close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଥମୁନି ରାଜଧାନୀରେ ଭାଇଗିରି...

ଲୋକାଲ ଅପରାଧୀ ଚିହ୍ନଟ ପାଇଁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ

ଥମୁନି ରାଜଧାନୀରେ ଭାଇଗିରି...
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସରୋଜ ବେହେରା, ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢିଚାଲିଥିବା ଭାଇଗିରି ପୋଲିସ ପାଇଁ ଏବେ ପାଲଟିଛି ବଡ଼ ଅଡୁଆ । ଅନେକ ସମୟରେ ଏହି ଭାଇଗିରି ପାଇଁ ହେଉଛି ହତ୍ୟା ଭଳି ଅପରାଧ । ୮ ବର୍ଷ ତଳେ ଘାଟିକିଆରେ ସନ୍ଦିପ ନନ୍ଦ ହତ୍ୟା ଘଟଣା କୁହନ୍ତୁ ବା ଦୀପାବଳୀ ଦିନ ଅମରେଶ ହତ୍ୟାକାଣ୍ଡ । କମିଶନରେଟ ପୋଲିସ ବ୍ୟବସ୍ଥା ଆରମ୍ଭ ହେବାଠାରୁ ଏଭଳି କିଛି ଲୋକ ସ୍ଥାନୀୟ ଅଂଚଳରେ ମୁଣ୍ଡ ଟେକି ଥାନ୍ତି ଯାହା ପରବର୍ତି ସମୟରେ ଗ୍ୟାଙ୍ଗୱାରର ରୂପ ନେଇଥାଏ । ଏହାକୁ ରୋକିବା ପାଇଁ କମିଶନରେଟ ପୋଲିସ ତିଆରି କରିବାକୁ ଚେଷ୍ଟା କରୁଛି ବ୍ଲୁ ପ୍ରିଣ୍ଟ । ଲୋକାଲ ଏରିଆରେ ନିୟମିତ ଅପରାଧ ଘଟାଉଥିବା ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କୁ କିଭଳି ତଡିପାର କରିବାକୁ ଚେଷ୍ଟା ଆରମ୍ଭ କରିବ ପୋଲିସ । ତ୍ରୟବାର୍ଷିକ ଅପରାଧ ସମୀକ୍ଷା ବୈଠକରେ ଏହାକୁ ନେଇ ପୋଲିସ ଅଧିକାରୀଙ୍କୁ ତାଗିଦ କରିଛନ୍ତି ପୋଲିସ କମିଶନର ।

