ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଏଥିଲାଗି ଚାରିଆଡ଼େ ଆଲୋକମାଳାରେ ସାଜସଜ୍ଜା କରାଯିବ। ଏହା ସହ ଘରେ ଘରେ ଦୀପ ଲଗାଇ ଦୀପାବଳି ପାଳିବାର ପରମ୍ପରା ରହିଛି। ହେଲେ ଦିନକୁ ଦିନ ବଜାରରେ ଚାଇନା ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ମାଟିଦୀପ ଓ ମାଟି ତିଆରି ସାମଗ୍ରୀର ଚହିଦା କମି କମି ଯାଉଛି। ମାଟି ଦୀପକୁ ନୂଆ ରୂପ ରଙ୍ଗ ଦେଇ ଲୋକଙ୍କ ନିକଟକୁ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ଲୁଣୁକୁଆ ଗାଁର କୁମ୍ଭାର ପରିବାର। ଯାହାକୁ ଗ୍ରାହକ ମାନେ ଅଧିକ ପସନ୍ଦ କରିବାସହ ଆଗ୍ରହର ସହିତ କିଣୁଛନ୍ତି। ଏହି ଦୀପ କିଣିବାକୁ ଗାଁରେ ପ୍ରତିଦିନ ଗ୍ରାହକ ଓ ବ୍ୟବସାୟୀଙ୍କ ଭିଡ଼ ଜମୁଛି।
Trending Photos
ସୁଚିତ୍ରା ସେଣ୍ଡ୍, ପାରାଦୀପ: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଏଥିଲାଗି ଚାରିଆଡ଼େ ଆଲୋକମାଳାରେ ସାଜସଜ୍ଜା କରାଯିବ। ଏହା ସହ ଘରେ ଘରେ ଦୀପ ଲଗାଇ ଦୀପାବଳି ପାଳିବାର ପରମ୍ପରା ରହିଛି। ହେଲେ ଦିନକୁ ଦିନ ବଜାରରେ ଚାଇନା ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ମାଟିଦୀପ ଓ ମାଟି ତିଆରି ସାମଗ୍ରୀର ଚହିଦା କମି କମି ଯାଉଛି। ମାଟି ଦୀପକୁ ନୂଆ ରୂପ ରଙ୍ଗ ଦେଇ ଲୋକଙ୍କ ନିକଟକୁ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ଲୁଣୁକୁଆ ଗାଁର କୁମ୍ଭାର ପରିବାର। ଯାହାକୁ ଗ୍ରାହକ ମାନେ ଅଧିକ ପସନ୍ଦ କରିବାସହ ଆଗ୍ରହର ସହିତ କିଣୁଛନ୍ତି। ଏହି ଦୀପ କିଣିବାକୁ ଗାଁରେ ପ୍ରତିଦିନ ଗ୍ରାହକ ଓ ବ୍ୟବସାୟୀଙ୍କ ଭିଡ଼ ଜମୁଛି।
ଆଲୋକର ପର୍ବ ଦୀପାବଳୀରେ ମିଠାର ଯେତିକି ଚାହିଦା ଦୀପର ଚାହିଦା ମଧ୍ୟ ସେତିକି। ଘରକୁ ଆଲୋକିତ କରିବା ପାଇଁ ରଙ୍ଗ ବେରଙ୍ଗ ଆକର୍ଷଣୀୟ ମହମବତୀ କିଣିବାକୁ ସମସ୍ତେ ବ୍ୟସ୍ତ। ତେବେ ପୁଣିଥରେ ଲୋକ ମାନଙ୍କୁ ମାଟି ଦୀପ ପ୍ରତି ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ନୂଆ ରୂପ ରଙ୍ଗ ଦେଇ ଦୀପକୁ ବଜାରକୁ ଛାଡୁଛନ୍ତି ଲୁଣୁକୁଆ ଗାଁର କୁମ୍ଭକାର ପରିବାର। ଏଥିପାଇଁ କୁମ୍ଭକାର ପରିବାରର ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଦିନ ରାତି ଏକ କରି ଲାଗିଛନ୍ତି। ପାଖାପାଖି ୩୦ରୁ ୪୦ ପ୍ରକାର ମାଟିର ଦୀପ ତିଆରି ହେଉଛି ଗାଁରେ । ସେଗୁଡିକ ମଧ୍ୟରେ ଗଣେଶ ଦୀପ, ସଖୀ ଦୀପ, ଓଁ ଦୀପ, ଶଙ୍ଖ ଦୀପ, ଗଛ ଦୀପ, ଷ୍ଠାଣ୍ଡ ଦୀପ, ତ୍ରୀମୂଖୀ ଦୀପ ଓ ପଞ୍ଚମୂଖୀ ଦୀପ ରହିଛି। ଦୀପ ତିଆରି କରିବା ପରେ ସେଗୁଡିକୁ ଆକର୍ଷଣୀୟ କିରବା ପାଇଁ ସେସବୁକୁ ରଙ୍ଗରେ ସଜାଉଛନ୍ତି କାରିଗର। ଏହିସବୁ ଦୀପକୁ ନିକଟସ୍ଥ ବ୍ୟବସାୟୀଙ୍କୁ ବିକ୍ରି କରିବା ପାଇଁ ଯୋଗାଉଛନ୍ତି କାରିଗର। ଚଳିତ ବର୍ଷ ଦୀପାବଳିରେ ଏହିସବୁ ଆକର୍ଷଣୀୟ ଦୀପର ବଜାର ଚାହିଦା ଅଧିକ ରହିଛି। ଏଥି ପାଇଁ କାରିଗର ମାନେ ବେଶ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ମଧ୍ୟ ରଖିଛନ୍ତି।
ଲୁଣୁକୁଆ ଗାଁରେ ପ୍ରାୟ ଶତାଧିକ କୁମ୍ଭକାର ପରିବାର ବସବାସ କରୁଛନ୍ତି। ସେମାନେ ପୁର୍ବରୁ ମାଟିହାଣ୍ଡି, ମାଠିଆ, କଳସ, କୂଅନନ୍ଦ ଓ ମାଟିଦୀପ ଭଳି ଜିନିଷ ତିଆରିକରି ଗାଁ ଗାଁ ବୁଲି ବିକ୍ରି କରୁଥିଲେ। କିନ୍ତୁ ଏବେ ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଓ ଗ୍ରାହକ ମାନେ ଆସି ଲୁଣୁକୁଆ ଗାଁରୁ ଟେରାକୋଟା ତିଆରି ସାମଗ୍ରୀ କିଣି ନେଉଛନ୍ତି।ଫଳରେ ସେମାନଙ୍କୁ ଆଉ ବାହାରେ ବୁଲି ବିକ୍ରି କରିବାକୁ ପଡୁନାହିଁ। ଗାଁର ବେକାର ଶିକ୍ଷିତ ଯୁବକ ଯୁବତୀ ମଧ୍ୟ ଟେରାକୋଟା କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏପରିକି ଗାଁର ମହିଳା ମାନେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ଏହିଭଳି ସୁନ୍ଦର ମାଟି ଦୀପ ଓ ବିଭିନ୍ନ ମାଟି ତିଆରି ଜିନିଷ ତିଆରି କରି ମାସିକ ୩ ରୁ ୫ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ଅନ୍ୟପଟେ ଗ୍ରାହକ ମାନେ ମଧ୍ୟ ପାରମ୍ପରିକ ମାଟି ଦୀପ କିଣି ପ୍ରଦୂଷଣ ବିହୀନ ଦୀପାବଳୀ ପାଳିବାରେ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି କରୁଛନ୍ତି।
ଦୀପାବଳୀ ଅବସରରେ ମହମବତୀ ଓ ଚାଇନା ଲାଇଟ୍ କୁମ୍ଭାରଙ୍କ ଜୀବିକା ଉପରେ ପ୍ରଭାବ ପକାଉଥିବା ବେଳେ ପୁଣିଥରେ ଦୀପକୁ ନୂଆ ରୂପରଙ୍ଗ ଦେଇ ନିଜର କୌଳିକ ବୃତ୍ତି ଫେରି ପାଇବାରେ ସକ୍ଷମ ହୋଇଛନ୍ତି ଲୁଣୁକୁଆର ଦୀପ କାରିଗର।