Advertisement
Article Detail0/zeeodisha/odisha863948

ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତାକୁ ୭ ବର୍ଷ: ପ୍ରୟୋଗ ନୁହେଁ, ପ୍ରହସନର ଭାଷା ପାଲଟିଛି 'ଓଡ଼ିଆ'

ଓଡ଼ିଆ ଭାଷା କେବଳ ପ୍ରହସନର ଭାଷାରେ ପରିଣତ ହୋଇଛି ।

ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତାକୁ ୭ ବର୍ଷ: ପ୍ରୟୋଗ ନୁହେଁ, ପ୍ରହସନର ଭାଷା ପାଲଟିଛି 'ଓଡ଼ିଆ'

ନୂଆଦିଲ୍ଲୀ: ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ ଇତି ମଧ୍ୟରେ ୭ ବର୍ଷ ବିତିସାରିଲାଣି । ଆଜିର ଦିନ ୨୦୧୪ ମସିହାରେ ଶାସ୍ତ୍ରୀୟ ମାନ୍ୟତାର ପରିଚୟ ମିଳିଥିଲା । ଏହି ଦିନଟି ରାଜ୍ୟବାସୀଙ୍କ ପାଇଁ ଇତିହାସ ପାଲଟିଥିଲା । ଭାଷା ଭିତ୍ତିକ ରାଜ୍ୟ ମାନ୍ୟତା ପାଇବା ପରେ ଏହି ମାର୍ଚ୍ଚ ୧୧ ତାରିଖ ହିଁ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଥିଲା । ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିଲା ଆଜିର ଦିନ । 

୨୦୦୪ ମସିହାରେ ଶାସ୍ତ୍ରୀୟ ଆଇନ ଆସିବା ପରେ ୨୦୧୩ ମସିହା ମଧ୍ୟରେ ୪ଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇ ସାରିଥିଲେ ସରକାର ।  ସଂସ୍କୃତ (୨୦୦୫), ତାମିଲ (୨୦୦୪), ତେଲୁଗୁ (୨୦୦୮), କନ୍ନଡ଼ (୨୦୦୮) ପାଇଥିବା ବେଳେ ଓଡ଼ିଆ ଭାଷାକୁ ଏକ ପ୍ରକାର ଅଣଦେଖା କରିଥିଲେ ସରକାର । ଫଳରେ ଏହାକୁ ନେଇ ତତ୍କାଳୀନ କଂଗ୍ରେସର ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନେଇ  ୨୦୧୨ ମସିହାରେ ସଂସଦରେ ପ୍ରଶ୍ନ ଓ ଦାବି କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ସେତେବେଳର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଏକ ପ୍ରକାର ବାଧ୍ୟ ହୋଇପଡ଼ିଥିଲେ । ତେବେ ସେ ଯାହାବି ହେଉ ବି ଏହାର ଗୋଟିଏ ବର୍ଷ ପରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିସାରିଥିଲା । 

