)
ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଚା ମଧ୍ୟରେ ୬୧୮ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। ଧୀରେଧୀରେ ଉଗ୍ର ରୂପ ନେବାରେ ଲାଗିଛି ଏହି ମାମଲା। ପୂର୍ବରୁ ଗଞ୍ଜାମରେ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଖୋର୍ଦ୍ଧାରେ ମଧ୍ୟ ମାତ୍ରାଧିକ ଭାବେ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି।
ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୬୧୮ଟି ମାମଲା ମଧ୍ୟର ୪୧୧ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିଭଳି ସ୍ଥାନୀୟ ମାମଲା ୨୦୭ଟି ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୮୯୮ରେ ପହଞ୍ଚିଛି। ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୪୯୩୩ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୬୦୯ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।
ସେପଟେ ୨୨ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେବ ଜିଲ୍ଲାରୁ ସବୁଠାରୁ ଅଧିକ ସାମ୍ନାକୁ ଆସିଛନ୍ତି। ଆଜି ସର୍ବାଧିକ ୨୮୬ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେପଟେ ଖୋର୍ଦ୍ଧାରେ ମଧ୍ୟ ରେକର୍ଡ ଭାଙ୍ଗିଛି।
ସେହିପରି ଅନୁଗୋଳରୁ ୧୪ ଜଣ, ବାଲେଶ୍ୱରରୁ ୬୧ଜଣ, ଭଦ୍ରକ, ଝାରସୁଗୁଡ଼ା, କୋରାପୁଟ, ରାୟଗଡ଼ାରୁ ଜଣେ ଲେଖାଏଁ, ବଲାଙ୍ଗୀର, ବୌଦ୍ଧ ଓ ଢେଙ୍କାନାଳରୁ ଦୁଇ ଜଣ ଲେଖାଏଁ, କଟକରୁ ୧୬ ଜଣ, ଜଗତସିଂହପୁରରୁ ୨୬ ଜଣ, ଯାଜପୁରରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୯ ଜଣ, କେନ୍ଦୁଝରରୁ ୫ ଜଣ, ଖୋର୍ଦ୍ଧାରୁ ୧୦୭ ଜଣ, ମାଲକାନଗିରିରୁ ୧୩ ଜଣ, ମୟୂରଭଞ୍ଜରୁ ୨୧ ଜଣ, ନୟାଗଡ଼ରୁ ୧୫ ଜଣ, ପୁରୀରୁ ୫ ଜଣ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୧୫ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।