ଜେଏନୟୁ: ଭବିଷ୍ୟତ ନା ଭାଣ୍ଡାମୀ !

ପାଠ ପଛେ ଚୂଲିକୁ ଯାଉ...

ଜେଏନୟୁ: ଭବିଷ୍ୟତ ନା ଭାଣ୍ଡାମୀ !

ବିଭୂତି ଭୂଷଣ ଦାସ, ଭୁବନେଶ୍ୱର: ଅତୀତ କହୁଛି ଭବିଷ୍ୟତ, ହେଲେ ଭବିଷ୍ୟତ କହୁଛି ଭାଣ୍ଡାମୀ । ଏଠି ସତର ସାଥ ଦେଲେ ବିରୋଧର ସାମ୍ନା । ସତେଜ ହୋଇଯାଆନ୍ତି ଦେଶଦ୍ରୋହୀ । ଆଉ ଯିଏ ସତର କଥା କୁହେ ଶୁଭେ 'ଗୋ ବ୍ୟାକ ଗୋ ବ୍ୟାକ୍'ର ନାରା । ଏବେ ଜେଏନୟୁର ବର୍ତ୍ତମାନ କହୁଛି ଏଠି ରାଷ୍ଟ୍ରଭକ୍ତ ନୁହେଁ, ରାଷ୍ଟ୍ରଦ୍ରୋହୀ ଉଭା ହେଉଛନ୍ତି । ଯେଉଁଠି ଭାରତୀୟ ସଂସ୍କୃତିର ନାୟକ ସ୍ୱାମୀ ବିବେକାନନ୍ଦଙ୍କୁ ଅପମାନ କରାଯାଏ । ଯେଉଁଠି କାଶ୍ମୀରରେ ପଥର ଫିଙ୍ଗାଳିଙ୍କ ଉପରେ ଆକ୍ରମଣ ହେଲେ ଜେଏନୟୁରେ ନିଆଁ ଜଳେ, ଯେଉଁଠି ଆତଙ୍କବାଦୀ ଅଫଜଲ ଗୁରୁ ସମର୍ଥନରେ ନାରା ଶୁଭେ । ଯେଉଁଠି ନିଜ ମାଆ ସମାନ ମହିଳା ପ୍ରଫେସରଙ୍କ ଡ୍ରେସ ଚିରିବାକୁ ପଛାନ୍ତିନି ଛାତ୍ରଛାତ୍ରୀ । ଯେଉଁ ସରକାର ପିଲାଙ୍କ ଭବିଷ୍ୟତ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରେ । ସେଇ ସରକାର ବିରୋଧରେ ନାରାବାଜି କରାଯାଏ  । କ'ଣ ହେବ ସେମାନଙ୍କର ଭବିଷ୍ୟତ ? ସମ୍ବିଧାନ ଓ ଗଣତନ୍ତ୍ରଣ ଦ୍ୱାହି ଦେଇ ନିଜେ ନିଜ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଉନାହାନ୍ତି ତ ? କେବେ ଭାବିଛନ୍ତି କେତେ ଆଲୁଅ, କେତେ ଅନ୍ଧାର ସେମାନଙ୍କ ଭବିଷ୍ୟତ ?

ସ୍ୱାମୀ ବିବେକାନନ୍ଦ ୧୧ ସେପ୍ଟେମ୍ବର ୧୮୯୩ରେ ଆମେରିକାର ସିକାଗୋରେ ଏକ ଐତିହାସିକ ଭାଷଣ ଦେଇଥିଲେ । ୧୨୬ ବର୍ଷ ତଳେ ସ୍ୱାମୀ ବିବେକାନନ୍ଦ କହିଥିଲେ...'ମୋତେ ଗର୍ବ ଅନୁଭବ ହେଉଛି କି, ମୁଁ ଏମିତି ଏକ ଧର୍ମରୁ ଆସିଛି । ଯିଏ ଦୁନିଆକୁ ସହନଶୀଳତାର ବାର୍ତ୍ତା  ଦିଏ । ତେବେ ପୂରା ଦେଶକୁ ସହନଶୀଳତାର ସନ୍ଦେଶ ଦେଉଥିବା ସ୍ୱାମୀ ବିବେକାନନ୍ଦ କେବେବି ଏମିତି କଳ୍ପନା କରି ନଥିବେ । ତାଙ୍କ ନିଜର ହିଁ ଦେଶ, ଭାରତରେ ଏମିତି ଏକ ସମୟ ଆସିବ ତାଙ୍କ ପ୍ରତିମୂର୍ତ୍ତିରେ ଅସହିଷ୍ଣୁତାର ଶବ୍ଦ ପ୍ରୟୋଗ କରାଯିବ ।  ଆଉ ଏସବୁ ହୋଇଛି ଜେଏନୟୁରେ ।ଆପଣ ଜାଣି ପାରୁଥିବେ ସାମ୍ପ୍ରତିକ ଦଶକରେ  ଜେଏନୟୁ ଛାତ୍ରଙ୍କ କେମିତିକା ସଂସ୍କାର ।

