କେନ୍ଦ୍ର ସରକାରଙ୍କ ପ୍ୟାକେଜ୍ ଦ୍ୱାରା ଓଡ଼ିଶାର ପ୍ରାୟ ୩ଲକ୍ଷରୁ ଅଧିକ ଥିବା ଛୋଟ ଶିଳ୍ପଗୁଡ଼ିକ ଉପକୃତ ହେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
Trending Photos
ଯଯାତି ମହାନ୍ତି, ଭୁବନେଶ୍ୱର: ଅଣୁ, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ କେନ୍ଦ୍ର ସରକାରଙ୍କ ୩ଲକ୍ଷ କୋଟି ଟଙ୍କାର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମଧ୍ୟ ଏହି ପ୍ୟାକେଜରୁ ଛୋଟ ଛୋଟ ଶିଳ୍ପକୁ ଫାଇଦା ମିଳିବ ବୋଲି ଆଶା ରଖିଛନ୍ତି । କେନ୍ଦ୍ର ସରକାରଙ୍କ ପ୍ୟାକେଜ ଦ୍ୱାରା ସମସ୍ୟାରେ ଥିବା ଏମ୍ଏସ୍ଏମ୍ଇ ସେକ୍ଟରର ଉତ୍ପାଦନ ଆରମ୍ଭ ହୋଇପାରିବ ବୋଲି ଓଡ଼ିଶା ଶିଳ୍ପ ସଂଘ କହିଛି । ସହଜ ଋଣ ଓ ସରକାରଙ୍କ ବକେୟା ପ୍ରାପ୍ୟ ମିଳିଗଲେ ପୁଣି ଥରେ କାର୍ଯ୍ୟକ୍ଷମ ହୋଇପାରିବ ବନ୍ଦ ହୋଇପଡ଼ିଥିବା ଛୋଟ ଛୋଟ ଶିଳ୍ପ । ହେଲେ ଉତ୍ପାଦିତ ଦ୍ରବ୍ୟର ବିକ୍ରି ପାଇଁ ବଜାର ମଧ୍ୟ ଖୋଲାରହିବା ଦରକାର ବୋଲି ସମୀକ୍ଷକ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ୨୦ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ୍ ଘୋଷଣା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହାର ବିସ୍ତୃତ ତଥ୍ୟ ରଖିଛନ୍ତି । କୋରୋନା ମହମାରୀରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଅଣୁ, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ୩ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହୋଇଛି । ଏହା ଭିତରେ ଏମ୍ଏସ୍ଏମ୍ଇ ଉଦ୍ୟୋଗର ସଂଜ୍ଞା ବଦଳାଇଛନ୍ତି କେନ୍ଦ୍ର ସରକାର । ପରିସର ମଧ୍ୟ ବଢ଼ିଛି । ଏମାନଙ୍କ ପାଇଁ ୧୦ ହଜାର କୋଟି ଟଙ୍କା କର୍ପସ ଫଣ୍ଡ ବି ହୋଇଛି । ବିନା କୌଣସି ତୃତୀୟ ପକ୍ଷର ସହାୟତାରେ ଲଘୁ, କ୍ଷୁଦ୍ର ଉଦ୍ୟୋଗୀମାନେ ୧୨ମାସର ମୋରାଟୋରିୟମ୍ ଅବଧି ସହିତ ସହଜରେ ଋଣ ନେଇପାରିବେ । ରୁଗ୍ଣ ହୋଇଥିବା ଛୋଟ ଛୋଟ ଉଦ୍ୟୋଗ ପାଇଁ ୨୦ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପ୍ୟାକେଜ୍ ଦ୍ୱାରା ଓଡ଼ିଶାର ପ୍ରାୟ ୩ଲକ୍ଷରୁ ଅଧିକ ଥିବା ଛୋଟ ଶିଳ୍ପଗୁଡ଼ିକ ଉପକୃତ ହେବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।
କୋରୋନା ଯୋଗୁଁ ଅନେକ କ୍ଷୁଦ୍ର ଉଦ୍ୟୋଗ ବନ୍ଦ ହୋଇପଡ଼ିଛି । ଶ୍ରମିକ ନିଜ ନିଜ ଘରକୁ ପଳାଇଛନ୍ତି । ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହୋଇଛି । ସରକାରଙ୍କ ପ୍ୟାକେଜ୍ ପରେ ପୁଣି ଥରେ ଉତ୍ପାଦନ ଆରମ୍ଭ କରିବାବୁ ୨ ମାସ ସମୟ ଲାଗିବ । ଉତ୍ପାଦନ ବଜାରରେ ବିକୟୀ ହେବାକୁ ଆହୁରି ମାସେ ସମୟ ଲାଗିବ । ତେଣୁ ଏହି ୩ ମାସ ଏମ୍ଏସ୍ଏମ୍ଇ ସେକ୍ଟର ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ସମୀକ୍ଷକ କହିଛନ୍ତି । ଉପଯୁକ୍ତ ବଜାର ଯୋଗାଇବାରେ ସରକାରଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏପରିକି ଛୋଟ ଛୋଟ ଉଦ୍ୟୋଗମାନଙ୍କ ଉତ୍ପାଦିତ ଦ୍ରବ୍ୟ ସରକାର କିଣିବା ପାଇଁ ଆଗେଇ ଆସିବା ଦରକାର । ବର୍ଷ ବର୍ଷ ଧରି ସରକାରଙ୍କ ବିଭିନ୍ନ ସଂସ୍ଥା ଉପରେ ପଡ଼ିଥିବା ବକେୟା ଏମ୍ଏସ୍ଏମ୍ଇ ସେକ୍ଟରକୁ ଦେବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ଏକ ଭଲ ପ୍ରସ୍ତାବ ବୋଲି ସମୀକ୍ଷକ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ପ୍ୟାକେଜ୍ ଉଦ୍ୟୋଗୀଙ୍କ ପାଖରେ କେବେ ପହଞ୍ଚିବ ? ରାଜ୍ୟ ସରକାର ଏମାନଙ୍କୁ କେତେ ସହଯୋଗ କରିବେ ? ଋଣ ବାବଦରେ କେନ୍ଦ୍ରର ନିର୍ଦ୍ଦେଶକୁ ବ୍ୟାଙ୍କ ଗୁଡ଼ିକ କିପରି କାର୍ଯ୍ୟକାରୀ କରିବେ ? କୋରୋନା ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ରାଜ୍ୟର ଲକ୍ଷ ଲକ୍ଷ ଅଣୁ, ଲଘୁ ଓ ମଧ୍ୟମ ଉଦ୍ୟୋଗ ପୁଣି କେବେ କାର୍ଯ୍ୟକ୍ଷମ ହେବ, ତା ଉପରେ ସମସ୍ତଙ୍କ ନଜର ରହିବ ।