ଜାଣନ୍ତୁ ବିଧାନସଭାର ଆଜିର ଅଧିବେଶନରେ କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥଲା

ପ୍ରଶ୍ନକାଳ ଓ ଶୂନ୍ୟକାଳ ସୁରୁଖୁରୁରେ ଚାଲିବା ପରେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ଆସିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିଲେ ଏବଂ ଏହା ଉପରେ ୨ ଘଣ୍ଟା ଧରି ଗୃହରେ ଆଲୋଚନା ମଧ୍ୟ ହୋଇଥିଲା

ଜାଣନ୍ତୁ ବିଧାନସଭାର ଆଜିର ଅଧିବେଶନରେ କେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥଲା
file photo

ଯଯାତି ମହାନ୍ତି, ଭୁବନେଶ୍ୱର: ଶୀତ ଅଧିବେଶନ ଆରମ୍ଭରୁ ସ୍ମିତାରାଣୀ ପ୍ରସଙ୍ଗରେ ଗୃହ ଭିତରେ ଓ ଗୃହ ବାହାରେ ପ୍ରତିବାଦ କରୁଥିବା ଭାରତୀୟ ଜନତା ପାର୍ଟି ଆଜି ଗୃହ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସ୍ୱାଭାବିକ ହୋଇଛି ଗୃହର କାର୍ଯ୍ୟଧାରା । ପ୍ରଶ୍ନକାଳ ଓ ଶୂନ୍ୟକାଳ ସୁରୁଖୁରୁରେ ଚାଲିବା ପରେ ଧାନ କିଣା ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ଆସିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିଲେ ଏବଂ ଏହା ଉପରେ ୨ ଘଣ୍ଟା ଧରି ଗୃହରେ ଆଲୋଚନା ମଧ୍ୟ ହୋଇଥିଲା । ଗତକାଲି ବିରୋଧି ଦଳ ନେତାଙ୍କୁ ନ ଶୁଣି ଗୃହକୁ ମୁଲତବୀ କରିଥିବାରୁ ବାଚସ୍ପତି ମଧ୍ୟ ନିଜ ଭୁଲ ବୁଝିଛନ୍ତି । ପ୍ରଶ୍ନକାଳରେ ପାଇପ୍ ଜଳ ଯୋଗାଣ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଚାଷୀଙ୍କ ଧାନକିଣାରେ ଟୋକନ୍ ବ୍ୟବସ୍ଥାକୁ ବିଜେପି ଓ କଂଗ୍ରେସ ବିରୋଧ କରିଥିଲେ ବି ସରକାର କହିଛନ୍ତି, ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ହେବ ନାହିଁ କିନ୍ତୁ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଖୁବ୍ ଶୀଘ୍ର ସଜଡ଼ା ଯାଇ ଧାନକିଣାକୁ ତ୍ୱରାନିତ କରାଯିବ ।
ଆଜି ଗୃହ ଥିଲା ସମ୍ପୂର୍ଣ୍ଣ ସ୍ୱାଭାବିକ । ପ୍ରଶ୍ନକାଳ ପରେ ଶୂନ୍ୟକାଳ ବି ସୁରୁଖୁରୁରେ ଚାଲିଲା । ବିଜେପି ପକ୍ଷରୁ ଧାନକିଣା ପ୍ରସଙ୍ଗରେ ଆସିଥିବା ମୁଲତବୀ ଉପରେ ବି ଜୋରଦାର୍ ଆଲୋଚନା ହେଲା । 
ଗତକାଲି ବାଚସ୍ପତି ବିରୋଧି ଦଳ ନେତାଙ୍କ କଥା ନ ଶୁଣି ଗୃହ ମୁଲତବୀ କରିଥିବାରୁ ବିଜେପି ଗୃହ ବର୍ଜନ କରିବ ବୋଲି ଘୋଷଣା କରିଥିଲା । ହେଲେ ସବୁ କିଛି ମ୍ୟାନେଜ୍ ହୋଇଯାଇଥିଲା । ପ୍ରଶ୍ନକାଳ ପରେ ବାଚସ୍ପତି ବି ନିଜ ଭୁଲ ସ୍ୱୀକାର କରି ସ୍ଥିତିକୁ ଆହୁରି ସ୍ୱାଭାବିକ କରିଦେଲେ । ପ୍ରଶ୍ନକାଳରେ ଗାଁ ଓ ସହରକୁ ପାଇପ ଯୋଗେ ଜଳ ଯୋଗାଣ ନେଇ ସରଗରମ ଆଲୋଚନା ହେଲା । ରାଜ୍ୟରେ ଇକୋ ଟୁରିଜମ୍ କଥା ବି ଉଠିଲା । ରାଜ୍ୟରେ ଥିବା ମୋଟ ୪୭ ହଜାର ୩୬୬ଟି ଗାଁ ମଧ୍ୟରୁ ୧୯ହଜାର ୫୦୪ ଗାଁକୁ ପାଇପ୍ ଜଳ ଯୋଗାଣ କାର୍ଯ୍ୟକ୍ରମ ଚାଲିଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ସହରାଞ୍ଚଳରେ ଏବଂ ୨୦୨୪ ସୁଦ୍ଧା ସବୁ ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଗତ ୫ବର୍ଷରେ ଏଥିପାଇଁ ୧୭ ହଜାର ୩୭୨କୋଟି ଟଙ୍କା ଖର୍ଚ୍ଚ ହେଲାଣି ।

ପ୍ରଶ୍ନକାଳ ଓ ଶୂନ୍ୟକାଳ ସ୍ୱାଭାବିକ ହେବା ପରେ ବିଜେପି ପକ୍ଷରୁ ଧାନକିଣାରେ ଅବ୍ୟବସ୍ଥା ନେଇ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ବି ଆଲୋଚନା ହେଲା । ଜିଲ୍ଲାସ୍ତରୀୟ ବଦଳରେ ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥା ଯୋଗୁଁ ଚାଷୀମାନେ କିପରି ଧାନ ବିକ୍ରୀରୁ ବଞ୍ଚିତ ହେଉଛନ୍ତି ସେକଥା ବିରୋଧି କଂଗ୍ରେସ ଓ ବିଜେପି ଗୃହରେ ଉଠାଇଥିଲେ । ୧୫ତାରିଖରୁ ସରକାରୀ ଭାବେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ବି ୫ ଦିନ ହେଲାଣି ଟୋକନ୍ ବ୍ୟବସ୍ଥା ଯୋଗୁଁ ଧାନ କିଣା ହୋଇ ପାରୁନାହିଁ । ମୁଲତବୀ ପ୍ରସ୍ତାବର ଉତ୍ତରରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାନ କିଣାରେ ଉପୁଜିଥିବା ସମସ୍ୟାକୁ ସ୍ୱୀକାର କରିଛନ୍ତି । ହେଲେ ବିରୋଧିଙ୍କ ଦାବି ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ସହ ସହମତ ହୋଇନାହାନ୍ତି । ସ୍ୱଚ୍ଛତା ପାଇଁ ଏପରି ବ୍ୟବସ୍ଥା ହୋଇଛି ଏବଂ ଧିରେ ଧିରେ ସମସ୍ୟା ସୁଧୁରିବ ବୋଲି ବିଭାଗୀୟ ମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଇଛନ୍ତି ।