ଜାଣନ୍ତୁ ଓଡ଼ିଶାର କେଉଁ ଜାଗାରେ କେଉଁ ଶାଢୀର ଚାହିଦା ଅଧିକ

ଜାଣନ୍ତୁ ଓଡ଼ିଆଣୀଙ୍କ ଶାଢୀ ଭେରାଇଟି ବିଷୟରେ

ଜାଣନ୍ତୁ ଓଡ଼ିଶାର କେଉଁ ଜାଗାରେ କେଉଁ ଶାଢୀର ଚାହିଦା ଅଧିକ
ସୌଜନ୍ୟ: ସୋସିଆଲ ମିଡିଆ

ସୁଭଦ୍ରା ବେହେରା, ଭୁବନେଶ୍ୱର: ନାରୀର ସୌନ୍ଦର୍ଯ୍ୟକୁ ଦ୍ୱିଗଣିତ କରେ ଶାଢୀ । ଶାଢୀ ପିନ୍ଧିଲେ ନାରୀ ଅଧିକ ସୁନ୍ଦର ଦେଖାଯାଏ । ବଜାରରେ ବିଭିନ୍ନ ପ୍ରକାରର ଶାଢୀ ମିଳୁଛି ହେଲେ ଏବେ ସବୁଠି ଓଡ଼ିଶା ଶାଢୀର ଚାହିଦା ଟିକେ ଅଧିକା । ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭେରାଇଟିର ଶାଢୀ ତିଆରି ହୁଏ । କାରିଗର ମାନେ ନିଖୁଣ ଭାବେ ଶାଢୀ ତିଆରି କରନ୍ତି । ଏହି ସବୁ ଶାଢୀ ଅନଲାଇନ ମଧ୍ୟ ବିକ୍ରି କରାଯାଉଛି । ତେବେ ଆସନ୍ତୁ ଜାଣିବା ଓଡ଼ିଶାରେ ମିଳୁଥିବା ପ୍ରସିଦ୍ଧ ଶାଢୀ ବିଷୟରେ ..

ସମ୍ବଲପୁରୀ ଶାଢୀ


ଏହା ଏକ ପାରମ୍ପରିକ ହାତବୁଣା ଶାଢୀ । ଏହାର ଉତ୍ପାଦନ ଓଡ଼ିଶାର ବରଗଡ଼, ସୋନପୁର, ସମ୍ବଲପୁର , ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ କରାଯାଏ   ।  ସମ୍ବଲପୁର ଶାଢୀର ଶଙ୍ଖ, ଚକ୍ର, ଫୁଲ ଭଳି ପାରମ୍ପରିକ ଚିତ୍ର ଅଙ୍କା ଯାଇଥାଏ ।

ବୋମକାଇ ଶାଢୀ/ ସୋନପୁରୀ ଶାଢୀ


ଏହା ମଧ୍ୟ ହାତବୁଣା ଶାଢୀ ଅଟେ । ଗଞ୍ଜାମ ଜିଲ୍ଲାରେ ଏହା ବହୁଳ ପରିମାଣରେ ମିଳେ । ଅର୍ଥାତ ଗଞ୍ଜାମରେ ହିଁ ଏହା ଉତ୍ପାଦନ ହୁଏ ।  ଏହାର ମୁଖ୍ୟ ରୂପ ସୁବର୍ଣ୍ଣପୁର ଜିଲ୍ଲାର ଭୁଲିୟା ସମ୍ପ୍ରଦାୟ ଦ୍ୱାରା ତିଆରି କରାଯାଏ । ବୋମକାଇ ଶାଢୀ ଭାରତର ଏକ ଭୌଗଳିକ ସଙ୍କେତ ଅଟେ । ସୋନପୁରର ହାତବୁଣା ଶାଢୀ , ସୋନପୁର ପାଟ ଏବଂ ରେଶମ ଶାଢୀ ବିଭିନ୍ନ ଫ୍ୟାଶନ ସୋରେ ପ୍ରଦର୍ଶିତ କରାଯାଇଥାଏ । ବୋମକାଇ ଶାଢୀକୁ ସବୁଠୁ ଅଧିକ ଷ୍ଟାଇଲିସ ଶାଢୀ ମଧ୍ୟ କୁହାଯାଇଥାଏ । ବଲିଉଡ ଅଭିନେତ୍ରୀ ଐଶର୍ଯ୍ୟା ରାୟ ବଚ୍ଚନ ତାଙ୍କ ବିବାହ ସମୟରେ ବୋମକାଇ ଶାଢୀ ରାଧାକୁଞ୍ଜ ପିନ୍ଧିଥିଲେ । ଏଥିସହ ସୁବର୍ଣ୍ଣପୁରର ଚତୁର୍ଭୁଜ ମେହେର ଐଶର୍ଯ୍ୟାଙ୍କ ପାଇଁ ୩ଟି ଶାଢୀ ଡିଜାଇନ କରିଥିଲେ ।

