ଗଠନ ହେଲା ଓବିସି କମିଶନ

ସରକାରଙ୍କ ଓବିସି କମିଶନ ଗଠନକୁ ସ୍ୱାଗତ କରିଛନ୍ତି ବିରୋଧି କଂଗ୍ରେସ ଓ ବିଜେପି ।

ଗଠନ ହେଲା ଓବିସି କମିଶନ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ସରକାରଙ୍କ ଓବିସି କମିଶନ ଗଠନକୁ ସ୍ୱାଗତ କରିଛନ୍ତି ବିରୋଧି କଂଗ୍ରେସ ଓ ବିଜେପି । ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ଉଭୟ ଦଳ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ଥିବା ପଛୁଆ ବର୍ଗଙ୍କ ଉନ୍ନତି ପାଇଁ କମିଶନ କାମ କରିବା ଉଚିତ ଏବଂ କମିଶନଙ୍କ ସୁପାରିଶକୁ ସରକାରୀ କାର୍ଯ୍ୟକାରୀ କରିବା ଉଚିତ ବୋଲି ବିଜେପି ଓ କଂଗ୍ରେସ କହିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ବିରୋଧିଙ୍କ ଚାପରେ ସରକାର କମିଶନ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି । ଅପରପକ୍ଷରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଏକ ମହତ ଉଦ୍ଦେଶ୍ୟ ନେଇ ଓବିସି କମିଶନ ଗଠନ ହୋଇଛି । ଏହାଦ୍ୱାରା ଏହି ବର୍ଗର ଅଧିବାସୀଙ୍କୁ ଅନେକ ସୁବିଧା ସୁଯୋଗ ମିଳିବ ।

ଗଢ଼ାହେଲା ଓବିସି କମିଶନ । ଜଷ୍ଟିସ ରଘୁନାଥ ବିଶ୍ୱାଳ ଏହାର ଅଧ୍ୟକ୍ଷ ଓ ଆଇଏଏସ୍ ବୀର ବିକ୍ରମ ଯାଦମ ଏହାର ସଦସ୍ୟ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । କମିଶନର ସଦସ୍ୟମାନେ ନିଯୁକ୍ତ ହୋଇଛନ୍ତି । ଜନଗଣନାରେ ଜାତି ଭିତିକ ଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ପରେ ମୁଖ୍ୟ ଶାସନ ସଚିବ ଏହା କ୍ୟାବିନେଟ ସଚିବଙ୍କୁ ବିଧିବଦ୍ଧ ଜଣାଇଥିଲେ । ହେଲେ ବିରୋଧି ସେତେବେଳେ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ । ଓବିସି କମିଶନ ଦୀର୍ଘ ଦିନ ଦିନ ଗଢ଼ାଯାଇ ପାରୁ ନ ଥିବା ବେଳେ ସରକାର ଓବିସିଙ୍କ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଏବେ ଓବିସି କମିଶନ ଗଠନକୁ ବିରୋଧି କଂଗ୍ରେସ ଓ ବିଜେପି ସ୍ୱାଗତ କରିଥିଲେ ମଧ୍ୟ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ରାଜ୍ୟର କେତେ ପ୍ରତିଶତ ଓବିସି ଅଛନ୍ତି  ? କେଉଁ କେଉଁ ଜାତି ଓବିସି କ୍ୟାଟାଗୋରୀରେ ଆସୁଛନ୍ତି ? ସେମାନଙ୍କୁ ଚିହ୍ନଟ ହୋଇଛି କି ? ଏହି ବର୍ଗର ମୁଖ୍ୟ ସମସ୍ୟା କ'ଣ? ପାଠପଢା ଯେଉଁ କି ଚାକିରୀ ପୁଣି ନିର୍ବାଚନୀ ମଇଦାନରେ କେତେ ପ୍ରତିଶତ ସଂରକ୍ଷଣ ଦାବି ଆସୁଛି ? ଏସବୁ ପ୍ରଶ୍ନର ଉତ୍ତର ଖୋଜିବ ଓବିସି କମିଶନ ଏବଂ ଏହାର ସମାଧାନର ବାଟ ମଧ୍ୟ ବାହାର କରିବେ କମିଶନ । ବିରୋଧି ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ସରକାର କହିଛନ୍ତି, ମହତ ଉଦ୍ଦେଶ୍ୟ ନେଇ ଗଠନ ହୋଇଛି କମିଶନ । ଏହି ବର୍ଗର ଉନ୍ନତି ପାଇଁ କମିଶନ ଯାହା ସୁପାରିଶ କରିବେ, ସରକାର ତାକୁ ପାଳନ କରିବେ ବୋଲି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।

ଜାତି ଭିତ୍ତିକ ଜନଗଣନା ହେଉ କି ପୌର ଓ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ଦ୍ଧିଷ୍ଟ ସଂରକ୍ଷଣ, ପୁଣି ପାଠପଢ଼ା ଓ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ସାଙ୍ଗକୁ ଓବିସି ବର୍ଗର ସାମୁହିକ ସମସ୍ୟାକୁ ନବ ନିଯୁକ୍ତି କମିଶନ କିପରି ସମାଧାନର ବାଟ ବାହାର କରୁଛନ୍ତି, ତା ଉପରେ ନଜର ରହିଛି ।