ଉପରେ ଭଲ, ଭିତରେ ଭେଲ

ଉଚ୍ଚଶିକ୍ଷାର ଗତି କୁଆଡେ ? 

ଉପରେ ଭଲ, ଭିତରେ ଭେଲ
ଫାଇଲ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷାର ଗତି କୁଆଡେ ? ଗୋଟିଏ ପଟେ ପାଠ ପଢିବାକୁ ଭିତ୍ତିଭୂମି ଅଭାବର ଅଭିଯୋଗ ହେଉଥିବା ବେଳେ ଏବେ ପାଠ ପଢାଇବାକୁ ମଧ୍ୟ ଆବଶ୍ୟକୀୟ ଶିକ୍ଷକ ନାହାଁନ୍ତି । ଏକଥା ଆମେ କହୁନୁ, ଖୋଦ ବିଭାଗୀୟ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି । ବିଧାନସଭାରେ ଚାଲିଥିବା ଶୀତକାଳିନ ଅଧିବେଶନର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମର ଉତ୍ତରରେ ଖାଲିଥିବା ଅଧ୍ୟାପକ ପୂରଣ ତାଲିକା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧିନସ୍ଥ ବିଶ୍ୱବିଦ୍ୟାଳୟ ଗୁଡିକରେ ମଞ୍ଜୁରପ୍ରାପ୍ତ ୮୪୪ ଅଧ୍ୟାପକ ଓ ୧୫୬୩ଟି ଅନ୍ୟାନ୍ୟ କର୍ମଚାରୀ ପଦ ଖାଲିଥିବା ସେ ଦର୍ଶାଇଛନ୍ତି । ତେବେ କିପରି ଚାଲିଛି ବିଶ୍ୱବିଦ୍ୟାଳୟରେ ପାଠପଢା ? ଯାହାକୁ ନେଇ ଶିକ୍ଷାବିତ ଓ ଛାତ୍ରଛାତ୍ରୀଙ୍କ ମହଲରେ ବେଶ୍ ଉଦବେଗ ପ୍ରକାଶ ପାଇଛି ।

ଖାଲି ପଦବୀର ଲମ୍ବା ତାଲିକା । ସରକାରୀ ତଥ୍ୟ ଅନୁଯାଇ ରାଜ୍ୟର ୧୧ ବିଶ୍ୱବିଦ୍ୟାଳୟରୁ ୧୦ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଅନେକ ଅଧ୍ୟାପକ ଓ ଅଣ ଅଧ୍ୟାପକ ପଦବୀ । ବିଧାନସଭାରେ ଆଲୋଚିତ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀଙ୍କ ତଥ୍ୟ ଅନୁଯାଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨୦, ସମ୍ବଲୁପର ବିଶ୍ୱବିଦ୍ୟାଳୟରେ ୫୧, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୭୨, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୭୯, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୧୨୯, ଫକିର ମୋହନ ବିଶ୍ୱବିଦ୍ୟାଳୟରେ ୭୨, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ୭୯, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୧୨, ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୦୫, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୫ଟି ଅଧ୍ୟାପକ ପଦବୀ ଖାଲି ଅଛି । 

post vacant

ସେହିପରି ଅଣ-ଅଧ୍ୟାପକ ପଦବୀରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୬୧୩, ସମ୍ବଲୁପର ବିଶ୍ୱବିଦ୍ୟାଳୟରେ ୨୯୫, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୦୭, ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୩୫, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୬୫, ଫକିର ମୋହନ ବିଶ୍ୱବିଦ୍ୟାଳୟରେ ୧୫, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରେ ୪୭, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୩୭, ରମାଦେବୀ ବିଶ୍ୱବିଦ୍ୟାଳୟରେ ୧୦୭, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୪୬ ଓ ଓଡିଶା ରାଜ୍ୟ ମୁକ୍ତ ବିଶ୍ୟବିଦ୍ୟାଳୟରେ ୨ ଟି ପଦବୀ ଖାଲି ପଡିଛି । 

ସେପଟେ କିନ୍ତୁ ଏସବୁ ପ୍ରତି ଉଚ୍ଚଶିକ୍ଷା ବିଭାଗର ପଦକ୍ଷେପ ସମୁଦ୍ରକୁ ଶଙ୍ଖେ ପାଣି ପରି । ଲିଖିତ ଭାବେ ମନ୍ତ୍ରୀଙ୍କ ଉତ୍ତର ଅନୁଯାଇ ଖାଲିଥିବା ୩୧୭ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ସରକାରଙ୍କ ଅନୁମୋଦନ କ୍ରମେ ପ୍ରକ୍ରିୟା ଜାରି ରହିଛି । ତେବେ ଏହାକୁ ନେଇ ଶିକ୍ଷାବିତ ଓ ଛାତ୍ରଛାତ୍ରୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ନାତକୋତ୍ତର ଓ ଗବେଷଣା କ୍ଷେତ୍ରରେ ବାଧା ଉପୁଜିବା ଏବଂ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଥିବା କହିଛନ୍ତି ।