କୋଟପାଡ଼ ଶାଢୀ


ଏହାର ଉତ୍ପାଦନ କୋରାପୁଟରେ ହୋଇଥାଏ  । ଏହି ଶାଢୀରେ ଆଖି ଲାଖିଯିବା ପରି ସୂକ୍ଷ୍ମ, ନିଖୁଣ ହସ୍ତକର୍ମ କରାଯାଇଥାଏ । ଏହି ଶାଢୀର ରହିଛି ବେଶ ଚାହିଦା  । ଗୋଟିଏ ଶାଢୀ ତିଆରି କରିବା ପାଇଁ ମାସମାସ ସମୟ ଲାଗିଥାଏ  ।ସ୍ଥାନୀୟ ଅଞ୍ଚଳରୁ ଆରମ୍ଭ କରି  ଜାତୀୟସ୍ତରୀୟ  ଏହି ଶାଢୀର ଚାହିଦା ଖୁବ ଅଧିକ । ଏହି ଶାଢୀରେ ପ୍ରାକୃତିକ ରଙ୍ଗରେ ପ୍ରସ୍ତୁତ କରାଯାଇଥାଏ । ମିରଗନ ସମ୍ପ୍ରଦାୟର ଆଦିବାସୀ ବୁଣାକାର ଏହି ଶାଢୀ ବୁଣିଥାନ୍ତି ।   କୋଟପାଟ ଶାଢୀ ପାଇଁ କୋରାପୁଟର କୋଟପାଡ଼ ଗାଁ ଜାତୀୟ ସ୍ତରରେ ପରିଚିତ । ଏହି ଗାଁର ଖ୍ୟାତି ଓ ଗୌରବ  ବଢାଇଛନ୍ତି ବୁଣାକାର ଗୋବର୍ଦ୍ଧନ ପାଣିକା । ହସ୍ତତନ୍ତ ଓ  ନିଆରା ଡିଜାଇନ ଦ୍ୱାରା ସେ କୋଟପାଡ଼ ଶାଢୀକୁ ନୂତନ ରୂପ ଦେଇଥିବାରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । ବିଭିନ୍ନ ଗଛ ବକଳ , ହରିଡ଼ା ,ଗୋବର ଆଦି ପ୍ରାକୃତିକ ସାମଗ୍ରୀରୁ ଶାଢୀ ପାଇଁ  ରଙ୍ଗ ପ୍ରସ୍ତୁତ  ହୋଇଥାଏ । ଏହି ଶାଢୀର ଚାହିଦା ଦିଲ୍ଲୀ ,ମୁମ୍ବାଇ , ବାଙ୍ଗାଲୋର, କୋଲକାତା , ଆସାମ ଆଦି ରାଜ୍ୟ ବାହାରେ ବେଶ ଅଧିକ ରହିଛି ।

ଧଳାପଥର ଶାଢୀ

ଖୋର୍ଦ୍ଧା ଜିଲ୍ଲା ଧଳାପଥର ଅଞ୍ଚଳରେ ଧଳାପଥର ଶାଢୀ ବୁଣାଯାଇଥାଏ । ଏହାକୁ ରଙ୍ଗଣି ସମ୍ପ୍ରଦାୟ ଦ୍ୱାରା ବୁଣା ଯାଇଥାଏ । କୁସୁମି କପଟା, କଙ୍କଣ, ପେଡ଼ି, ମୁକ୍ତାପୁଞ୍ଜି, ନିହାତି ଆଉ ଅକଟା ନାଁରେ ବେଶ ଜଣାଶୁଣା ।

