close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ରାଜଧାନୀରେ ମହୁଲି କ୍ରେଜ୍, ମିଳୁଛି ମହୁଲି ବ୍ୟବହୃତ ଛତୁ ବିସ୍କୁଟ

ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ମହିଳା ମାନେ ରାଜଧାନୀରେ ଦେଖାଉଛନ୍ତି ଦେଶି ମହୁଲି ମଦ ପ୍ରସ୍ତୁତ କରିବାର ଡେମୋ । ବିଶେଷ କରି ମହିଳା ଆଦିବାସୀଙ୍କ ଜୀବିକା ଓ ଅର୍ଥଉପାର୍ଜନ କରିବାର ମାଧ୍ୟମ ଭାବେ ଜଣାଶୁଣା ଏହି ମହୁଲିକୁ କିପରି ପ୍ରସ୍ତୁତ କରିଥାନ୍ତି ତାହା କେବଳ ପ୍ରଦର୍ଶନ କରିବା ଏହାର ଉଦ୍ଦେଶ୍ୟ । 

ରାଜଧାନୀରେ ମହୁଲି କ୍ରେଜ୍, ମିଳୁଛି ମହୁଲି ବ୍ୟବହୃତ ଛତୁ ବିସ୍କୁଟ

ଭୁବନେଶ୍ୱର, ଶାନ୍ତସ୍ୱରୂପ ରାଉତ : ରାଜଧାନୀରେ  ଦେଖାଯାଇଛି ମହୁଲିର କ୍ରେଜ୍ । ନିଶା ନୁହେଁ ପେଶାର ଦେଶି ଦାରୁ – ମହୁଲି । ଆଜ୍ଞା ହଁ ଆମେ ମହୁଲି ମଦ’ ନିଶା କଥା କହୁନୁ ବରଂ ସେହି ଆଦିବାସୀଙ୍କ ଜୀବନଜୀବିକାର ମାଧ୍ୟମ ସାଜିଥିବା ମହୁଲି କଥା କହୁଛୁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ୱର  ସ୍ଥିତ ଜନତା ମଇଦାନରେ ଚାଲିଥିବା ‘ଆଦି ମହୋସ୍ତ୍ରବ’ରେ ଖୋଲିଛି ଆଦିବାସୀ ମହୁଲି ପ୍ରସ୍ତୁତ ଶାଖା । ଯେଉଁଠାରେ ସୁଦୂର ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ମହିଳା ମାନେ ରାଜଧାନୀରେ ଦେଖାଉଛନ୍ତି ଦେଶି ମହୁଲି ମଦ ପ୍ରସ୍ତୁତ କରିବାର ଡେମୋ । ବିଶେଷ କରି ମହିଳା ଆଦିବାସୀଙ୍କ ଜୀବିକା ଓ ଅର୍ଥଉପାର୍ଜନ କରିବାର ମାଧ୍ୟମ ଭାବେ ଜଣାଶୁଣା ଏହି ମହୁଲିକୁ କିପରି ପ୍ରସ୍ତୁତ କରିଥାନ୍ତି ତାହା କେବଳ ପ୍ରଦର୍ଶନ କରିବା ଏହାର ଉଦ୍ଦେଶ୍ୟ । ଆଧୁନିକ ସମାଜରେ ଆଦିବାସୀଙ୍କ କଳାସଂସ୍କୃତି, ଜୀବନଜୀବିକା ଓ ଜୀବନଯାପନ ଶୌଳି ହଜିଯାଉଥିବା ବେଳେ ଏହାକୁ ଉଜ୍ଜିବୀତ ରଖିବାର ଏହା ଏକ ମାଧ୍ୟମ ।

