ଭୁବନେଶ୍ୱର: ଆସୁଛି ବଡ଼ ବନ୍ୟା। ମହାନଦୀ (Mahanadi) ର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଫୁଲୁଛି ମହାନଦୀ। ମହାନଦୀ ସହିତ ବୁଢାବଳଙ୍ଗ (Budhabalang), ବୈତରଣୀ (Baitarani) ଆଦି ନଦୀ ଗୁଡ଼ିକ ମଧ୍ୟ ଉଗ୍ର ରୂପ ନେଉଛି। ବନ୍ଧବାଡ଼ ଭାଙ୍ଗି ବନ୍ୟାଜଳ (Flood Water) ପଶିଛି। ଆଜି ସକାଳ ସୁଦ୍ଧା ଆଜି ଉପରମୁଣ୍ଡରେ ୨୦୦ ମିମି ବର୍ଷା ହୋଇଛି। ଯାହା ଫଳରେ ହୀରାକୁଦ (Hirakud) ନଦୀବନ୍ଧକୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା (Pradeep Jena) ସୂଚନା ଦେଇଛନ୍ତି।
କମିଶରନ ସୂଚନା ଦେଇ କହିଛନ୍ତି କି, ଅପରାହ୍ଣ ୩ଟା ସୁଦ୍ଧା ହୀରାକୁଦର ମୋଟ ୩୮ଟି ଗେଟ ଦେଇ ବନ୍ୟା ଜଳ (Flood Water) ନିଷ୍କାସିତ ହେଉଛି। ହୀରାକୁଦରୁ ମୋଟ ୮ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ତାହା ମୁଣ୍ଡଳୀ (Mundali) ରେ ପହଞ୍ଚିବା ପାଇଁ ୩୬ ଘଣ୍ଟା ସମୟ ଲାଗିବ। ତେବେ ତଳମୁଣ୍ଡରେ ଥିବା ବନ୍ୟାଜଳର ପରିମାଣ ମିଶିବା ପରେ ମୁଣ୍ଡଳୀରେ ପ୍ରାୟ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଫଳରେ ମହାନଦୀର ତଳମୁଣ୍ଡରେ ଥିବା ୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ବୋଲି କମିଶନର ସୂଚନା ଦେଇଛନ୍ତି।
ସେପଟେ ହୀରାକୁଦରେ କଲମା (Kalma) ରୁ ୫ ଲକ୍ଷ, ଇବ (Ib) ଓ ଭେଡ଼େନ (Bheden)ରୁ ଅଢେଇ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି। ଦିନ ୩ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୫।୨୯ ଫୁଟ ରହିଥିବା ବେଳେ ୬,୯୦,୧୧୮ କ୍ୟୁସେକ ଜଳ ନଦୀବନ୍ଧ (Hirakud Dam) କୁ ପ୍ରବେଶ କରିଛି। ୧୦।୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି, ୩୬ ଘଣ୍ଟା ମଧ୍ୟରେ ମୁଣ୍ଡଳୀ ନିକଟରେ ଏହି ବନ୍ୟା ଜଳ ପହଞ୍ଚିବ। ପୁରୀ (Puri), କଟକ (Cuttack), ଜଗତସିଂହପୁର (Jagatsinghpur), ନୟାଗଡ଼ (Nayagarh) ଓ ଯାଜପୁର (Jajpur) ଜିଲ୍ଲା ପ୍ରତି ସତର୍କ ସୂଚନା ଜାରି କରାଯାଇଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।
ସେପଟେ ରାଜ୍ୟରେ ବିଗତ କିଛି ଦିନ ଧରି ଲଗାଣ ବର୍ଷା କାରଣରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଷ୍ଟି ହୋଇଛି। ଯାଜପୁର (Jajpur), କେନ୍ଦ୍ରାପଡ଼ା (Kendrapara), ବାଲେଶ୍ୱର (Balasore), ଖୋର୍ଦ୍ଧା (Khorda) ଆଦି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ (Bhadrak)ରେ ବିଭିନ୍ନ ସ୍ଥାନରେ ଲୋକ ଭାସି ଯାଇଥିବା ବେଳେ ଅଗ୍ନିଶମ ବିଭାଗ (Fire Department) ଦ୍ୱାରା ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ଭଦ୍ରକରେ ବନ୍ୟାରେ ଭାସିଯାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେହିଭଳି ଯାଜପୁର (Jajpur)ର ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିଛି।
ତେବେ ବନ୍ୟା ଜଳ ପ୍ରବେଶ କରିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅତ୍ୟନ୍ତ ଦୁଃଖଦ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଭଦ୍ରକରେ ବନ୍ୟା ଜଳ ମଧ୍ୟରେ ଲୋକ ଅଟକି ରହିଥିବା ବେଳେ କଦଳୀ ଭେଳା ମାଧ୍ୟମରେ ସୁରକ୍ଷିତ ସ୍ଥାନକୁ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲାରୁ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛି। ସାଲେପୁର ଅଞ୍ଚଳରେ ବିରୁପା ନଦୀର ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ରହିଛି।