ପଶାପାଲ୍ଲୀ ଶାଢୀ ବରଗଡ଼


ଏହି ଶାଢୀରେ ସତରଞ୍ଜ ବା ପଶାପଲ୍ଲୀ ଭଳି ପାଟର୍ଣ୍ଣ ଥାଏ । ଏହି ଶାଢୀ ପଶ୍ଚିମ ଓଡ଼ିଶାର ସୋନପୁର , ବରପାଲୀ ଭଳି ସ୍ଥାନରେ ତିଆରି କରାଯାଇଥାଏ । ଏହି ଶାଢୀର ପଣତକୁ ସୁନେଲି ରଙ୍ଗରସୂତାରେ ବୁଣାଯାଇଥାଏ । ଶାଢୀର ବର୍ଡର ଖୁବ୍ ସୁନ୍ଦର ଏବଂ ନିଖୁଣ ଭାବେ ତିଆରି କରନ୍ତି ବୁଣାକାର ।

ଖଣ୍ଡୁଆ ଶାଢୀ / ମାଣିଆବନ୍ଧ ଶାଢୀ

ଖଣ୍ଡୁଆ ଶାଢୀ ମାଣିଆବନ୍ଧ ଶାଢୀ ତଥା କଟକୀ ଶାଢୀ ଭାବେ ଜଣା ଯାଏ ।   ବିବାହ ଉତ୍ସବରେ ଏହି ଶାଢୀକୁ ମହିଳା ପିନ୍ଧିବାପାଇଁ ବେଶ ଭଲପାଆନ୍ତି । ମାଣିଆବନ୍ଧ ପାଟ  ବସ୍ତ୍ର ଶ୍ରୀ ମନ୍ଦିରରେ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ବେଶରେ ବ୍ୟବହୃତ ହୁଏ ।

ହବସପୁରୀ ଶାଢୀ କଳାହାଣ୍ଡି
ଏହା କଳାହାଣ୍ଡିରେ ଉତ୍ପାଦିତ ହୋଇଥାଏ । ଏହା ଏକ ସୂତା ଶାଢୀ । ଏହା  ଓଡ଼ିଶାର ୧୪ ଟି ଭୌଗଳିକ ସଙ୍କେତରୁ ଗୋଟିଏ ରୂପେ ଗଣାଯାଏ  । ଏହି ଶାଢୀରେ  କୁମ୍ଭ , ମାଛ ଆଉ ଫୁଳର ପାଟର୍ଣ୍ଣ ଥାଏ । ଏହି ଶାଢୀ କଳାହାଣ୍ଡି ଜିଲ୍ଲାର ହବସପୁର ଗାଁର ବୁଣାକାର ଏହି ଶାଢୀକୁ ତିଆରି କରନ୍ତି ।

ପାଟ୍ଟ ଶାଢୀ ବ୍ରହ୍ମପୁର
ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଶାଢୀ ।  ପାଟ ଶାଢୀ ଦେଶ ବିଦେଶରେ  ବେଶ ପରିଚିତ  । ବ୍ରହ୍ମପୁରୀ ରେଶମ ପାଟଶାଢ଼ୀ ଭାରତ ସରକାରଙ୍କଠାରେ ଭାରତୀୟ ଭୌଗଳିକ ସଙ୍କେତ ଭାବେ ପଞ୍ଜୀକୃତ ହୋଇଛି । ଏହି ଶାଢୀରେ କୁମ୍ଭ ଫୋଡ଼ା ଓଡ଼ିଶୀ ଶୈଳୀରେ ବୁଣାଯାଇଥାଏ । ଏଥିରେ ସୁନ୍ଦର ଜରି କାମ କରାଯାଇଥାଏ ।  ଏହି ବସ୍ତ୍ର ଶ୍ରୀମନ୍ଦିରରେ  ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କ ବେଶ ଆଦିରେ ବ୍ୟବହୃତ ହୁଏ ।

ଡଙ୍ଗରିଆ, କଳାହାଣ୍ଡି, ରାୟଗଡ଼ା

ଡଙ୍ଗରିଆ କନ୍ଧ ଆଦିବାସୀଙ୍କ ଦ୍ୱାରା ଏହି ଶାଢୀ ତିଆରି କରାଯାଇଥାଏ । ମୋଟା ସୂତାରେ ଏହି ଶାଢୀ ବୁଣାଯାଇଥାଏ । ଏଥିରେ  ଆଦିବାସୀଙ୍କ ପାରମ୍ପରିକ ଛାପ ରହିଛି । ଏହାକୁ ଯେକୌଣସି ଉତ୍ସବରେ ମହିଳାମାନେ ପିନ୍ଧିବାକୁ ଭଲପାଆନ୍ତି ।