ଲକଡାଉନରେ ଯାତ୍ରା ଜଗତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ
Advertisement
Article Detail0/zeeodisha/odisha686707

ଲକଡାଉନରେ ଯାତ୍ରା ଜଗତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ

ଦିନେ ମଞ୍ଚ ତଳର ଦର୍ଶକଙ୍କୁ ହସେଇ ହସେଇ ବେଦମ କରିପାରୁଥିବା ଏ କଳାକାରମାନେ ଆଜି ନିଜକୁ ଅସହାୟ ମନେକରୁଛନ୍ତି । ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । 

ଲକଡାଉନରେ ଯାତ୍ରା ଜଗତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ଯାତ୍ରାଜଗତ ଉପରେ କୋରୋନା ମାଡ଼ । ହଜାର ହଜାର ଯାତ୍ରା କଳାକାର ଏବେ ବେରୋଜଗାର । ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେଣି ଯାତ୍ରା ମାଲିକ । ଲକଡାଉନ୍ କୋହଳ ହେଲେ ବି ନିକଟ ଭବିଷ୍ୟତରେ ମଞ୍ଚ ଦୁଲୁକିବାର ସମ୍ଭାବନା ହିଁ ନାହିଁ । କାହିଁକିନା ସଭାସମିତି, ଯାତ୍ରା, ଜନ ସମାବେଶ ଇତ୍ୟାଦି ଏବେ କରିବା ସମ୍ଭବ ନୁହେଁ । ଆଉ ଏସବୁ ଭିତରେ ହଜାର ହଜାର ଯାତ୍ରା କଳାକାର ଏବଂ କର୍ମଚାରୀ ଏବେ ନିରୁପାୟ । ଦିନେ ମଞ୍ଚ ତଳର ଦର୍ଶକଙ୍କୁ ହସେଇ ହସେଇ ବେଦମ କରିପାରୁଥିବା ଏ କଳାକାରମାନେ ଆଜି ନିଜକୁ ଅସହାୟ ମନେକରୁଛନ୍ତି । ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । 

ଓଡ଼ିଶା ଯାତ୍ରା କଳାକାଳ ଏବଂ କର୍ମଚାରୀ ସଂଘ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛି । ନିଜ ଚିଠିରେ ସଂଘ ଦର୍ଶାଇଛି, ଲକଡାଉନ୍ ଯୋଗୁ ଯାତ୍ରା ବନ୍ଦ । ଲକ୍ଷ ଲକ୍ଷ ଟଙ୍କାର କ୍ଷତିରେ ଅଛନ୍ତି ଯାତ୍ରା ପାର୍ଟି ମାଲିକ । ଏଭଳି ସ୍ଥିତିରେ କଳାକାର ଏବଂ କର୍ମଚାରୀଙ୍କୁ ବେତନ ଦେବା ମଧ୍ୟ ସମ୍ଭବ ହୋଇପାରୁନି । ଫଳରେ ୧୦ ହଜାର କଳାକାର ଓ କର୍ମଚାରୀ ପରିବାର ଏବେ ବେରୋଜଗାର ହୋଇପଡ଼ିଛନ୍ତି । ଯାତ୍ରା ପାର୍ଟିରେ କାମ କରୁଥିବା ଟେକ୍ନିସିଆନମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇନଥିବାରୁ ସରକାରୀ ସହାୟତାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଏଭଳି ସ୍ଥିତିରେ ଯାତ୍ରା ପାର୍ଟି ମାଲିକ, କର୍ମଚାରୀ ଓ କଳାକାରଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି । ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସଂଘ କହିଛି । 

ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖାଯାଇଥିବା ଚିଠିରେ ୪ଟି ଅନୁରୋଧ କରାଯାଇଛି । 
(୧) ଯାତ୍ରା ଜଗତରେ କାମ କରୁଥିବା ୧୦ ହଜାରରୁ ଉର୍ଦ୍ଧ୍ୱ କଳାକାର ଏବଂ କର୍ମଚାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ । 
(୨) ସଭାସମିତି, କ୍ରୀଡା ଇତ୍ୟାଦି ଯେବେଠୁ ଆରମ୍ଭ ହେବା ପାଇଁ ସରକାର ଅନୁମତି ଦେବେ, ସେବେଠୁ ଯାତ୍ରା ଚାଲୁ କରିବା ପାଇଁ ମଧ୍ୟ ଅନୁମତି ଦିଅନ୍ତୁ । 
(୩) ଯାତ୍ରାକଳାକୁ ଲୋକକଳାର ମାନ୍ୟତା
(୪) ଯାତ୍ରା ପାର୍ଟି ମାଲିକଙ୍କୁ ସବସିଡିରେ ଋଣ ପ୍ରଦାନ ।

ଏଠାରେ ଆପଣଙ୍କୁ କହିରଖୁଛୁ, ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘରେ ୬୫ଟି ଯାତ୍ରାପାର୍ଟି ପଞ୍ଜିକୃତ ହୋଇଛନ୍ତି । ସଂଘର କହିବା ମୁତାବକ, ଏଥିରେ ୧୦ହଜାରରୁ ଉର୍ଦ୍ଧ୍ୱ କଳାକାର ଓ କର୍ମଚାରୀ ଅଛନ୍ତି । ବରିଷ୍ଠ ତଥା ଲୋକପ୍ରିୟ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା ଏହି ସଂଘର ସଭାପତି ରହିଛନ୍ତି । 

;