ଏହାରି ମଧ୍ୟରେ ୭ ବର୍ଷ ବିତି ସାରିଛି । ଏହି ମାନ୍ୟତା ମିଳିବା ପରେ ରାଜ୍ୟରେ ଓଡ଼ିଆ ଭାଷାର ଉନ୍ନତି, ପ୍ରଚାର ପ୍ରସାର ବ୍ୟବହାର ପାଇଁ ସରକାର ଅଣ୍ଟା ଭିଡ଼ିଥିଲେ । ଓଡ଼ିଆ ଭାଷାର ବିକାଶ ପାଇଁ କାମ କରୁଥିବା ୨୭ଟି ଅନୁଷ୍ଠାନ ମିଶି "ଭାଷା ସଂଗ୍ରାମ ସମିତି" ଗଠନ କରିଥିଲେ । ଓଡ଼ିଆକୁ ଶାସନର ଭାଷା କରିବାପାଇଁ ଏକ ମନ୍ତ୍ରିସ୍ତରୀୟ କମିଟି ମଧ୍ୟ ତିଆରି ହୋଇଥିଲା ।ସରକାରଙ୍କ ଭାଷା ପରାମର୍ଶଦାତା ଭାବେ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ମନୋନୀତ କରାଯାଇଥିଲା। କମିଟିର ପ୍ରଥମ ବୈଠକ ୨୦୧୫ ଅଗଷ୍ଟ ୧ ତାରିଖରେ ସଚିବାଳୟ ପ୍ରକୋଷ୍ଠରେ ବସିଥିଲା । ଏହି ବୈଠକରେ ଏହି ସମିତିର ଦାବି କମିଟି ଗ୍ରହଣ କରିବା ସହିତ ପର୍ଯ୍ୟାୟ କ୍ରମେ ଏସବୁ କାର୍ଯ୍ୟକାରୀ କରିବାପାଇଁ ବୈଠକଗୁଡ଼ିକରେ ଆଲୋଚନା କରାଯିବ ଏବଂ ଅଧିକ ମତ ଏକ ୱେବସାଇଟ ଖୋଲାଯାଇ ତା' ମାଧ୍ୟମରେ ନିନିଆଯିବା ପାଇଁ ନିଷ୍ପତ୍ତି ନିଆଗଲା । 

Add Zee News as a Preferred Source

ଏଥି ସହିତ ଏକ ସ୍ୱତନ୍ତ୍ର ଭାଷାନୀତି ପ୍ରସ୍ତୁତ କରିବା ପାଇଁ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଗଲା । ପରେ ୨୦୧୫ ନଭେମ୍ବର ୫, ୨୦୧୫ ନଭେମ୍ବର ୨୧, ୨୦୧୬ ଜାନୁଆରୀ ୬ ତାରିଖ ଓ ୨୦୧୬ ଅପ୍ରେଲ ୨୫ ତାରିଖରେ କମିଟି ବୈଠକ ବସି ଓଡ଼ିଆ ସରକାରୀ ଭାଷା ଅଧିନିୟମ ୧୯୫୪ ସଂଶୋଧନ ଓ ସରକାରୀ କାମ ଓଡ଼ିଆରେ କରିବା, ମଡେଲ ସ୍କୁଲର ଶିକ୍ଷା ମାଧ୍ୟମ ଓଡ଼ିଆ ହେବା, ଓଡ଼ିଆ ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି, ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଆଦି ବିଷୟରେ ନିଷ୍ପତ୍ତି ନିଆଗଲା । ୨୦୧୫ ଡିସେମ୍ବର ୧୭ ତାରିଖରେ ନବୀନ ପଟ୍ଟନାୟକ ସଚିବସ୍ତରୀୟ ବୈଠକ ପରେ ଓଡ଼ିଆ ପାଇଁ ୧୪ ସୂତ୍ରୀ କାର୍ଯ୍ୟକ୍ରମ ଘୋଷଣା କଲେ । ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ଓଡ଼ିଶା ବିଧାନ ସଭାରେ ଓଡ଼ିଆ ଆଇନ (ସଂଶୋଧନ) ୧୯୫୪ ବହୁମତରେ ଗୃହୀତ ହେଲା।

କିନ୍ତୁ ଏ ସବୁ ପଦକ୍ଷେପ ପରେ ମଧ୍ୟ ଭାଷା ପ୍ରତି ସରକାରଙ୍କ ପଦକ୍ଷେପ ସତେ ଯେମିତି ଅଣଦେଖା ଭଳି ମନେ ହୁଏ । ସେହି ସମୟରେ ସୂଚନା ଫଳକ ଠାରୁ ଆରମ୍ଭ କରି ନାମଫଳକ ପର୍ଯ୍ୟନ୍ତ ସବୁଆଡେ ଓଡ଼ିଆ ଭାଷାରେ ଲେଖାଯିବା ନେଇ ରାଜ୍ୟ ସରକାର ସୂଚନା ଦେଇଥିଲେ । କିନ୍ତୁ ୭ ବର୍ଷ ପରେ ମଧ୍ୟ ଭାଷାକୁ ସତେ ଯେପରି ଅଣଦେଖା କରାଯାଉଥିବା ସ୍ପଷ୍ଟ ବାରି ହୋଇପଡ଼େ । ଯଥା ପୁର୍ବଂ ତଥା ପରଂ ଭଳି ଇଂରାଜୀ ଭାଷା ପ୍ରିତୀ ଚତୁର୍ଦିଗ ଦେଖିବାକୁ ମିଳେ । ବିମାନ ବନ୍ଦର ଠାରୁ ଆରମ୍ଭ କରି ସ୍କୁଲ, କଲେଜ, ବିଭିନ୍ନ ଅମଲାଙ୍କ ଘର ଆଗରେ ନାମ ଫଳକକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ । କେବଳ ଏତିକି ନୁହେଁ, ସୀମା ବର୍ତ୍ତି ଅଞ୍ଚଳଗୁଡ଼ିକରେ ପଡ଼ୋଶୀ ରାଜ୍ୟର ଭାଷା ପରିବର୍ତ୍ତେ ଓଡ଼ିଆ ଭାଷାର ପ୍ରୟୋଗକୁ ନେଇ ଯେଉଁ ପ୍ରଚଣ୍ଡ ଶପଥ କରାଯାଇଥିଲା, ତାହା ସତେ ଯେପରି ପାଣି ଫୋଟକା ପରି ମିଳେଇ ଯାଇଛି । 

ସେପଟେ ଏହି ଶାସ୍ତ୍ରୀୟ ଭାଷାର ବ୍ୟବହାରକୁ ନେଇ ଲେଖକ ଶଙ୍କର ପରିଡ଼ା କୁହନ୍ତି, ଓଡ଼ିଆ ଭାଷା କେବଳ ପ୍ରହସନର ଭାଷାରେ ପରିଣତ ହୋଇଛି । ମାନ୍ୟତା ପାଇବା ସମୟରେ ଏହା ପ୍ରୟୋଗ, ସମ୍ମାନର ଭାଷା ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଏହା ପ୍ରହସନର ଭାଷାରେ ପରିଣତ ହୋଇଛି । ସରକାର କେବଳ ଖାଲି ବାହାସ୍ଫୋଟର ଭାଷଣ ବାଜି କରୁଛନ୍ତି । ମଦ ଦୋକାନ ନିକଟରେ ଏହା କେବଳ ସୀମିତ । ମନ୍ତ୍ରୀ ସ୍ତରୀୟ ଯୁଗ୍ମ କମିଟି ଓ ସଚିବ ସ୍ତରୀୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ବିଭିନ୍ନ ସୀମା ବର୍ତ୍ତି ଅଞ୍ଚଳରେ ଓଡ଼ିଆରେ ଲେଖାଯିବାକୁ ନିଷ୍ପତ୍ତି ହୋଇଥିଲା । ଏପରିକି ଦୋକାନ ବଜାରରେ ମଧ୍ୟ ଓଡ଼ିଆ ଭାଷାରେ ଲେଖିବାକୁ ବାଧ୍ୟତାମୂଳକ କରାଯାଇଥିଲା । 

