)
ଭୁବନେଶ୍ୱରେ: ରାଜ୍ୟରେ ଆଜି ଆଉ ୬ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ବିଭାଗ ଦେଇଥିବା ସୂଚନା ମୁତାବକ ୬ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି।
କେନ୍ଦ୍ରାପଡ଼ା ଓ ରାୟଗଡ଼ାରେ କୋରୋନା ଜନିତ ପ୍ରଥମ ମୃତ୍ୟୁ ଘଟଣା। ଉଭୟ ଜିଲ୍ଲାରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି। ସେହିପରି ଗଞ୍ଜାମରେ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରେ ଜଣକର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ମୃତକଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡ଼ିଛି। ସେହିପରି ରାୟଗଡ଼ାରେ ମୃତକଙ୍କ ବୟସ ୮୦ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ମୃତକଙ୍କ ବୟସ ୪୯ ବର୍ଷ। ସେହିପରି ଗଞ୍ଜାମରେ ମୃତକଙ୍କ ବୟସ ୫୦,୫୬ ଓ ୬୪ ବୋଲି ସୂଚନା ରହିଛି।
ସେପଟେ ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ମାମଲା ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ନିକଟତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ରାଜ୍ୟରେ ଉଭୟ କୋରୋନା ସଂକ୍ରମିତ ଓ ମୃତକଙ୍କ ତାଲିକା ଶୀର୍ଷରେ ରହିଛି ଗଞ୍ଜାମ।