୩ ଦିନ ଧରି ଦୀପାବଳିକୁ ପାଳନ କରିଥାନ୍ତି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଲୋକେ
Trending Photos
ଦେବେଶ ନାହକ, ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶରେ ଉତ୍ସବର ମାହୋଲ । ବିଭିନ୍ନ ସଂପ୍ରଦାୟର ଲୋକେ ନିଜ ନିଜ ଶୈଳୀରେ ଏହାକୁ ଧୁମଧାମରେ ପାଳନ କରିଛନ୍ତି । ମହାନ୍ତ ସଂପ୍ରଦାୟର ଲୋକେ ମଧ୍ୟ କୌଣସି କ୍ଷେତ୍ରରେ ପଛୁଆ ନୁହଁନ୍ତି । ସେମାନେ ୩ ଦିନ ଧରି ଦୀପାବଳିକୁ ପାଳନ କରିଥାନ୍ତି । କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଏହି କୃଷିଭିତ୍ତିକ ପର୍ବ ପାଳନରେ ଏକ ସ୍ୱତନ୍ତ୍ରତା ଦେଖିବାକୁ ମିଳିଛି । ଗୋମାତା, ମାଟି ମା' ଓ ଇଷ୍ଟ ଦେବୀଙ୍କ ପୂଜା ସହ ଭାଇଚାରାର ସମ୍ପର୍କର ପର୍ବ ପାଳନ ଦେଇଛି ନିଆରା ଅନୁଭୂତି ।
କେନ୍ଦୁଝର ଜିଲ୍ଲା କୁଡୁମି ସଂପ୍ରଦାୟର ଲୋକ ନିଆରା ଢଙ୍ଗରେ ପାଳୁଛନ୍ତି ଦୀପାବଳି ଉତ୍ସବ । ଘଟଗାଁ ବ୍ଲକ୍ କେନ୍ଦୁଆପଡ଼ା ଗାଁରେ ଏଥିପାଇଁ ଜୋରଦାର ପ୍ରସ୍ତୁତି । କାରଣ ଗାଁରେ ୩ ଦିନ ଧରି ପାଳିତ ହେଉଛି ପର୍ବ । ଦୀପାବଳି ପର୍ବ ପାଇଁ ୧୦ ଦିନ ପୂର୍ବରୁ ନୂଆମାଟିରେ ଘରକୁ ଲିପାପୋଛା କରାଯାଏ । ପରିବାରର ସମସ୍ତ ସଦସ୍ୟ ନୂତନ ପୋଷାକ ପିନ୍ଧିଥାନ୍ତି । ବର୍ଷ ସାରା ଚାଷ କାମରେ ସହାଯ୍ୟ କରି ଆସୁଥିବା ଗୋ ମାତାଙ୍କୁ ଏହି ପର୍ବରେ ପୂଜା କରାଯାଏ । ଗାଈ ଗୋରୁଙ୍କୁ ଭଲ ଭାବରେ ଗାଧୋଇବା ପରେ ଶିଙ୍ଗରେ ତେଲ ଲଗାଇ ଦିଆଯାଏ । ଦୀପାବଳିର ପ୍ରଥମ ଦିନର ଅପରାହ୍ନରେ ଗାଈଗୋରୁଙ୍କୁ ଗାଁମୁଣ୍ଡ ଗୋଠରେ ଏକାଠି କରାଯାଏ । ଗାଁର ପୂଜକ ଓ ବୟୋଜ୍ୟଷ୍ଠ ବ୍ୟକ୍ତି ଗ୍ରାମ ଦେବତୀଙ୍କ ସ୍ମରଣ କରି ପୂଜା ପାଠ କରିଥାନ୍ତି । ଏହାପରେ ଏକ ଅଣ୍ଡାକୁ ରଖି ଗୋରୁଙ୍କୁ ଦୌଡ଼ାଇଥାନ୍ତି । ଯେଉଁ ଲୋକଙ୍କ ଗାଈର ଖୁରାରେ ଅଣ୍ଡାଟି ଫାଟିଯାଏ, ତାଙ୍କୁ ଗାଁର ଭାଗ୍ୟଶାଳୀ ବୋଲି ଘୋଷଣା କରାଯାଏ । କାନ୍ଧରେ ବସାଇ ତାଙ୍କୁ ଗାଁକୁ ଅଣାଯାଏ । ଘରେ ଘରେ ପିଠାପଣା ସହ ମାଦଳର ତାଳେ ତାଳେ ନାଚଗୀତରେ ମଜ୍ଜିଥାନ୍ତି ଗ୍ରାମବାସୀ ।
ସେହିପରି, ଦୀପାବଳି ପର୍ବର ଦ୍ୱିତୀୟ ଦିନରେ ଗାଁ ଦାଣ୍ଡରୁ ଗୁହାଳ ଯାଏଁ ଝୋଟି ପକାଯାଏ । ଝୋଟି ମାଡ଼ି ଗୋମାତା ଘରକୁ ପ୍ରବେଶ କଲେ ଭଲ ଚାଷ ହୁଏ । ଏଥିସହ ମା' ଲକ୍ଷ୍ମୀ ପ୍ରସନ୍ନ ହେଉଥିବା ବିଶ୍ୱାସ ରହିଛି । ଏହି ଦିନ ଗୁହାଳରେ ଗୋ ମାତାକୁ ଧୂପ ଦିପରେ ବନ୍ଦାପନା କରିଥାନ୍ତି ଗାଁର ମହିଳାମାନେ । ଜମିରୁ ଉତ୍ପାଦିତ ନୂଆ ଶସ୍ୟରେ ରୋଷେଇ ପରେ ପୂର୍ବ ପୁରୁଷମାନଙ୍କୁ ସ୍ମରଣ କରାଯାଏ । ଦ୍ୱିତୀୟ ଦିନରେ ଏଭଳି ପର୍ବ ପାଳନକୁ ବନ୍ଦନା ପର୍ବ ମଧ୍ୟ କୁହାଯାଇଥାଏ । ଶେଷ ଦିନକୁ କୁହାଯାଏ ଧିଙ୍ଗୱାନୀ କାରଣ ମାଦଳର ସ୍ୱର ଧିଙ୍ଗ ଧିଧାଙ୍ଗ ଧିନ୍ ପରି ଶୁଭିଥାଏ । ଏହି ଶବ୍ଦର ତାଳେତାଳେ ଗାଈଗୋରୁଙ୍କୁ ନଚାଇଥାନ୍ତି ଲୋକେ । ତିନି ଦିନ ଧରି ଦୀପାବଳିର ବେଶ୍ ମଜା ନିଅନ୍ତି ଗ୍ରାମବାସୀ ।
କଥାରେ ଅଛି ଓଡ଼ିଶାରେ ୧୨ ମାସରେ ୧୩ ପର୍ବ । ଧୁମଧାମର ସହ ପର୍ବପର୍ବାଣୀ ପାଳନ କରି ବେଶ୍ ମଜା ଉଠାଇଥାନ୍ତି ରାଜ୍ୟବାସୀ । ଅଧିକାଂଶ ସ୍ଥାନରେ ଦୀପାବଳି ପର୍ବକୁ ମାତ୍ର ଗୋଟିଏ ଦିନ ପାଳନ କରାଯାଏ ହେଲେ କେନ୍ଦୁଆପଡ଼ା ଗାଁରେ ୩ ଦିନ ଧରି ଏହାକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ଲୋକ ।