ଆସନ୍ତାକାଲି ମାଟିରେ ମିଶିବ ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ

ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସକୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଭାଙ୍ଗିବାକୁ ବିଡିଏ ପକ୍ଷରୁ ଘୋଷଣା କରାଯାଇଛି । ଦୀର୍ଘ ଦିନର ଏହି କମ୍ପଲେକ୍ସକୁ ୨୦୧୩ ମସିହାରେ ଅସୁରକ୍ଷିତ ଘୋଷଣା କରାଯାଇଥିବା ବେଳେ ତା ପରେ ମଧ୍ୟ କିଛି ବ୍ୟବସାୟୀଙ୍କ ଦ୍ୱାରା ଦୋକାନ ଖୋଲାଯାଇଥିଲା । 

ଆସନ୍ତାକାଲି ମାଟିରେ ମିଶିବ ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ
ଫାଇଲ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ମାଟିରେ ମିଶିବ ପୁରୁଣା ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ । ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସକୁ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଭାଙ୍ଗିବାକୁ ବିଡିଏ ପକ୍ଷରୁ ଘୋଷଣା କରାଯାଇଛି । ଦୀର୍ଘ ଦିନର ଏହି କମ୍ପଲେକ୍ସକୁ ୨୦୧୩ ମସିହାରେ ଅସୁରକ୍ଷିତ ଘୋଷଣା କରାଯାଇଥିବା ବେଳେ ତା ପରେ ମଧ୍ୟ କିଛି ବ୍ୟବସାୟୀଙ୍କ ଦ୍ୱାରା ଦୋକାନ ଖୋଲାଯାଇଥିଲା । ବୁଧବାର ହଠାତ ଡାକବାଜି ଯନ୍ତ୍ର ସାହାଯ୍ୟରେ ୪୮ ଘଣ୍ଟା ମଧ୍ୟରେ ଏସବୁ ଦୋକାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

ପୁରୁଣା ଭୁବନେଶ୍ୱର ସ୍ଥିତ ଅସୁରକ୍ଷିତ ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସ ଧ୍ୱଂସ ହେବାକୁ ଯାଉଛି । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପାର୍ଶ୍ୱରେ ଥିବା ଏହି କମ୍ପଲେକ୍ସକୁ ଭାଙ୍ଗିବା ପାଇଁ ପ୍ରସ୍ତୁତ ହେଉଛି ବିଡିଏ । ମିଳିତ ଭାବେ ବିଡିଏ ଓ ବିଏମସି ଆସନ୍ତାକାଲି ସ୍ୱତନ୍ତ୍ର ଫୋର୍ସ ସହ ଭାଙ୍ଗିବାକୁ ପୂର୍ବରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଛନ୍ତି । ୧୦୧ଟି ଦୋକାନ ଗୃହ ବିଶିଷ୍ଟ ଏହି କମ୍ପଲେକ୍ସକୁ ପୂର୍ବରୁ ଯଦିଓ ଅସୁରକ୍ଷିତ ଘୋଷଣା କରାଯାଇଲା ହେଲେ ବର୍ତ୍ତମାନ ସୁଦ୍ଧା ୩୦ରୁ ଉର୍ଦ୍ଧ୍ୱ ଦୋକାନ ବ୍ୟବସାୟ କରୁଥିଲେ ।

ତେବେ ହଠାତ ସେମାନଙ୍କୁ ନୋଟିସ ଦେଇ ୪୮ ଘଣ୍ଟା ମଧ୍ୟରେ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଏମସି ଅତିରିକ୍ତ କମିଶନର ସୁରଥ ମଲ୍ଲିକ କହିଛନ୍ତି । ଏହାସହ ମେଗା ସର୍କିଟ ଟୁରିଜିମ୍ ପ୍ରୋଜେକ୍ଟ ମାଧ୍ୟମରେ ନୂଆ ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୮ ବ୍ୟବସାୟୀଙ୍କୁ ଥଇଥାନ କରାଯାଇଥିବା ସେ କହିଛନ୍ତି । ଯାହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି ।

ସେପଟେ ଏହାକୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଥମେ ଉପଯୁକ୍ତ ଥଇଥାନ ଓ ଆବଶ୍ୟକୀୟ ସମୟ ଦେଇ ଉଚ୍ଛେଦ କରିବାକୁ ସେମାନେ ଦାବୀ କରିଛନ୍ତି । ତେବେ ନୂତନ ଲିଙ୍ଗରାଜ ମାର୍କେଟ କମ୍ପଲେକ୍ସର ନିର୍ମାଣ ଶେଷ ହୋଇ ବର୍ଷେ ହେବ ଉଦଘାଟନ ହୋଇଥିବ । କିନ୍ତୁ ଏଯାବତ କାର୍ଯ୍ୟକ୍ଷମ ହୋଇ ନଥିବା ସହ ଦୋକାନ ଗୃହ ବଣ୍ଟନରେ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଏବେ ହଠାତ ଉଚ୍ଛେଦ କଲେ ସେମାନଙ୍କ ପେଟପାଟଣାକୁ ଲାତ ମାରିବା ସଦୃଶ ବୋଲି କହିଛନ୍ତି । ସମସ୍ତଙ୍କୁ ଚାବି ପ୍ରଦାନ କରାଯାଇ ନଥିବାରୁ ମଧ୍ୟ ହଠାତ କେଉଁଠିକୁ ଦୋକାନ ସାମଗ୍ରୀ ନେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ତେବେ ଉପଯୁକ୍ତ ବ୍ୟବସ୍ଥା ନ କରି ଉଚ୍ଛେଦ କଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ହଠାତ ସ୍ୱଳ୍ପ ସମୟର ମହଲତରେ କାହିଁକି ଉଚ୍ଛେଦ କରାଯିବାକୁ ନିଷ୍ପତ୍ତି ନିଆଯାଉଛି ? ଗୋଟିଏ ଦିନ ମଧ୍ୟରେ ଦୋକାନ ସାମଗ୍ରୀ ସ୍ଥାନାନ୍ତର କରିବା ସମ୍ଭବ କି ? ଯଦି କରିବେ କେଉଁଆଡେ ନେବେ ସେନେଇ ବିଡିଓ ଓ ବିଏମସି କର୍ତ୍ତୁପକ୍ଷ କେତେ ସଚେତନ ? ଏସବୁ ଭିତରେ ମାର୍କେଟ ଭଙ୍ଗା ପ୍ରକ୍ରିୟା ଆଶା ଆଶଙ୍କାରେ ରହିଛି ।