ସେହିପରି ଡାକ୍ତର, ଶିକ୍ଷକଙ୍କ ଭଳି ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥା ଜରୁରୀ ବୃତ୍ତିରେ ରହୁଥିବା ପେଷାଦାରଙ୍କୁ ମଧ୍ୟ ଓଡ଼ିଆଭାଷାରେ ତାଲିମ ଦେବାକୁ ଚୁକ୍ତି ହୋଇଥିଲା । ମାତ୍ର ତାହା ଉଭାନ ହୋଇଛି । ରାଜ୍ୟରେ ଭାଷାର ଉନ୍ନତି, ପ୍ରଚାରପ୍ରସାର, ପ୍ରୟୋଗ ତଥା ଭିତ୍ତିଭୂମିର ଉନ୍ନତି ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି । ମାତ୍ର ରାଜ୍ୟରେ ତାହା ବିନିଯୋଗ ହେଉ ପାରୁନଥିବା ନେଇ ସେ ଅଭିଯୋଗ କରିଛନ୍ତି । ବିଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ଉନ୍ନତି ପାଇଁ ରାଜ୍ୟକୁ ଦେଇଛନ୍ତି । ମାତ୍ର ରାଜ୍ୟ ସରକାର ୧୬ କୋଟି ଟଙ୍କା ବିନିଯୋଗ କରିପାରିଛନ୍ତି। ଏଥିରୁ ଭାଷା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ସ୍ପଷ୍ଟ ବାରି ହୋଇ ପଡ଼ୁଛି ବୋଲି ସେ କହିଛନ୍ତି । 

କେବଳ ଏତିକି ନୁହେଁ, ଭାଷାର ସୁଦ୍ଧିକରଣ ବ୍ୟବହାର ଉଚ୍ଚାରଣ ପାଇଁ ସରକାର ସେତେବେଳେ ଏକ କମିଟି ମଧ୍ୟ ଗଠନ କରିଥିଲେ । ଏହି କମିଟିର ପ୍ରମୁଖ କାର୍ଯ୍ୟ ଥିଲା ଅସୁଦ୍ଧିକରଣ ବ୍ୟବହାର ଓ ଉଚ୍ଚାରଣକୁ ସଜାଡ଼ିବା । ଏହା ସହିତ ଭୁଲ ଉଚ୍ଚାରଣ କରୁଥିବା ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କୁ ଦଣ୍ଡିତ କରିବା । ମାତ୍ର ଉକ୍ତ କମିଟି ଦଣ୍ଡ ଦେବାତ ଦୁରର କଥା ପ୍ରଶ୍ନ ଚିହ୍ନ ମଧ୍ୟରେ କମିଟିର ଅସ୍ଥିତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି କି କମିଟି ସମ୍ପୂର୍ଣ୍ଣ ଭାବେ ତାହାର କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି ।

୨୦୦୪ ମସିହା ମାର୍ଚ୍ଚ ୧୧ ତାରିଖରେ ଶାସ୍ତ୍ରୀୟ ଭାଷା ଆଇନ ଆସିବା ପରେ ବିଗତ ୧୭ ବର୍ଷ ମଧ୍ୟରେ ୬ଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିବା ବେଳେ ଶାସ୍ତ୍ରୀୟ ଭାଷାଗତ ରାଜ୍ୟ ଭାବେ ୫ଟି ରାଜ୍ୟକୁ ଏହି ଗୌରବାନ୍ୱିତ ମାନ୍ୟତା ମିଳିପାରିଛି । ଆଉ ଆମେ ଓଡ଼ିଆ ଭାବେ ନିଶ୍ଚିତ ପକ୍ଷେ ଗର୍ବ କରିବାର ବିଷୟ ଯେ, ଏହି ୬ ଟି ଭାଷାରେ ଓଡ଼ିଆ ଓ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ସଂସ୍କୃତ (୨୦୦୫), ତାମିଲ (୨୦୦୪), ତେଲୁଗୁ (୨୦୦୮), କନ୍ନଡ଼ (୨୦୦୮), ମାଲାୟଲମ (୨୦୧୩) ଓ ଓଡ଼ିଆ (୨୦୧୪)କୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି । ସେହିପରି ଦକ୍ଷିଣ ଭାରତର ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଅବିଭକ୍ତ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ଏହି ମାନ୍ୟତା ମିଳି ସାରିଛି ।

About the Author