ଉପକରଣ ଭାବେ ଗୋଟିଏ ସିଲଭର ହାଣ୍ଡି, ବାଉଁଶ ପାଇପ ଓ ପାଣି ବଟଲ ସାହାଯ୍ୟରେ ସହଜରେ ମହୁଲି ପ୍ରସ୍ତୁତ କରୁଛନ୍ତି ସେମାନେ । ଗଛରୁ ମହୁଲି ଆଣି ସେଥିରେ ବିଭିନ୍ନ ଚେରମୂଳି ଓ ଜଡିବୁଟି ସହ ପାଣିରେ ୫ରୁ ୬ ଦିନ ଭିଜାଇବା ପରେ ଗରମ କରି ସେଥିରୁ ନିର୍ଗତ ବାଷ୍ପକୁ ଥଣ୍ଡା କରି ମହୁଲି ପ୍ରସ୍ତୁତ କରୁଥିବା ସୁନ୍ଦରଗଡରୁ ଆସିଥିବା ପାନାତି ତିର୍କୀ କହିଛନ୍ତି । ତେବେ ୮୦ ଭାଗ ମହିଳା ଆଦିବାସୀ ଅର୍ଥଉପାର୍ଜନ ଲାଗି ମହୁଲି ମଦ ପ୍ରସ୍ତୁତ ଉପରେ ନିର୍ଭର କରୁଥିବା ବେଳେ ଏହାର ଦୂରୂପଯୋଗ ଓ ଅପବ୍ୟବହାର ହେତୁ ଶିକ୍ଷିତ ସମାଜରେ ଏହାର ବ୍ୟବହାର ଲୋପପାଇବାକୁ ବସିଲାଣି । କିନ୍ତୁ କେବଳ ଏମାନଙ୍କ ଜୀବିକାର ମାଧ୍ୟମକୁ ସହରବାସୀଙ୍କ ଆଗରେ ନିଦର୍ଶନ କରିବା ଉଦ୍ଦେଶ୍ୟରେ ଏପରି ପ୍ରଦର୍ଶନ କରୁଥିବା ଏହାର ପ୍ରଦର୍ଶନକାରୀ ସୁଧିର ପାଲ୍ କହିଛନ୍ତି । କେବଳ ମଦ ନୁହେଁ ମହୁଲିରୁ ବିଭିନ୍ନ ଔଷଧ ମଧ୍ୟ ପ୍ରସ୍ତୁତ ହେଉଥିବା ସେ କହିଛନ୍ତି ।

ଅନ୍ୟପଟେ ମହୁଲିକୁ ବ୍ୟବହାର କରି ବିସ୍କୁଟ ମଧ୍ୟ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ରରୁ ଆସିଥିବା ଜଣେ ଆଦିବାସୀ ସୁନିଲ ଟେକମ୍ ସ୍ୱତନ୍ତ୍ର ଛତୁ ବିସ୍କୁଟ ବିକ୍ରି କରୁଥିବା ବେଳେ ଏଥିରେ ଏକ ଫ୍ଲେଭର ଭାବେ ମହୁଲିକୁ ବ୍ୟବହାର କରିଛନ୍ତି । ଏହାସହ ବାଜରା, ଅଟା ଆଦିର ସମ୍ରିଶଣରେ ପ୍ରସ୍ତୁତ ଏହି ବିସ୍କୁଟ୍ ର ଦାମ ରହିଛି ପ୍ୟାକ୍ଟ ପିଛା ୪୫ ଟଙ୍କା । ଯାହା ରଜଧାନୀବାସୀ ବେଶ ପସନ୍ଦ କରିଛନ୍ତି । ତେବେ ବିଶ୍ୱରେ ଏହା ପ୍ରଥମ ‘ମସରୁମ୍ ବିସ୍କୁଟ’ ବୋଲି ସେ ଦାବୀ କରିଛନ୍ତି । 

ସୂଚନାଯୋଗ୍ୟ ଜନତା ମଇଦାନରେ ଆୟୋଜିତ ଏହି ମହୋସ୍ତ୍ରବ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପୂର୍ବାହ୍ନ ୧୧ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲାରହୁଛି । ଯେଉଁଥିରେ ଓଡ଼ିଶା ସମେତ ୨୦ଟି ରାଜ୍ୟରୁ ଯୋଗ ଦେଇଥିବା ବିଭିନ୍ନ ଆଦିବାସୀ ସଂପ୍ରଦାୟର ଲୋକେ ସେମାନଙ୍କ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିପଣନ କରୁଛନ୍ତି ।