ଆରମ୍ଭ ହେଲା 'ମଧୁ' ଆପ୍, ଉପକୃତ ହେବେ ସ୍କୁଲ ବିଦ୍ୟାର୍ଥୀ

ମଙ୍ଗଳବାର ଏହି ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଜିଲ୍ଲା ସଦର ମହକୁମାର ଛତ୍ରପୁର ଠାରେ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଭିଡିଓ କନ୍ଫେରେନ୍ସ ଜରିଆରେ ଉଦଘାଟିତ ହୋଇଛି ।

ଆରମ୍ଭ ହେଲା 'ମଧୁ' ଆପ୍, ଉପକୃତ ହେବେ ସ୍କୁଲ ବିଦ୍ୟାର୍ଥୀ

ଭୁବନେଶ୍ୱର: ମଧୁ ଆପ୍ ଜରିଆରେ ମୋବାଇଲ୍ ବ୍ୟବହାର କରି ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢ଼ି ପାରିବେ ଛାତ୍ରଛାତ୍ରୀ ।  ଏହା ସହ ଅଧ୍ୟାୟ ଶେଷରେ ମଡେଲ୍ ପ୍ରଶ୍ନୋତ୍ତର ଅଭ୍ୟାସର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢ଼ି ତାହାର ଉତ୍ତର ଲେଖି ତାହା କେତେ ଦୂର ଠିକ୍ ବା ଭୁଲ, କେତେ ମାର୍କ ଆସିପାରିବ ତାହା ମଧ୍ୟ ଜାଣିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବୈଷୟିକ ପ୍ରଯୁକ୍ତି ବିଦ୍ୟା କୌଶଳ ‘ମଧୁ ଆପ୍’କୁ ପ୍ରସ୍ତୁତ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ।

ମଙ୍ଗଳବାର ଏହି ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଜିଲ୍ଲା ସଦର ମହକୁମାର ଛତ୍ରପୁର ଠାରେ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଭିଡିଓ କନ୍ଫେରେନ୍ସ ଜରିଆରେ ଉଦଘାଟିତ ହୋଇଛି । ରାଜ୍ୟର ବିଶିଷ୍ଟ ମହାପୁରୁଷ  ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍ ନାମକରଣ କରାଯାଇଛି ।

ମାତୃଭାଷା ଆଧାରିତ ଭର୍ଚୁଆଲ୍ କ୍ଲାସ୍-ରୁମ୍ ଅନୁଭୂତି ପାଇଁ ପାରିବେ ବିଦ୍ୟାର୍ଥୀ । ଅନ୍ୟ ଅର୍ଥରେ ଛାତ୍ରଛାତ୍ରୀମାନଙ୍କ ହାତରେ କ୍ଲାସରୁମ୍ ଇନ୍ ମୋବାଇଲ୍ ସୁବିଧା ବୋଲି କହିହେବ । ପଢ଼ା ବହିରେ ଥିବା ପାଠ୍ୟ ବିଷୟର ଶିକ୍ଷାଦାନ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ରେକର୍ଡିଂ କରାଯାଇଛି । ଏଥିସହ ଅଭ୍ୟାସ ପ୍ରଶ୍ନ ଓ ତାହାର ଉତ୍ତର ମଧ୍ୟ ଅଧ୍ୟାୟ ଓ ବିଷୟ ଅନୁସାରେ ରହିବ । ଛାତ୍ରଛାତ୍ରୀମାନେ ଗୁଗଲ୍ ପ୍ଲେ-ଷ୍ଟୋର୍କୁ ଯାଇ ଏହି ଆପ୍ ଡାଉନ୍ଲୋଡ୍ କରିପାରିବେ ।

 ବିଦ୍ୟାର୍ଥୀମାନେ ଏକ କିମ୍ବା ଏକାଧିକ କ୍ଲାସ୍ ପଞ୍ଜୀକରଣ କରି ବହି ପାଠକୁ ଡିଜିଟାଲ୍ ପଦ୍ଧତିରେ ପଢ଼ି ପାରିବେ । ନିଜେ ଶିକ୍ଷକ ସାଜି ପ୍ରଶ୍ନୋତ୍ତରର ମୂଲ୍ୟାୟନ ବି କରିପାରିବେ ଛାତ୍ରଛାତ୍ରୀ । ଏବେ ଅଧିକ ପଢ଼ା ପାଇଁ କିଛି ଛାତ୍ରଛାତ୍ରୀ ଟ୍ୟୁସନ୍ ଯାଉଛନ୍ତି । ଆଉ ସେମାନଙ୍କୁ ତାହା ଦରକାର ପଡ଼ିବନି । ସରକାରୀ ସ୍କୁଲ ଶିକ୍ଷାକୁ ନେଇ ପ୍ରଥମ କରି ରାଜ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ୫ମ, ୬ଷ୍ଠ, ୭ମ, ୮ମ ଓ ୧୦ମ ଶ୍ରେଣୀର ଗଣିତ ଓ ବିଜ୍ଞାନ ପାଠ୍ୟକ୍ରମ ଅପ୍ଲୋଡ୍ ହୋଇଛି ।