)
ଭୁବନେଶ୍ବର: ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏହି କ୍ରମରେ ରାଜ୍ୟରେ ମଧ୍ୟ ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ମଧ୍ୟ ରାଜ୍ୟରୁ ୨୯୦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୧୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ବା ଲୋକାଲ କେସ ରହିଛି ୧୧୯ । ତେବେ ଖୋର୍ଦ୍ଧାରୁ ସବୁଠାରୁ ଅଧିକ ୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ନୂଆପଡାରୁ ୪୦, ଝାରସୁଗୁଡାରୁ ୨୧, ସମ୍ବଲପୁରରୁ ୧୧, ବରଗଡରୁ ୧୫ଜଣ, ମୟୂରଭଞ୍ଜ ଓ ଅନୁଗୋଳରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ୨୪ ଘଣ୍ଟାରେ କୋରୋନାରୁ ମାତ୍ର ୮୯ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ (Tweet) କରି ସୂଚନା ଦେଇଛି ।
ଅନ୍ୟପଟେ ଆଜି ଗୋଟିଏ ଦିନରେ ଦେଶରୁ ପୁଣି କୋରୋନା ଭୂତାଣୁ (Corona Virus)ର ତାଣ୍ଡବ ଆରମ୍ଭ ହୋଇଛି । ମାରାତ୍ମକ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ଆଗମନ ହୋଇସାରିଛି । ପୁଣିଥରେ ସାରା ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଗୋଟିଏ ଦିନରେ ଦେଶରେ କୋରୋନା ସଂକ୍ରମଣ ୬୨ ହଜାର ୭୧୪ ରୁ ଅଧିକ ରହିବା ପରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଗତକାଲି ଅଧିକ ସଂକ୍ରମିତ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ସେହିପରି ଗତ ୨୪ ଘଣ୍ଟାରେ କୋରୋନା ମୃତ୍ୟୁ ସଂଖ୍ୟା ୩୧୨ ରହିଛି ।
ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୧ କୋଟି ୧୯ ଲକ୍ଷ ୭୧ ହଜାର ୬୨୪ ମାମଲା ସାମ୍ନାକୁ ଆସିଥିବା ବେଳେ, ସେଥିମଧ୍ୟରୁ ୧ କୋଟି ୧୩ ଲକ୍ଷ ୨୩ ହଜାର ୭୬୨ କୋରୋନାରୁ ଆରୋଗ୍ୟ ମାମଲା ରହିଛି । ସେହିପରି ୪ ଲକ୍ଷ ୮୬ ହଜାର ୩୧୦ ସକ୍ରିୟ ମାମଲା ରହିଛି । ଦେଶରେ କୋରୋନା ସଂକ୍ରମଣ (Corona Virus) ରେ ମୃତ୍ୟୁ ବରଣ କରିଥିବା ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୨ ରହିଛି । ଅନ୍ୟପଟେ ସବୁ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର (Maharashtra) ରାଜ୍ୟରେ ସବୁଠାରୁ ଅଧିକ ସଂକ୍ରମଣ ମାମଲା ରହିଛି ।