ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

କ୍ୟାବିଟେନ ମନ୍ତ୍ରୀମାନଙ୍କୁ ଇ-ମେଲ ଏବଂ ହ୍ୱାଟସ୍‌ଆପ୍ ମାଧ୍ୟମରେ ଏଜେଣ୍ଡା ପଠାଯିବ ବୋଲି ଜଣାପଡ଼ିଛି । 

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । କୋରୋନା କଟକଣା ପାଇଁ ପ୍ରଥମ ଥର ପାଇଁ ଭିଡ଼ିଓ କନଫେରେନ୍ସିଂରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ସଂସଦୀୟ ବ୍ୟାପାର ବିଭାଗ କୋରୋନା ଯୋଗୁଁ ନନ୍‌-କ୍ରିଟିକାଲ କ୍ୟାଟେଗୋରୀରେ ଥିବାରୁ ଏହି ବିଭାଗର କୌଣସି କର୍ମଚାରୀ ଲୋକସେବା ଭବନକୁ ଆସୁ ନ ଥିବାରୁ କ୍ୟାବିନେଟ ଏଜେଣ୍ଡା ବାବଦରେ କୌଣସି ସୂଚନା ମିଳିପାରିନାହିଁ । 

କ୍ୟାବିଟେନ ମନ୍ତ୍ରୀମାନଙ୍କୁ ଇ-ମେଲ ଏବଂ ହ୍ୱାଟସ୍‌ଆପ୍ ମାଧ୍ୟମରେ ଏଜେଣ୍ଡା ପଠାଯିବ ବୋଲି ଜଣାପଡ଼ିଛି । ତେବେ କୋରୋନା ମୁକାବିଲା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ୟାବିନେଟରେ ନିଆଯିବାର ସମ୍ଭାବନା ରହିଛି । ଲକ୍‌ଡ଼ାଉନ୍ ଅବଧି ବୃଦ୍ଧି ସାଙ୍ଗକୁ ବିଧାୟକ ହାତପାଣ୍ଠି ସ୍ଥଗିତ ନେଇ କିଛି ନିଷ୍ପତି ଆସିବାର ସୂଚନା ମିଳୁଛି । କେନ୍ଦ୍ର କ୍ୟାବିନେଟରେ ସାଂସଦ ହାତପାଣ୍ଠିକୁ ଦୁଇବର୍ଷ ପାଇଁ ସ୍ଥଗିତ ରଖିବାର ନିଷ୍ପତ୍ତି ପୂର୍ବରୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଧାୟକଙ୍କ ହାତପାଣ୍ଠି କୋରୋନା କାମରେ ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି । ବିଧାୟକ ହାତପାଣ୍ଠି ଖର୍ଚ୍ଚ କରିବାର ଗାଇଡ଼୍‌ଲାଇନ୍‌କୁ ମଧ୍ୟ ପରିବର୍ତନ କରାଯାଇସରିଛି ବୋଲି ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତି ପରେ ରାଜ୍ୟର ଅନେକ ବିଜେଡ଼ି ବିଧାୟକ ଏବଂ ସାଂସଦ ତାଙ୍କ ହାତପାଣ୍ଠି କୋରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ମଧ୍ୟ ଲେଖିଛନ୍ତି । ତେବେ ଆଜି କ୍ୟାବିନେଟ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।