ଆଜିଠୁ କୋହଳ ହେବ କୋରୋନା କଟକଣା । ଲୋକସେବା ଭବନରେ ଖୋଲିବ ସମସ୍ତ ବିଭାଗ ।
Trending Photos
ଯଯାତି ମହାନ୍ତି, ଭୁବନେଶ୍ୱର: ଆଜିଠୁ କୋରୋନା କଟକଣାରେ କୋହଳ ହେଉଛି । ଲକଡାଉନ୍ ଉଠିବ ନାହିଁ, ହେଲେ ଟିକେ ସରଳ ହେବ ଲୋକଙ୍କ ଜୀବନଯାପନ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ରାଜ୍ୟ ସରକାର କୋରୋନା କଟକଣା କୋହଳ କରିବାକୁ ନିଷ୍ପତି ନେଇଛନ୍ତି । ଲୋକସେବା ଭବନରେ ସବୁ ବିଭାଗ କାର୍ଯ୍ୟକ୍ଷମ ହେବ । ୧୧ଟି ବିଭାଗ ସହ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଓସ୍ଡ଼ମା, କ୍ରିଟିକାଲ ବିଭାଗରେ ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ । ଅନ୍ୟ ଆଂଶିକ କ୍ରିଟିକାଲ ବିଭାଗର ଗ୍ରୁପ-ଏ କ୍ୟାଟେଗୋରୀର ସମସ୍ତ ଅଧିକାରୀ ଓ ଅନ୍ୟ କ୍ୟାଟେଗୋରୀର ଅଧା କର୍ମଚାରୀ ଅଫିସ ଆସିବେ । ଏହା ସହ ୧୦ଟି ସଂକ୍ରମିତ ଜିଲ୍ଲାକୁ ବାଦ୍ ଦେଲେ ୨୦ଟି ଜିଲ୍ଲାରେ ବି ସମସ୍ତ ସରକାରୀ ଅଫିସ ଖୋଲିବ । ସଂକ୍ରମିତ ୧୦ ଜିଲ୍ଲାରେ ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ । ଏହା ସହ ନିର୍ମାଣ ଓ ଭିତିଭୂମି କାର୍ଯ୍ୟ ଆଗେଇବା ପାଇଁ ବାଲି ସହିତ ଲଘୁ ଖଣିଜ କାରବାର ବି ଚାଲିବ ।
ଆଜିଠୁ କୋହଳ ହେବ କୋରୋନା କଟକଣା । ଲୋକସେବା ଭବନରେ ଖୋଲିବ ସମସ୍ତ ବିଭାଗ । କୃଷି ଓ କୃଷକ ସଶକ୍ତୀକରଣ, ସମବାୟ, ମତ୍ସ୍ୟ ପଶୁପାଳନ, ଖାଦ୍ୟ ଯୋଗାଣ, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ, ଗୃହ ଶ୍ରମ ଓ ଇଏସ୍ଆଇ, ପଞ୍ଚାୟତିରାଜ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ଓସ୍ଡ଼ମା ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗକୁ କ୍ରିଟ୍ରିକାଲ କ୍ୟାଟେଗୋରୀରେ ରଖାଯାଇଛି । ଏହି ସବୁ ବିଭାଗର ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବେ । ବାକି ସବୁ ବିଭାଗର ପ୍ରଥମ ଶ୍ରେଣୀ କ୍ୟାଟେଗୋରୀର ଅଧିକାରୀ ଅଫିସ୍ ଆସିବାକୁ ନିର୍ଦ୍ଦେଶ ଥିବା ବେଳେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କ୍ୟାଟେଗୋରୀରେ ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବାକୁ ସାଧାରଣ ପ୍ରଶାସନ ବିଜ୍ଞପ୍ତି ଜାରି କରିଛି । ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ ଲୋକସେବା ଭବନକୁ ଆସି କାମ କରିବେ ।
କେବଳ ଲୋକସେବା ଭବନ ନୁହେଁ, ଜିଲ୍ଲା ସ୍ତରରେ ମଧ୍ୟ ସମସ୍ତ କାର୍ଯ୍ୟାଳୟ ମଧ୍ୟ ଆଜିଠୁ କାର୍ଯ୍ୟକ୍ଷମ ହେବ । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର ଓ ବାଲେଶ୍ୱର ଭଳି ଜିଲ୍ଲାରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଏହି ସବୁ ଜିଲ୍ଲାରେ ୩୩ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବାକୁ ରାଜସ୍ୱ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଅନ୍ୟ ୨୦ଟି ଜିଲ୍ଲାରେ ଶତ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବାକୁ ନିର୍ଦ୍ଦେଶ ରହିଛି । ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲ କାର୍ଯ୍ୟାଳୟ ସବୁ ଖୋଲା ରହିବ । ଏହା ସହିତ ରାସ୍ତାଘାଟ ଭଳି ନିର୍ମାଣ କାର୍ଯ୍ୟ ଏବଂ ସରକାରୀ ଭିତିଭୂମି କାର୍ଯ୍ୟ ଜାରି ରଖିବାକୁ ଲଘୁ ଖଣିଜ କାରବାର ଉପରେ ମଧ୍ୟ କଟକଣା କୋହଳ ହୋଇଛି । ବାଲି, ମୋରମ୍, ଚିପ୍ସ ଖାଦାନ କାର୍ଯ୍ୟକ୍ଷମ ହେବ । ଏପ୍ରିଲ ୨୦ରୁ କାର୍ଯ୍ୟାଳୟ ସଚଳ ହେଲେ ବିଭାଗୀୟ କାର୍ଯ୍ୟ ଉପରେ ସମୀକ୍ଷା କରାଯିବ । ମ୍ୟାଟ୍ରିକ ଖାତା ଦେଖା ହେଉ କି +୨ ବାକି ପରୀକ୍ଷା ଓ ଖାତାଦେଖା ବାବଦରେ ମଧ୍ୟ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁ ପରେ ମାର୍ଚ୍ଚ ୨୪ ତାରିଖରୁ ୨୧ ଦିନିଆ ଲକ୍ ଡ଼ାଉନ୍ ଦେଶବ୍ୟାପୀ ହୋଇଥିଲା । ଏହା ପରେ ଏପ୍ରିଲ ୧୧ ତାରିଖରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲକ୍ଡ଼ାଉନ୍ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତି ନେଇଥିଲେ । ହେଲେ ଏପ୍ରିଲ ୧୪ରେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଲକ୍ଡ଼ାଉନ୍ ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।