ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି : ଜାଣନ୍ତୁ ପୁରାଣ ଓ ଶାସ୍ତ୍ରରେ କୁହାଯାଇଥିବା ୭ଟି ମହତ୍ତ୍ୱ

ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର କ'ଣ ରହିଛି ମହତ୍ତ୍ୱ...

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି : ଜାଣନ୍ତୁ ପୁରାଣ ଓ ଶାସ୍ତ୍ରରେ କୁହାଯାଇଥିବା ୭ଟି ମହତ୍ତ୍ୱ
ଡିଜାଇନ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ମକର ରାଶିରେ ସୂର୍ଯ୍ୟର ପ୍ରବେଶକୁ ମକର ସଂକ୍ରାନ୍ତି କୁହାଯାଏ । ଶାସ୍ତ୍ରରେ ଉତ୍ତରାୟଣ ଅବଧିକୁ ଦେବତାଙ୍କ ଦିନ ଓ ଦକ୍ଷିଣାୟନକୁ ରାତ୍ରି କୁହାଯାଏ । ଏହି ଦିନ ଦାନ, ଧର୍ମ, ଜପ ଓ ତପର ଆଧ୍ୟାତ୍ମିକ ବିଶେଷତ୍ତ୍ୱ ରହିଛି । ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର କ'ଣ ରହିଛି ମହତ୍ତ୍ୱ ।

