)
ଭୁବନେଶ୍ୱର: ନୂଆବର୍ଷରେ ଓଡିଶାକୁ ମିଳିବ ନୂଆ ପୋଲିସ ମୁଖିଆ। ୧୯୮୭ ବ୍ୟାଚ୍ର IPS ଅଫିସର ସୁନୀଲ ବଂଶଲଙ୍କୁ ରାଜ୍ୟର ପୋଲିସ ମହାନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଅଛନ୍ତି।
ନିଜ ଘରୋଇ କ୍ୟାଡରକୁ ଫେରିବେ ୧୯୮୭ ବ୍ୟାଚ୍ର IPS ସୁନୀଲ ବଂଶଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ନୂଆ ବର୍ଷରୁ ନୂଆ ଡିଜିପି ସୁନୀଲ ବଂଶଲ ଦାୟିତ୍ୱ ନେବେ। ସେ ଡିଜିପି ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ।
ଗତ ୨୭ ବର୍ଷ ଧରି ସୁନୀଲ ବଂଶଲ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ଏବେ ଗୁଇନ୍ଦା ବିଭାଗ ସ୍ବତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି। ଦୀର୍ଘ ୨୭ ବର୍ଷ ପରେ ସେ ଓଡିଶା ପ୍ରଶାସନିକ ବ୍ୟବସ୍ଥାରେ ଫେରୁଛନ୍ତି। କିନ୍ତୁ ତାଙ୍କର ଏହି କାର୍ଯ୍ୟକାଳ ସ୍ୱଳ୍ପ ସମୟ ପାଇଁ ରହିବ। ନୂଆବର୍ଷରୁ ସେ ୨୦୨୨ ଜାନୁଆରୀରୁ ୨୦୨୨ ଜୁନ୍ ଅର୍ଥାତ ୬ ମାସ ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବେ। ୧୯୯୪ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ସୁନୀଲ ବଂଶଲ, ସମ୍ବଲପୁର ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟ କରିଥିଲେ।
ସୂଚନାଯୋଗ୍ୟ, ଓଡିଶା ପୋଲିସରେ ଡିସେମ୍ବର ୩୧ ତାରିଖ DGP ଅଭୟଙ୍କ ଶେଷ ଦିନ ହେବ। ଏହି ଦିନ ସେ ଅବସର ନେଇ ପରିବେ ବୋଲି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ୧୯୮୬ ବ୍ୟାଚର IPS ଅଫିସର ଅଭୟ ୨୦୧୯ ଡିସେମ୍ବର ୯ ତାରିଖରେ ଓଡିଶା ପୋଲିସର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ସେ ଚଳିତବର୍ଷ ଜୁନ ୩୦ରେ ଅବସର ନେଇଥାନ୍ତେ। କିନ୍ତୁ ରାଜ୍ୟ ସରକାର ତାଙ୍କର ଅବସର ବୟସ ସମୟ ସୀମାକୁ ଆହୁରି ୬ ମାସ ବୃଦ୍ଧି କରିଥିଲେ। ଏହି ନିଷ୍ପତ୍ତି ଅନୁସାରେ ଡିଜିପି ଅଭୟ ଏହି ଡିସେମ୍ବର ୩୧ରେ ଅବସର ନେବେ।