ପଲିଥିନ କଟକଣା କେଉଁ କାମରେ...
Advertisement

ପଲିଥିନ କଟକଣା କେଉଁ କାମରେ...

ରାଜଧାନୀରେ ନାମକୁ ମାତ୍ର ପଲିଥିନ କଟକଣା !

ପ୍ରତୀକାତ୍ମକ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କେତେ ପଲିଥିନ୍ ମୁକ୍ତ ରାଜଧାନୀ ?  ପ୍ରହସନ ପାଲଟିଛି ପଲିଥିନ୍ ମୁକ୍ତ ସହର । ରାଜ୍ୟର ୬ ସହରରେ ୨୦୧୮ ମସିହା ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଥିବା ବେଳେ ଗତ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ତମାମ ଲାଗୁ କରାଯାଇ ଏହାକୁ ଆହୁରି କଡ଼ାକଡ଼ି କରାଯାଇଥିଲା । ହେଲେ ଏହି ଘୋଷଣା ଗୋଟିଏ ବର୍ଷ ପରେ ଫସର ଫାଟିଯାଇଛି । ବିଶେଷ କରି ସ୍ମାର୍ଟ ସିଟି ଭୁବନେଶ୍ୱରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।

ପଲିଥିନ ମୁକ୍ତ ରାଜଧାନୀ ପାଲଟିଛି ପଲିଥିନ ଯୁକ୍ତ ସହର । ଏବେବି ସହରରେ ଉତ୍ପାଦନ ହେଉଛି ପଲିଥିନ୍ ଆଉ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ବିତରଣ ହେଉଛି । ମଙ୍ଗଳବାର ଚଢ଼ାଉ ହୋଇଥିବା ଚାରୋଟି କାରଖାନା ମଧ୍ୟରୁ ଦୁଇଟି ପଲିଥିନ କାରଖାନରେ ନିଷିଦ୍ଧ ହୋଇଥିବା ପଲିଥିନ୍ ଜବତ ହେବା ପରେ ଏହାର ସତ୍ୟତା ସାମ୍ନାକୁ ଆସିଛି । ବିଏମିସ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୋଲିସ ପ୍ରଶାସନର ମିଳିତ ଟିମ୍ ରେ ଗଠିତ ସ୍କ୍ୱାର୍ଡ ବୁଲି ବିଭିନ୍ନ ସ୍ଥାନରେ ଜୋରଦାର ଚଢାଉ ସତ୍ତ୍ୱେ କାମ ଦେଉନି ପ୍ରଚେଷ୍ଟା । ନିଷିଦ୍ଧ ୫୦ ମାଇକ୍ରନ ତଳେ ଜବତ ପଲିଥିନ୍ ଫ୍ୟାକ୍ଟ୍ରିରୁ ଜବତ କରି ଜରିମାନା ଆଦାୟ କରାଯାଉଛି ତଥାପି କାମ ଦେଉନି ତଣ୍ଡ ।

ନିଷିଦ୍ଧ ଘୋଷଣା ହେବାର ୧୫ ମାସ ପରେ ବି ସୁଧୁରିନି ଚିତ୍ର । ସମାନ୍ତରାଳ ଭାବେ ବଜାରରେ ମଧ୍ୟ ବେଲଗାମ ଭାବେ ଖୁଲମଖୁଲା ବ୍ୟବହାର ହେଉଛି ପଲିଥିନ୍ । ଫଳ ଦୋକାନ ହେଉ ଅବା ପରିବା ବଜାର ଅବା ଆମିଷ ମାର୍କେଟ, ସବୁଠି ମହଜୁଦ ରହିଛି ପଲିଥିନ୍ । ସେପଟେ ଆଗାମୀ ଦିନରେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ପୂର୍ବାପେକ୍ଷା ପଲିଥିନ ବ୍ୟବହାରରେ ଅଙ୍କୁଶ ଲାଗିଥିବା ବିଏମସି ଆଡ଼ିସନାଲ କମିଶନର ଅବନିକାନ୍ତ ପଟ୍ଟନାୟକ କହିଛନ୍ତି ।

ତେବେ ଗୋଟିଏ ପଟେ ପଲିଥିନ ରେଡ୍ ଜୋରଦାର କରାଯାଉଥିବା ବେଳେ ଅନ୍ୟପଟେ ଗଳାବାଟରେ ଚାଲୁଛି ପଲିଥିନ ପ୍ରସ୍ତୁତ ଓ ବିତରଣ । କାହା ସ୍ୱାର୍ଥରେ ଓ ଇଙ୍ଗିତରେ ଏହାକୁ ପ୍ରୋତ୍ସାହନ ମିଳୁଛି ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଆହୁରି ପଢ଼ନ୍ତୁ; ଏଥର ୨୪ ସପ୍ତାହ ପର୍ଯ୍ୟନ୍ତ କରିହେବ ଗର୍ଭପାତ