ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ, ଏହିସବୁ ପ୍ରସଙ୍ଗ ନେଇ ବିରୋଧୀ ପ୍ରସ୍ତୁତ
Advertisement

ଆସନ୍ତାକାଲିଠୁ ବିଧାନସଭାର ବଜେଟ ଅଧିବେଶନ, ଏହିସବୁ ପ୍ରସଙ୍ଗ ନେଇ ବିରୋଧୀ ପ୍ରସ୍ତୁତ

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଯଯାତି କେଶର ମହାନ୍ତି, ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ ।  ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନର ଫେବୃଆରୀ ୧୮ ତାରିଖରେ ୨୦୨୦-୨୧ ଆର୍ଥୀକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ । ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ଖୁବ୍ ସରଗରମ ରହିବ ଏହି ଅଧିବେଶନ । ଆଇନ ଶୃଙ୍ଖଳା ସ୍ଥିତି ସାଙ୍ଗକୁ ବ୍ରହ୍ମପୁରରେ ବସ୍ ଦୁର୍ଘଟଣାକୁ ପ୍ରସଙ୍ଗ କରିବେ ବିରୋଧି । ପକ୍କାଘର ନିର୍ମାଣକୁ ନେଇ ବିଜେଡ଼ି-ବିଜେପି ମୁହାଁମୁହିଁ ଅବସ୍ଥାରେ ଥିବାରୁ ଏ ପ୍ରସଙ୍ଗ ବି ଗୃହରେ ଉଠିବାର ସମ୍ଭାବନା ରହିଛି । ବିରୋଧିଙ୍କ ସମସ୍ତ ପ୍ରସଙ୍ଗ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି ଶାସକ ବିଜେଡ଼ି । ତାସାଙ୍ଗକୁ ରେଳବାଇରେ କମ୍ ଅନୁଦାନ, ମୂଳ ବଜେଟରେ ଓଡ଼ିଶାକୁ କମ୍ ଭାଗ ସହିତ ମନରେଗା ଓ ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ରୀୟ ଭାଗରେ ବିଳମ୍ବକୁ ପ୍ରସଙ୍ଗ କରିବ ଶାସକ । ଆଜି ତିନ ଦଳର ବିଧାୟକମାନଙ୍କ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି ।

ଫେବୃଆରୀ ୧୮ ତାରିଖରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଦିନକ ପରେ ଆରମ୍ଭ ହେବାକୁଥିବା ବିଧାନସଭାର ବଜେଟ ଅଧିବେଶନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି । କିଏ କେଉଁ ପ୍ରସଙ୍ଗ କିପରି ଉଠାଇବ, ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆୟୁଷ୍ମାନ ଯୋଜନା ସାଙ୍ଗକୁ କେନ୍ଦ୍ରୀୟ ଯୋଜନାକୁ କିପରି ରାଜ୍ୟ ସରକାର ହଡ଼ପ କରି ନିଜ ନାଁରେ ବାହାବା ନେବାକୁ ଚାହୁଁଛନ୍ତି, ତାର ଖୁଲାସା କରିବ ବିଜେପି । ଧାନ କିଣାରେ ଅନିୟମିତତା ହେଉ କି ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ସ୍ଥିତି ପ୍ରସଙ୍ଗ ବି ଦଳ ଗୃହରେ ଉଠାଇବ । 

ଶାସକ ବିଜେଡ଼ି କିପରି କେବଳ ପ୍ରଚାର ପ୍ରସାରରେ ମାତି ବାସ୍ତବ ସ୍ଥିତିଠାରୁ ଦୂରେଇ ଯାଉଛି, ଏହା ଲୋକଙ୍କ ସାମ୍ନାକୁ ଆଣିବ କଂଗ୍ରେସ । ତା ସାଙ୍ଗକୁ ବିଦ୍ୟୁତ ତାର ସଂଯୋଗରେ ଆସି ବ୍ରହ୍ମପୁରରେ ହୋଇଥିବା ବସ୍ ଦୁର୍ଘଟଣାରେ ଶକ୍ତି ବିଭାଗର ଖାମଖିଆଲି ମନୋଭାବକୁ ବି ବିରୋଧି ପ୍ରସଙ୍ଗ କରିବ ।

ଅପରପକ୍ଷରେ ବିରୋଧିଙ୍କ ମୁକାବିଲା ପାଇଁ ଶାସକ ବିଜେଡ଼ି ପ୍ରସ୍ତୁତ ରହିଛି । ଯେଉଁ ପ୍ରସଙ୍ଗ ବିରୋଧି ଉଠାଇବେ, ତା’ର ସଠିକ୍ ଜବାବ ଦେବାକୁ ବିଜେଡ଼ିର ୟଙ୍ଗ୍ ବ୍ରିଗେଡ଼ ତୟାର ଅଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ହେଉ, ରେଳବାଇ ଅନୁଦାନରେ ପାତର ଅନ୍ତର, ପୁଣି କୋଇଲା ରୟାଲିଟି ପ୍ରସଙ୍ଗ ହେଉ କି ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା, ଏସବୁ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିବାକୁ ଯୋଜନା କରିଛି ବିଜେଡ଼ି । ଗୃହରେ ଗଠନମୂଳକ ଆଲୋଚନାପାଇଁ ଶାସକ ବିଜେଡ଼ି ତୟାର ଥିବା ବେଳେ ବିରୋଧିଙ୍କୁ ମୁକାବିଲା କରିବାକୁ ବି ବିଜେଡ଼ି ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ବିଧାୟକ ଦଳ ବୈଠକ ବସି ସ୍ୱତନ୍ତ୍ର ରଣନୀତି କରାଯାଇଛି । ମନରେଗା, ଖାଦ୍ୟ ସୁରକ୍ଷା ଯୋଜନା ଏବଂ କୃଷି ବୀମା କ୍ଷେତ୍ରରେ କେନ୍ଦ୍ରର ବିଳମ୍ବିତ ପଦକ୍ଷେପ ବାବଦରେ ମଧ୍ୟ ବିଜେଡ଼ି ଗୃହରେ ଉଠାଇବ ।

 ୨୦୨୦-୨୧ ବଜେଟ ଅଟକଳ ଦେଢ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଅନୁମାନ କରାଯାଉଛି । ତେବେ କେଉଁ କ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛନ୍ତି ଅର୍ଥମନ୍ତ୍ରୀ, ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ପାଇଁ କେତେ ଅର୍ଥ ବରାଦ କରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସ୍ୱାସ୍ଥ୍ୟ ଭିତିଭୂମି ସଜାଡ଼ିବାକୁ ଅର୍ଥମନ୍ତ୍ରୀ କେତେ ଅର୍ଥ ଦେଉଛନ୍ତି, ତାହା ୧୮ ତାରିଖ ପରେ ହିଁ ସ୍ପଷ୍ଟ ହୋଇପାରିବ ।