ଲୋକାଲ ଭାଇମାନଙ୍କ କବଜାରେ ଏବେ ରାଜଧାନୀ ଭୁବନେଶ୍ୱର । ନିଜ ପତିଆରା ଜମାଇବାକୁ ଭାଇ ମାନେ ଚଲାଇଛନ୍ତି ଗୁଣ୍ଡାରାଜ । ଛୋଟମୋଟ ଅପରାଧରୁ ଆରମ୍ଭ ହେଉଥିବା ଏହି ଗୁଣ୍ଡାରାଜା ପରବର୍ତ୍ତି ସମୟରେ ପଲଟି ଯାଉଛି ଗ୍ୟାଙ୍ଗୱାରରେ । ଯଦିଓ କମିଶନରେଟ ପୋଲିସ ଏହାକୁ ଗ୍ୟାଙ୍ଗୱାର କହିବାକୁ ପଛାଉଛି । ହେଲେ ବି ଏଥିରେ ଜୀବନ ଯାଉଥିବା ଯୁବକଙ୍କ ନାଁରେ ରହିଛି ଏକାଧିକ ଅପରାଧିକ ମାମଲା । ସେ ୮ ବର୍ଷ ତଳର ଘାଟିକିଆ ସନ୍ଦିପ ନନ୍ଦ ହତ୍ୟାକାଣ୍ଡ କୁହନ୍ତୁ ବା ଗତ ଦୀପାବଳୀରେ ଅମରେଶ ନାୟକ ହତ୍ୟାକାଣ୍ଡ । ଉଭୟ ମାମଲାରେ ଖୁବ ଚର୍ଚ୍ଚାରେ ରହୁଥିଲେ ଦୁଇ ଜଣ । ଅମରେଶଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ତାଙ୍କର ଫ୍ୟାନ ଫଲୋଅର ସଂଖ୍ୟା ମଧ୍ୟ କିଛି କମ ନ ଥିଲା । ସେପଟେ ସନ୍ଦୀପ ନନ୍ଦ ହତ୍ୟା ଘଟଣାରେ ମଧ୍ୟ ଦୁଇ ଗୋଷ୍ଠୀ ଥିଲେ ସମ୍ପୃକ୍ତ । ସେଭଳି ଡୁମଡୁମା ଅଂଚଳର ଅଗ୍ନି ଓ ଆକାଶ ଦୁଇ ଭାଇ ମଧ୍ୟ ସେହି ଅଂଚଳରେ ଅପରାଧ ଘଟାଇ ଲୋକଙ୍କୁ ଆତଙ୍କିତ କରି ରଖିଛନ୍ତି । ସେବଳି କିଛି ଦିନ ତଳେ ସ୍ଥାନୀୟ ରଙ୍ଗମାଟିଆରେ ରଂଜନ ବେହେରାଙ୍କୁ ମଧ୍ୟ ଏଭଳି ଏକ ଭାଇଗିରି ପରେ ହତ୍ୟା କରିଥିଲେ ସେହି ଗାଁର କିଛି ଯୁବକ । ଗଣି ଗଣି କେବଳ ଏହି ଦୁଇ ତିନି ଘଟଣା ନୁହଁ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଂଚଳ ଏଭଳି ରହିଛି ଯେଉଁଠି ଛୋଟମୋଟ ଅପରାଧୀ ସ୍ଥାନୀୟ ଲୋକଙ୍କୁ ଡାରାଇ ସେହି ଅଂଚଳରେ କରୁଛନ୍ତି ଭାଇଗିରି । ଏଭଳି ଭାଇଙ୍କ ଉପରେ ରୋକ ଲଗାଇବାକୁ ଏବେ କମିଶନରେଟ ପୋଲିସ ଆରମ୍ଭ କରିବାକୁ ଯାଉଛି କାର୍ଯ୍ୟାନୁଷ୍ଠାନ । ଥାନା ଅଂଚଳରେ ଥିବା ସମସ୍ତ ଛୋଟମୋଟ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ କିଭଳି ଭୁବନେଶ୍ୱରରୁ ତଡିପାର କିମ୍ବା ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ବା NSAରେ ଗିରଫ କରାଯିବ ତାହା ଉପରେ ଦୃଷ୍ଟି ଦେବାକୁ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଗୋଟାଏ ପଟେ ଲୋକାଲ ଅପରାଧୀ ପୋଲିସ ପାଇଁ ମୁଣ୍ଡ ବ୍ୟଥା ପାଲଟିଥିବା ବେଳେ ସେମାନେ ଘଟାଇଥିବା ଅପରାଧ ପୋଲିସର ନିଦ ହାଜାଉଛି । ସୁନ୍ଦରପଦା ଅମରେଶ ହତ୍ୟା ଘଟଣାରେ ପୋଲିସ ଏବେ ଯାଏ ଜଗଦିଶ, ଜିତୁ, କୁନା ନନ୍ଦ, ଶଙ୍କର ଓ ରିଙ୍କୁକୁ ଅଟକାଇ ପଚରାଉଚରା କରୁଥିବା ବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି ଏୟାରଫିଲ୍ଡ ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଚେଷ୍ଟା କରୁଥିବା ବେଳେ ଏବେ ବି ଏଥିରେ ପ୍ରାୟ ଏକ ଡଜନ ଅପରାଧୀ ପୋଲିସ ସହ ଲୁଚକାଳି ଖେଳିଛନ୍ତି । ସେମାନଙ୍କୁ ଧରିବା ପାଇଁ କମିଶନରେଟ ପୋଲିସର ବଛାବଛା ପୋଲିସ ଅଧିକାରୀ ଜିଲ୍ଲା ବାହାର ପୋଲିସ ଅଧିକାରୀଙ୍କ ସହ ମିଶି ଅନେକ ସ୍ଥାନରେ ଚଡାଉ ଜାରି ରଖିଛି ।

କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ ହେବା ପରେ ଏହାକୁ ଅପରାଧ ଓ ଅପରାଧୀଙ୍କୁ ରୋକ ଲଗାଇବାକୁ ଗଠନ କରାଯାଇଛି ବୋଲି ଲୋକେ ଜାଣିଛନ୍ତି । ଏ ମଧ୍ୟରେ କମିଶନରେଟ ପୋଲିସ ଟ୍ରାଫିକ, ସିନିୟର ସିଟିଜେନ, ରକ୍ତଦାନ ଶିବିର ଭଳି ଭିନ୍ନ ଭିନ୍ନ କଥାରେ ନିଜକୁ ନିୟୋଜିତ କରିସାରିଛି । ଏ ମଧ୍ୟରେ ସ୍ଥାନୀୟ ଅଂଚଳରେ ଘଟୁଥିବା ଅପରାଧକୁ ପୋଲିସ ଦେଖି ମଧ୍ୟ ଅଣଦେଖା କରିଦେଉଛି । ଫଳରେ ବେଳ ଅବେଳରେ ସନ୍ଦିପ, ଅମରେଶ, ରଂଜନ ଭଳି ଯୁବକଙ୍କ ଜୀବନ ଯାଉଥିବା ବେଳେ ଅଗ୍ନି ଭଳି ଯୁବକ ନିଜକୁ ଡନ ବୋଲାଇବାରେ ପଛଘୁଞ୍ଚା ଦେଉନାହାନ୍ତି ।