ଆଜି ଠାରୁ ସାରା ରାଜ୍ୟର କଡାକଡି ହେଲା ଟ୍ରାଫିକ ନିୟମ

ପ୍ରଥମ ଦିନରେ ଜୋରଦାର ହଟହଟା । କେଉଁଠି ବିନା ହେଲମେଟ ପାଇଁ ତ ଆଉ କେଉଁଠି ଭୁଲ ରୁଟରେ ଯାଇ ଗାଡି ଚାଳକ ଧରା ପଡିଛନ୍ତି । ଛୋଟ ମୋଟ ଭୁଲର ବି କ୍ଷମା ମିଳୁ ନାହିଁ । 

ଆଜି ଠାରୁ ସାରା ରାଜ୍ୟର କଡାକଡି ହେଲା ଟ୍ରାଫିକ ନିୟମ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ କଡାକଡି ଲାଗୁ ହୋଇଛି ସଂଶୋଧିତ ପରିବହନ ନିୟମ । ଖାସ୍ କରି ଟ୍ରାଫିକ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ଏହି ନିୟମକୁ କଡକାଡି ଭାବେ ଲାଗୁ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଜୋରଦାର ଚେକିଂ ଜାରି ରହିଛି । ପ୍ରଥମ ଥର ପାଇଁ ଆଇନ ଉଲଙ୍ଘନକାରୀଙ୍କୁ ଚିହ୍ନଟ କରିବା ପାଇଁ TVDS system ବ୍ୟବହାର କରାଯାଇଛି । ଏହା ଦ୍ୱାରା ଅଟୋମେଟିକ୍ ଚାଲାଣ କଟାଯିବ । ସେପଟେ ପ୍ରଥମ ଦିନରେ ଅନେକ ଗାଡି ଚାଳକ ନୂଆ ନୟମ ପାଇଁ ହଟହଟା ହୋଇଛନ୍ତି ।

ପ୍ରଥମ ଦିନରେ ଜୋରଦାର ହଟହଟା । କେଉଁଠି ବିନା ହେଲମେଟ ପାଇଁ ତ ଆଉ କେଉଁଠି ଭୁଲ ରୁଟରେ ଯାଇ ଗାଡି ଚାଳକ ଧରା ପଡିଛନ୍ତି । ଛୋଟ ମୋଟ ଭୁଲର ବି କ୍ଷମା ମିଳୁ ନାହିଁ । ଯିଏ ନିୟମ ଭାଙ୍ଗିଛନ୍ତି ସିଏ ତଣ୍ଡ ଗଣୁଛନ୍ତି । ଏପରି ଦୃଶ୍ୟ ହେଉଛି ରାଜଧାନୀ ଭୁବନେଶ୍ୱରରେ ଦେଖା ଦେଇଛି । ପ୍ରତି ଛକରେ ଟ୍ରାଫିକ ଚେକିଂ ଚାଲିଛି । ସେପଟେ ରୂପାଲୀ ଛକରେ ଆଇନ ଉଲଙ୍ଘନକାରୀଙ୍କୁ ଜଗିଛି TVDS systemର କ୍ୟାମେରା । ଯିଏ ଆଇନ ଭାଙ୍ଗିବ ତା ଠିକଣାରେ ପହଞ୍ଚି ଯିବ ଚାଲାଣ ।

ରାଜଧାନୀରେ ପ୍ରଥମ ଥର ପାଇଁ ଟ୍ରାଫିକ ପୋଲିସ ବିହୀନ ଚେକିଂ କରାଯାଉଛି । ଟ୍ରାଫିକ୍ ଡିସିପି କହିଛନ୍ତି TVDS systemକୁ ଭୁବନେଶ୍ୱରର 32ଟି ଛକରେ ଲାଗୁ କରାଯିବ । ୨୦୨୦ ଜାନୁଆରୀ ମାସ ସୁଦ୍ଧା ଏହା ସବୁ ସ୍ଥାନରେ କାର୍ଯ୍ୟକାରୀ ହେବ । ବର୍ତ୍ତମାନ କେବଳ ପ୍ରାଥମିକ ଟ୍ରାଫିକ ନିୟମ ଉଲଙ୍ଘନ ବାବଦରେ ଚେକିଂ କରାଯାଇ ଫାଇନ ଆଦାୟ କରାଯାଉଛି ।

ସେପଟେ ପ୍ରଥମ ଦିନରେ ଟ୍ରାଫିକ ପୋଲିସ ପ୍ରତି ଛକରେ ଜୋରଦାର ଚେକିଂ ଆରମ୍ଭ କରି ଦେଇଛି । ଟ୍ରାଫିକ ଉଲଙ୍ଘନକାରୀଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିଛି । ଯେଉଁମାନେ ସଙ୍ଗେ ସଙ୍ଗେ ଜରିମନା ଦେବାକୁ ମନା କରି ଦେଇଛନ୍ତି ସେମାନଙ୍କୁ କିଛି ଦିନର ମହଲତ ଦିଆଯାଇଛି । ତେବେ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଫାଇନ ନ ଭରନ୍ତି ତାହେଲେ ସୁଧ ମୂଳ ସହ ଆଦାୟ କରାଯିବ । ଦରକାର ପଡିଲେ ଲାଇସେନ୍ସ ରଦ୍ଦ କରାଯିବ । ଏହା ସହ ରାତି ୧୧ଟା ପରେ ଯେଉଁମାନେ ନିୟମ ଭଙ୍ଗ କରୁଛନ୍ତି ସେମାନଙ୍କ ପାଇଁ ଏକ ଟିମ୍ ସ୍ୱତନ୍ତ୍ର ମୁତୟନ କରାଯିବ ।

ପ୍ରଥମ ଦିନରେ ଜରିମନା ଦେଇଥଇବା ଚାଳକ ଏହି ନିୟମକୁ ସ୍ୱାଗତ କରିବା ସହ ଅନେକ ପ୍ରଶ୍ନ ମଧ୍ୟ ରଖିଛନ୍ତି । ଗାଡି ଚେକିଂ ବେଳେ ଅନେକ ସ୍ଥାନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଫୋର୍ସ ମୁତୟନ କରାଯାଇଛି ।