ଏବେ ଖୋଲିବ ନାହିଁ ରତ୍ନଭଣ୍ଡାର: ଆଇନ ମନ୍ତ୍ରୀ

ରତ୍ନଭଣ୍ଡାର ଶେଷ ଥର ପାଇଁ ୧୯୮୫ ମସିହା ଜୁଲାଇ ୧୪ରେ ଖୋଲା ଯାଇଥିଲା । ସେହି ସମୟରେ ୪୫୪ ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା । ଏଥିରେ ୧୨ ହଜାର ୮୩୮ ଭରି ମୂଲ୍ୟବାନ ପଥର ଥିଲା ।  

ଏବେ ଖୋଲିବ ନାହିଁ ରତ୍ନଭଣ୍ଡାର: ଆଇନ ମନ୍ତ୍ରୀ

ଯଯାତି ମହାନ୍ତି, ଭୁବନେଶ୍ୱର: ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ମଙ୍ଗଳବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି । ରତ୍ନଭଣ୍ଡାର ଶେଷ ଥର ପାଇଁ ୧୯୮୫ ମସିହା ଜୁଲାଇ ୧୪ରେ ଖୋଲା ଯାଇଥିଲା । ସେହି ସମୟରେ ୪୫୪ ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା । ଏଥିରେ ୧୨ ହଜାର ୮୩୮ ଭରି ମୂଲ୍ୟବାନ ପଥର ଥିଲା ।

ସେହିପରି ରତ୍ନଭଣ୍ଡାରରେ ୨୩୬ଗୋଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା । ଏଥିରେ ୧୮ ହଜାର ୮୧୫ ଓ ୬ ଅଣା ଭରି ମୂଲ୍ୟବାନ ପଥର ଥିଲା । ଏହି ଅଳଙ୍କାର ଓ ସାମଗ୍ରୀ ମଧ୍ୟରୁ ୮ ଗୋଟି ସୁନା ମୂର୍ତ୍ତି, ୬ ଗୋଟି ରୂପା ବାସନ ଓ ମୂର୍ତ୍ତି ବିଭିନ୍ନ କାରଣରୁ ଓଜନ ହୋଇପାରି ନ ଥିଲା । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି ।

ଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ସମ୍ପତି ସୁରକ୍ଷିତ କି ନାହିଁ? ରତ୍ନଭଣ୍ଡାର ଶେଷଥର ପାଇଁ କେବେ ଖୋଲାଯାଇଥିଲା? ସେତେବେଳେ ଭଣ୍ଡାରଘରେ କେତେ ସମ୍ପତି ଥିଲା? ଏବେ ଆଉ ରତ୍ନଭଣ୍ଡାର ଖୋଲାଯିବ କି ନାହିଁ? ସରକାରଙ୍କ କ’ଣ ଯୋଜନା ରହିଛି? ଏସବୁ ବାବଦରେ ଜାଣିବାବୁ ଚାହିଁଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଲିଖିତ ପ୍ରଶ୍ନ ପଚାରିଥିଲେ ଆଇନ ମନ୍ତ୍ରୀଙ୍କୁ ।  ଲିଖିତ ଉତର ମଧ୍ୟ ରଖିଛନ୍ତି ପ୍ରତାପ ଜେନା । ଆଇନ ମନ୍ତ୍ରୀ କହିଛନ୍ତି ଯେ, ଏବେ ରତ୍ନଭଣ୍ଡାର ଖୋଲିବା ନେଇ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ । ୧୯୮୫ରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା । ଅନ୍ୟପକ୍ଷେ ରତ୍ନଭଣ୍ଡାର ଖୋଲାଗଲେ ସବୁ ଧରାପଡ଼ିଯିବ ବୋଲି ବିଜେପି କହିଛି ।

୧୯୭୮ ମସିହା ମେ ୧୩ ତାରିଖରୁ ୧୯୭୮ ମସିହା ଜୁଲାଇ ୨୩ ପର୍ଯ୍ୟନ୍ତ ତାଲିକାଭୁକ୍ତ ସୁନା ରୂପା ସାମଗ୍ରୀ ସୁରକ୍ଷିତ ଥିବା ମନ୍ତ୍ରୀ କହିଛନ୍ତି । ସେପଟେ ଆଉ ନ ଖୋଲିବ ନେଇ ବିରୋଧୀ କହିଛନ୍ତି ଯେ,  ରତ୍ନଭଣ୍ଡାର ଖୋଲିବ ପାଇଁ ସରକାରଙ୍କ ଦମ ନାହିଁ । ରତ୍ନଭଣ୍ଡାର ସୁରକ୍ଷିତ କି ନାହିଁ ଏବଂ ରତ୍ନଭଣ୍ଡାରରେ ଥିବା ସମ୍ପତି ସୁରକ୍ଷିତ ଅଛି କି ନାହିଁ, ତାହା ଜାଣିବାର ଅଧିକାର ରାଜ୍ୟବାସୀଙ୍କର ରହିଛି ବୋଲି କଂଗ୍ରେସ କହିଛି । ତେଣୁ ସରକାର ରତ୍ନଭଣ୍ଡାର ଖୋଲିବା ଉପରେ ତାଙ୍କ ଆଭିମୁଖ୍ୟ କ’ଣ ସ୍ପଷ୍ଟ ଭାବେ ଜାଣିବା ପାଇଁ କଂଗ୍ରେସ ଏହି ପ୍ରସଙ୍ଗକୁ ଗୃହରେ ଉଠାଇବ ବୋଲି କହିଛି ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସେତେବେଳେ ଚଳଚଞ୍ଚଳ ହୋଇ ଉଠିଥିଲା । ଏହାର ତଦନ୍ତ ପାଇଁ ସରକାର ଜଷ୍ଟିସ ରଘୁବୀର ଦାସ କମିଶନ ବସାଇଥିଲେ । କମିଶନ ମଧ୍ୟ ୨୦୧୮ ନଭେମ୍ବର ୩୦ରେ ସରକାରଙ୍କୁ ୩୨୪ ପୃଷ୍ଟାର ଚୁଡ଼ାନ୍ତ ରିପୋର୍ଟ ଦେଇଥିଲେ ।