ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶ୍ରମିକମାନଙ୍କ ସହାୟତା ପାଇଁ ଶ୍ରମିକ ମିତ୍ର

ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ମାନଦଣ୍ଡ ଓ ଜୀବନଜୀବିକାର ସ୍ୱଚ୍ଛଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ୍ ପ୍ରବାସୀ ଶ୍ରମିକ ଓ ରାଜ୍ୟରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ନିଜ ଅଞ୍ଚଳରେ ବ୍ୟାପକ କର୍ମ ନିଯୁକ୍ତି ସୃଷ୍ଟି କରିବା ସହ ତ୍ୱରିତ ମଜୁରୀ ପ୍ରଦାନ ବ୍ୟବସ୍ଥା ସାଙ୍ଗକୁ ଶିକ୍ଷା ଓ ଉନ୍ନତ ଜୀବନ ଶୈଳୀ ଅବଲମ୍ବନ କରିବାରେ ସହାୟକ ହେବ । ପଞ୍ଚାୟତରାଜ ବିଭାଗ ଓ ଶ୍ରମ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରମିକ ସହାୟତା ଟୋଲ୍ ଫ୍ରୀ ନମ୍ବର ସାଙ୍ଗକୁ ଅନ୍‌ଲାଇନ୍ ଅଭିଯୋଗ ଗ୍ରହଣ ବ୍ୟବସ୍ଥା ଇ-ଶ୍ରମିକ ସମାଧାନକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରମିକମାନଙ୍କ ଉନ୍ନତିରେ ଦେଶର ଉନ୍ନତି । ରାଜ୍ୟ ଭିତରେ କାମ କରୁଥିବା ଶ୍ରମିକ ହୁଅନ୍ତ କି ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ବହୁବିଧ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି । ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିର ୨୦ଟି ବ୍ଲକର ସମସ୍ତ ୪୭୭ଟି ପଞ୍ଚାୟତରେ ନରେଗା ଯୋଜନାରେ ଶ୍ରମିକମାନଙ୍କୁ ୨୦୦ଦିନର କାମ ବର୍ଦ୍ଧିିତ ମଜୁରୀରେ ମିଳିବ । ଏହି ସବୁ ପଞ୍ଚାୟତ ରେ ପ୍ରତି ପରିବାରର ମହିଳା ସଦସ୍ୟାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରାଯିବ ଏବଂ ରାଜ୍ୟ ଜୀବନଜୀବିକା ମିଶନପକ୍ଷରୁ ପ୍ରତି ପଞ୍ଚାୟତକୁ ସଘନ ପଞ୍ଚାୟତ ଭାବେ ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସୁବିଧା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ବ୍ୟାଙ୍କ ମିତ୍ର ଓ ଶ୍ରମିକମାନଙ୍କ ସହାୟତା ପାଇଁ ଶ୍ରମିକ ମିତ୍ର ଭାବେ ନିଯୁକ୍ତି ମିଳିବ । ସମସ୍ତଙ୍କୁ ମିଳିବ ପକ୍କାଘର । ଏହା ସାଙ୍ଗକୁ ଶ୍ରମିକମାନଙ୍କ କଲ୍ୟାଣ ଓ ବର୍ଦ୍ଧିତ ମଜୁରୀ ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି ।
ଆର୍ଥିକ ସଶକ୍ତୀକରଣ ପାଇଁ ବିଡ଼ିଓଙ୍କ ନିରାପତା ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାର ସୁବିଧା ମିଳିବ । ସଠିକ୍ ଭାବରେ ସରକାରୀ ସୁବିଧା ଯୋଗାଇଦେବାକୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ପ୍ରବାସୀ ଶ୍ରମିକଙ୍କ ସ୍ୱତନ୍ତ୍ର ଡ଼ାଟାବେସ୍ ପ୍ରସ୍ତୁତ କରାଯିବ । ଏବେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀରେ ପ୍ରବାସୀ ଶ୍ରମିକଙ୍କ ପାଇଁ ହେଲ୍ପ ଡ଼େସ୍କ ଖୋଲାଯାଇଥିବା ବେଳେ ଖୁବ୍ ଶୀଘ୍ର ଏହା ତାମିଲନାଡ଼ୁ, ଗୁଜୁରାଟ, କର୍ଣ୍ଣାଟକ ଭଳି ରାଜ୍ୟମାନଙ୍କରେ ବି ହେଲ୍ପ ଡ଼େସ୍କ ଖୋଲିବ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାଜେ୍ ବିଷୟରେ ପ୍ରଚାର ପ୍ରସାର ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୋଜନାକୁ ତୃଣମୂଳ ସ୍ତରରେ ଥିବା ଶ୍ରମିକମାନେ ସ୍ୱାଗତ କରିବା ସହ ଏହା ସେମାନଙ୍କୁ ଅନକ ପରିମାଣରେ ସହାୟକ ହେବ ବୋଲି କହିଛନ୍ତି ।
ପଞ୍ଚାୟତ ରାଜ ବିଭାଗ ଓ ଶ୍ରମ ବିଭାଗର ମିଳିତ ଭାବେ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିଛନ୍ତି ଏବଂ ପ୍ରବାସୀ ଶ୍ରମିକମାନଙ୍କ ବହୁବିଧ ଉନ୍ନତି ପାଇଁ ରାଜ୍ୟ ବାହାରେ ଆହୁରି ଅଧିକ ହେଲ୍ପ ଡ଼େସ୍କ ଆରମ୍ଭ କରିବାକୁ ନିଷ୍ପତି ହୋଇଛି ।