ନବୀନ ଭରିଲେ ନାମାଙ୍କନ
Advertisement

ନବୀନ ଭରିଲେ ନାମାଙ୍କନ

ଦଳ ସୁପ୍ରିମୋଙ୍କୁ ପ୍ରଶଂସାରେ ପୋତିଲେ ବିଜେଡି ନେତା

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାର ମହାପର୍ବ ଶେଷ ପର୍ଯ୍ୟାୟରେ । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ନବୀନ ପଟ୍ଟନାୟକ ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଷ୍ଟମ ଥର ପାଇଁ ଦଳର ସଭାପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ନବୀନ । 

ରବିବାର ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ରିଟର୍ଣିଂ ଅଫିସର ପ୍ରତାପ କେଶରୀ ଦେବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୁଇସେଟ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଏଥିରେ ୧୦ ଜଣ ବରିଷ୍ଠ ନେତା ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଥିଲେ । ନବୀନଙ୍କ ସମେତ ବିଜେଡିର ରାଜ୍ୟ ପରିଷଦ ପାଇଁ ୮୦ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । 

ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ସହ ୨୫ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ସମୟ ରହିଛି । ଏହା ପରଦିନ ଅର୍ଥାତ ୨୬ ତାରିଖରେ ବିଧିବଦ୍ଧ ଭାବେ ବିଜେଡିର ରାଜ୍ୟ ସଭାପତିଙ୍କ ନାମ ଘୋଷଣା କରାଯିବ । ବିଜେଡିର  ୩୫୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ୮୦ ଜଣ ରାଜ୍ୟ ପରିଷଦ ସଭ୍ୟଙ୍କ ଉପସ୍ଥିତିରେ ରାଜ୍ୟ  ସଭାପତିଙ୍କ ନାମ ଘୋଷଣା ହେବ ବୋଲି କୁହାଯାଇଛି । 

ରାଜ୍ୟ ସଭାପତିଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ପାଇଁ ବିଜେଡି କାର୍ଯ୍ୟାଳୟରେ ସାଂସଦ, ବିଧାୟକ ତଥା ବରିଷ୍ଠ ନେତାଙ୍କ ଗହଳୀ ଜମିଥିଲା । ଆଞ୍ଚଳିକ ଦଳର ନେତୃତ୍ୱ ନେଇ ଦଳକୁ ଓଡିଶାବାସୀଙ୍କ ବେଶ ନିକଟତର କରିପାରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ ନେତା ଭୂୟଶୀ ପ୍ରଶଂସା କରିଛନ୍ତି । ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ସଭାପତିଙ୍କ ନାମ ବିଧିବଦ୍ଧ ଘୋଷଣା ହେବା ପରେ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଦଳର ସଭାପତି ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । 

ବିଜେଡି ସମ୍ପୁର୍ଣ୍ଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ କରେ ଏବଂ  ଏହି ଆଧାରରେ ହିଁ ଏଠାରେ ସମସ୍ତ କାର୍ଯ୍ୟକ୍ରମ ହୁଏ ବୋଲି ଦଳୀୟ ସାଂସଦ କହିଛନ୍ତି । ଡିସେମ୍ବର ୨୭ ତାରିଖରୁ ବିଜେଡିର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୫ଟି ପ୍ରକ୍ରିୟାରେ ସାଙ୍ଗଠନିକ ନିର୍ବାଚନ ହୋଇଛି । ପୂର୍ବରୁ ଫେବୃଆରୀ ୨୦ ତାରିଖ ମଧ୍ୟରେ ବିଜେଡିର ବ୍ଲକ ସଭାପତି ଏବଂ କମିଟି ସଦସ୍ୟ ନିର୍ବାଚନ ଶେଷ ହୋଇଥିବା ବେଳେ ଜିଲ୍ଲା ସଭାପତି ଘୋଷଣା ମଧ୍ୟ ଶେଷ ହୋଇଛି । ୨୬ ତାରିଖରେ ବିଧିବଦ୍ଧ ଭାବେ ରାଜ୍ୟ ସଭାପତିଙ୍କ ନାମ ଘୋଷଣା ହେବ । ପରେ ଛାତ୍ର ଏବଂ ଯୁବ ବିଜେଡିର ନୂଆ କମିଟି ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି । 

ଆହୁରି ପଢ଼ନ୍ତୁ; ୪୦ ବର୍ଷ ପୂର୍ବରୁ 'କରୋନା' କୁ ନେଇ ଭବିଷ୍ୟବାଣୀ କରିଥିଲା ଏହି ବହି...