  1. ବିଷ୍ଣୁ ପୁରାଣ ଅନୁସାରେ ମକର ସଂକ୍ରାନ୍ତି ଦିନ ପିତୃପୁରୁଷଙ୍କୁ ତର୍ପଣ ପ୍ରଦାନ କରାଯାଇଥାଏ । ଏଥିପାଇଁ ୬ଟି ନୀତି ଅବଲମ୍ବନ କରାଯାଏ । ସକାଳେ ତିଳ ମିଶ୍ରିତ ଜଳରେ ସ୍ନାନ, ତିଳ ଦାନ, ବିନା ତିଳରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ, ଜଳରେ ତିଳ ଅର୍ପଣ, ତିଳରେ ଆହୁତି ଏବଂ ତିଳରେ ପ୍ରସ୍ତୁତ ଟିକା ଲଗାଯାଇଥାଏ । ଏଭଳି କରୁଥିବା ବ୍ୟକ୍ତିଙ୍କୁ ପିତୃପୁରୁଷଙ୍କ ଆର୍ଶିବାଦ ସଦା ସର୍ବଦା ମିଳିଥାଏ ।
  2. ରାଜା ଭଗୀରଥ ସୂର୍ଯ୍ୟବଂଶୀ ଥିଲେ । ତପସ୍ୟା ବଳରେ ଗଙ୍ଗାଙ୍କୁ ପୃଥିବୀକୁ ଆଣି ପାରିଥିଲେ ସୂର୍ଯ୍ୟବଂଶୀ । ଫଳରେ କପିଳ ମୁନିଙ୍କ ଅଭିଶାପରୁ ନିଜର ୬୦ ହଜାର ପୂର୍ବଜଙ୍କୁ ଶାପମୁକ୍ତ କରି ମୋକ୍ଷ ପ୍ରଦାନ କରିଥିଲେ ଭାଗୀରଥ । ଗଙ୍ଗାଜଳ, ଚାଉଳ ଓ ତିଳରେ ଶ୍ରାଦ୍ଧ ମଧ୍ୟ କରିଥିଲେ । ସେବେଠାରୁ ମାଘ ମାସ ମକର ସଂକ୍ରାନ୍ତିରେ ସ୍ନାନ ଓ ତିଳ ପ୍ରଦାନର ଧାରା ଚାଲିଆସିଛି ।
  3. ଶାସ୍ତ୍ର ଅନୁସାରେ ଯେଉଁ ଦିନ କପିଳ ମୁନିଙ୍କ ଆଶ୍ରମକୁ ଗଙ୍ଗା ଆସିଥିଲେ, ସେହି ଦିନ ମକର ସଂକ୍ରାନ୍ତି ପଡ଼ିଥିଲା । କପିଳ ମୁନି ଆର୍ଶିବାଦ ସ୍ୱରୂପ ପୃଥିବୀବାସୀ ଗଙ୍ଗାରେ ସ୍ନାନ କଲେ ପାପ କ୍ଷୟ ଏବଂ ମୋକ୍ଷ ମିଳିବ ବୋଲି କହିଥିଲେ ।
  4. ମହାଭାରତରେ ସୂର୍ଯ୍ୟର ଉତ୍ତରାୟଣ ହେବା ମାତ୍ରେ ହିଁ ଭୀଷ୍ମ ପିତାମହ ସ୍ୱଇଚ୍ଛାରେ ଶରୀର ତ୍ୟାଗ କରିଥିଲେ । ଭୀଷ୍ମଙ୍କ ଶ୍ରାଦ୍ଧ, ସଂସ୍କାର ମଧ୍ୟ ସୂର୍ଯ୍ୟଙ୍କ ଉତ୍ତରାୟଣରେ ହୋଇଥିଲା । ଉତ୍ତରାୟଣରେ ପ୍ରାଣତ୍ୟାଗ କରିଥିବା ବ୍ୟକ୍ତିଙ୍କୁ ମୋକ୍ଷ ମିଳିଥାଏ । ଜନ୍ମ-ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଯାଏ ମାନବ ।
  5. ମହିଷାସୁର ବଧ ପାଇଁ ମା ଦୁର୍ଗା ମକର ସଂକ୍ରାନ୍ତି ଦିନ ଧରିତ୍ରୀରେ ପଦାର୍ପଣ କରିଥିଲେ । ଦେବୀ ପୁରାଣରେ ବର୍ଣ୍ଣିତ ଅଛି ଯେ, ଯେଉଁ ବ୍ୟକ୍ତି ମକର ସଂକ୍ରାନ୍ତିରେ ସ୍ନାନ କରି ନଥାଏ, ସର୍ବଦା ରୋଗ, ଦୁଃଖ ଓ ନିର୍ଦ୍ଧନ ହୋଇଥାଏ । 
  6. ମକର ସଂକ୍ରାନ୍ତି ଦିନ ଭଗବାନ ବିଷ୍ଣୁ ମଧୁ-କୈଟବଙ୍କ ସହ ଯୁଦ୍ଧ ଘୋଷଣାର ପରି ସମାପ୍ତି କରିଥିଲେ । ଭଗବାନ ମଧୁ ନାମକ ରାକ୍ଷାସର କାନ୍ଧରେ କନ୍ଦର ପର୍ବତ ରଖି ପାତାଳଗାମୀ କରାଇଥିଲେ । ଏଥିପାଇଁ ଭଗବାନ ବିଷ୍ଣୁ ମଧୁସୂଦନ ନାମରେ ଖ୍ୟାତ ।
  7. ପୌରାଣିକ ମତାନୁସାରେ ସୂର୍ଯ୍ୟଦେବ ମକର ସଂକ୍ରାନ୍ତିରେ ପୁତ୍ର ଶନିଙ୍କ ଘରକୁ ଯାଆନ୍ତି । ଏହି ଦିନ ତୀର୍ଥସ୍ଥଳ, ଦେବାଳୟରେ ଦେବ ଦର୍ଶନ, ପବିତ୍ର ନଦୀରେ ସ୍ନାନ ପରମ୍ପରା ରହିଛି । ଏହା ସହିତ ଏହି ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ, ଭାଗ୍ୟ ଚମକି ଉଠିଥାଏ ।

ଆହୁରି ପଢ଼ନ୍ତୁ; ମାଗଣା ସ୍କିମ୍ ବନାମ ଆତ୍ମସମ୍ମାନ କାର୍ଡ