଫିଟ୍ କରିବାରେ ବଡ଼ ଭୂମିକା ତୁଲାଇଛି । ଏହା ସହ ଘରୋଇ କ୍ରିକେଟରେ ଖେଳାଳିକୁ ଗ୍ରୁମ୍ କରାଇବାକୁ ପୂର୍ବତନ ଖେଳାଳିଙ୍କର ଯୋଗଦାନକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ତେଣିକି ସେ ଦ୍ରାବିଡ୍ ହୁଅନ୍ତୁ କି ରବି ଶାସ୍ତ୍ରୀ, ନଥବା ସଞ୍ଜୟ ବାଙ୍ଗର ।
ଭାରତୀୟ କ୍ରିକେଟ୍ ଏବେ ସବୁ ତିନିଟିଯାକ ଫର୍ମାଟରେ ରାଜ୍ କରୁଛି । ଯାହାର ଶ୍ରେୟ ଅନେକାଂଶରେ ବୋଲରଙ୍କୁ ଯାଉଛି । ବିରାଟ କୋହଲି, ରୋହିତ ଶର୍ମାଙ୍କ ବ୍ୟାଟିଂ ସହ ଯଦି ବୋଲରଙ୍କ ଯୋଗଦାନ ନରୁହନ୍ତା, ତେବେ ବଡ଼ ବଡ଼ ଟିମଙ୍କୁ ପରାଜିତ କରିବା ଭାରତ ପାଇଁ କାଠିକର ପାଠ ହୁଅନ୍ତା । ଭାରତକୁ ଏବେ ଦ୍ରୁତ ବୋଲର ମିଳୁଛନ୍ତି, ଯେଉଁମାନେ ୯୦ମାଇଲ୍ ପ୍ରତି ଘଣ୍ଟା ସ୍ପିଡରୁ ମଧ୍ୟ ଅଧିକ ବେଗରେ ବୋଲିଂ କରୁଛନ୍ତି, ଯାହା ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର । ଏହା ସହ ଘରୋଇ ଟୁର୍ଣ୍ଣାମେଣ୍ଟ ଓ ଆଇପିଏଲରେ ଯେଉଁ ସକାରାତ୍ମକ ପ୍ରତିଯୋଗିତା ହେଉଛି, ତାହା ବୋଲରଙ୍କୁ ମଧ୍ୟ ଆହୁରି ଶକ୍ତିଶାଳୀ, ଆତ୍ମବିଶ୍ୱାସୀ କରାଇପାରୁଛି । ଆଗାକୁ ଟି-୨୦ ବିଶ୍ୱକପ୍ ଆସୁଛି, ଯାହା ଅଷ୍ଟ୍ରେଲିଆରେ ଖେଳାଯିବ । ଏଣୁ ଆଶା କରାଯାଇପାରେ, ସେଠି ଭାରତୀୟ ବୋଲରଙ୍କ ପ୍ରଦର୍ଶନ ବେଶ୍ ଉଚ୍ଚକୋଟୀର ରହିବ ଓ ଭାରତ ଏଥର ଟି-୨୦ ବିଶ୍ୱକପ୍ ନିଶ୍ଚୟ ଜିତିବ ।