ତେବେ ଏସବୁ ମାତ୍ର ହଷ୍ଟେଲ ଫି ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନକୁ ନେଇ ସାମ୍ନାକୁ ଆସୁଛି । ତେବେ ଯଦି ଆମେ ପୂର୍ବ ଓ ବର୍ତ୍ତମାନର ଫି ବିଷୟରେ ନଜର ପକାଇବା ମେସ ଫି ଓ ଏଷ୍ଟାବ୍ଲିସମେଣ୍ଟ ଫିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଛାତ୍ରଙ୍କୁ କେବଳ ବିଜୁଳି ଓ ସଫେଇ ବିଲ ଦେବାକୁ କୁହାଯାଇଛି । ବାସ କେବଳ ଏତିକି କଥାକୁ ନେଇ କିଛି ଛାତ୍ର ସଂଗଠନ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ଏଯାବତ ସିଙ୍ଗଲ ସିଟରେ ଛାତ୍ରଛାତ୍ରୀଙ୍କୁ ମାସିକ ମାତ୍ର ୨୦ ଟଙ୍କା ଦେବାକୁ ପଡୁଥିଲା । ଡବଲ ସିଟରେ ମାସିକ କେବଳ ୧୦ ଟଙ୍କା ଦେବାକୁ ପଡ଼ୁଥିଲା । ଏବେ ଏହାକୁ ବଢ଼ାଇ ଯଥାକ୍ରମେ ୬୦୦ ଓ ୩୦୦ ଟଙ୍କା କରାଯାଇଥିଲା । ହେଲେ ଯାହାକୁ ନେଇ ରକ୍ତର ସଂଘର୍ଷ କରିବାକୁ ପଛାଇଲେନି କିଛି ଛାତ୍ର ସଂଗଠନ ।

ମୋର ଯାହା ଅନୁଭୂତି, ବହୁତ ଛାତ୍ରଛାତ୍ରୀଙ୍କର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପଢ଼ିବାର ସ୍ୱପ୍ନ ଥାଏ । କାହିଁକି ବା ନ ରହିବ ? କାରଣ ସେହି ବିଶ୍ୱବିଦ୍ୟାଳୟକୁ ଆମ ଦେଶର ସରକାର ସର୍ବୋତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇଛନ୍ତି । ଦେଶର ସବୁଠୁ ବେଶି ଅମଲା ସହିତ ରାଜନେତା ଓ ସାମାଜିକ କର୍ମୀ ସେହିଠାରୁ ହିଁ ବାହାରିଛନ୍ତି । ସେହିପରି ସେଠାରୁ ଆଜି ନୋବେଲ ପୁରସ୍କାର ବିଜେତା ମଧ୍ୟ ଆସିଛନ୍ତି । ଏମିତିକି ବର୍ତ୍ତମାନ ଭାରତର ଦୁଇ ଜଣ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଏସବୁ ହେଉଛି ସେଇ ଜେଏନୟୁର ପରିଚୟ । ସେହି ଅତୀତ କହୁଥିଲା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଯେଉଁ ଜେଏନୟୁକୁ ଏବେ ସଂଗଠିତ ସେକ୍ସ ରାକେଟର ଆଡ୍ଡାସ୍ଥଳୀ ମଧ୍ୟ କୁହାଯାଉଛି ।

ଦୁଃଖର ବିଷୟ ଆମ ଦେଶର କିଛି ସମ୍ବାଦିକ ଓ ବୁଦ୍ଧିଜୀବୀ, ଜେଏନୟୁ ସ୍ଥିତିକୁ ନେଇ ଭାରି ଚିନ୍ତିତ । ଜେଏନୟୁ କଣ ଆମ ଶିକ୍ଷା ବ୍ୟବସ୍ଥାର ସର୍ବଶ୍ରେଷ୍ଠ ଅଭିବ୍ୟକ୍ତି କି  ? ଜେଏନୟୁକୁ ରାଜନୀତିର ଚରାଭୂମି ଭାବୁଥିବା କିଛି ସେଲ୍ଫ ପ୍ରୋଜେକ୍ଟେଡ ବୁଦ୍ଧିଜୀବୀ ନିଜକୁ କାହିଁକି ଏତେ ମହାନ ଭାବୁଛନ୍ତି । କେବଳ ଭାବପ୍ରବଣତା ନୁହେଁ, ବାସ୍ତବତା ଦରକାର । ଆଉ ବାସ୍ତବତା ଏଇଆ ଯେ, ନୂଆ ଭାରତର ଚିନ୍ତାଧାରା ସହ ପାଦ ମିଶାଇ ନିଜ ମାନସିକତାରେ ପରିବର୍ତ୍ତନ ପୂର୍ବକ ଆଗେଇବା ଦରକାର । ନ ହେଲେ ଦିନ ଆସିବ, କେବଳ ଫି ବୃଦ୍ଧି ନୁହେଁ, ଏପରି ବହୁ ପ୍ରସଙ୍ଗକୁ ଆଳ କରି ଛାତ୍ର ଆନ୍ଦୋଳନ ଦାନା ବାନ୍ଧିବ । ଛାତ୍ର ଆନ୍ଦୋଳନର ନାଁ ନେଇ ତଥାକଥିତ ଅସାମାଜିକ ତତ୍ତ୍ୱମାନେ ନିଜ ନିଜ ଦର୍ଶନକୁ ଜବରଦସ୍ତ ଛାତ୍ର ମାନସିକତାରେ ଥୋଇବାର ଉଦ୍ୟମ କରିବେ । ଯାହାକୁ କୁହାଯାଇ ପାରିବ ସଫେଦ ମାନସିକ ଧୁଲେଇ ବା କ୍ଲିନ୍ ମାଇଣ୍ଡ ୱାସ୍ । ତେଣୁ ଏବେ ବିଚାର କରିବାର ସମୟ, ଆପଣ ପ୍ରଚଳିତ ଧାରାରେ ଯିବେ ନା ନିଜ ବାମପନ୍ଥୀ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ନିଜ ମାଇଣ୍ଡ ୱାସ୍ କରିବେ । ଏ ନିଷ୍ପତ୍ତି ଆପଣଙ୍କର ।

Tags: