ସରି ଆସୁଛି ଦିନ, ବଢି ଚାଲିଛି ଆରଟିଓ ଅଫିସରେ ଭିଡ

ଆଉ ଚାରି ଦିନ ପରେ ରାଜ୍ୟରେ ହେବ ଜୋରଦାର ପରିବହନ ଓ ଟ୍ରାଫିକ୍ ଚେକିଂ । ଏଥି ପାଇଁ ଗାଡି ଚାଳକ ଓ ମାଲିକଙ୍କ ମୁଣ୍ଡରେ ଚଡକ ପଡିବା ଆରମ୍ଭ ହେଲାଣି

ସରି ଆସୁଛି ଦିନ, ବଢି ଚାଲିଛି ଆରଟିଓ ଅଫିସରେ ଭିଡ
ସୌଜନ୍ୟ: ସୋସିଆଲ ମିଡିଆ

ରାଜେଶ କୁମାର ସାମନ୍ତରାୟ, ଭୁବନେଶ୍ୱର: ସରି ସରି ଆସୁଛି ଦିନ । ଆଉ ଚାରି ଦିନ ପରେ ରାଜ୍ୟରେ ହେବ ଜୋରଦାର ପରିବହନ ଓ ଟ୍ରାଫିକ୍ ଚେକିଂ । ଏଥି ପାଇଁ ଗାଡି ଚାଳକ ଓ ମାଲିକଙ୍କ ମୁଣ୍ଡରେ ଚଡକ ପଡିବା ଆରମ୍ଭ ହେଲାଣି । ମାସେ ଧରି ଫାଙ୍କା ପଡିଥିବା ଆରଟିଓ ଅଫିସରେ ପୁଣି ଜମିଲାଣି ଅସମ୍ଭାଳ ଭିଡ । ସ୍ଥିତି ଏପରି ହେଲାଣି ଯେ ଲାଇସେନ୍ସ ନେବାକୁ ଆରଟିଓ କେନ୍ଦ୍ରରେ ଯୁବତୀ ଯୁବତୀ ମାରପିଟ୍ ହୋଇ ଲହୁ ଲୁହାଣ ହେଲେଣି । ସେପଟେ ଟ୍ରାଫିକ୍ ଡିସିପି ସଫା ସଫା କହିଛନ୍ତି ଏକ ତାରିଖରୁ ହେବ ଜୋରଦାର ଚେକିଂ 

ସରି ଆସୁଛି ଦିନ, ବଢି ଚାଲିଛି ଭିଡ, ସମ୍ଭାଳି ହେଉନି ଲୋକଙ୍କ ଧା଼ଡି । ସ୍ଥିତି ଏପରି ହେଲାଣି ଯେ ସକାଳ ୬ ରୁ ସଂଧ୍ୟା ୬ ଯାଏ ଆରଟିଓ ଅଫିସ ଆଗରୁ ଭିଡ କମିବାର ନାଁ ଧରୁନାହିଁ । ଏ ଦୃଶ୍ୟ ହେଉଛି ପରିବହନ ଭବନରେ ଖୋଲା ଯାଇଥିବା ଆରଟିଓ ଅଫିସର ଟ୍ରାନ୍ ଜିଟ୍ କାର୍ଯ୍ୟାଳୟର । ଯେଉଁଠି ଲାଇସେନ୍ସ ନେବା ପାଇଁ ଭିଡ ଜମାଇଛନ୍ତି ଗାଡି ଚାଳକ ।  ଲାଇସେନ୍ସଟିଏ ପାଇବା ପାଇଁ ସ୍ଥିତି ଏପରି ହୋଇଛି ଯେ ଆଜି ୪ ଜଣ ଯୁବତୀ ସର୍ବସମ୍ମୁଖରେ ହାତାହାତି ହୋଇଛନ୍ତି । ସମସ୍ତଙ୍କ ଆଗରେ ମାରପିଟ୍ ହେବା ସହ ଲହୁ ଲୁହାଣ ହୋଇଛନ୍ତି । ଶେଷରେ ପରିସ୍ଥିତି ସମ୍ଭାଳିବା ପାଇଁ ପୋଲିସ ପହଞ୍ଚି, ଯୁବତୀଙ୍କୁ ବୁଝାସୁଝା କରିଛି । ଏଥିରେ ଜଣେ ଯୁବତୀ ଆହତ ହୋଇଛନ୍ତି । 

ସେପଟେ କଟକ ଭୁବନେଶ୍ବର କମିସନରେଟ୍ ପୋଲିସର ଟ୍ରାଫିକ୍ ଡିସିପି ସଫା ସଫା ଜଣାଇ ଦେଇଛନ୍ତି ଯେ ଡିସେମ୍ବର ଏକରୁ ହେବ ଜୋରଦାର ଚେକିଂ । ୩  ମାସର ଅବଧି ଶେଷ ହେବା ପରେ କଡାକଡି ହେବ କଟକଣା । ବିନା ହେଲମେଟ, ଲାଇସେନ୍ସ, ଟ୍ରିପଲ ରାଇଡ, ମଦ ପି ଗାଡି ଚଲାଇବା, ସିଟ୍ ବେଲ୍ଟ ନ ପିନ୍ଧିବା ଓ ଗାଡି ଚଲାଇବା ବେଳେ ଫୋନରେ କଥା ହେବା ବାବଦରେ କରାଯିବ ଚେକିଂ ।