ଜଳ ବନ୍ଦୀରେ ଓଡ଼ିଶା! ପୁରୀ ଜିଲ୍ଲାରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
Advertisement

ଜଳ ବନ୍ଦୀରେ ଓଡ଼ିଶା! ପୁରୀ ଜିଲ୍ଲାରେ ୮୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ସନ୍ତା ୨୪ ଘଣ୍ଟା ମଧ୍ୟରେ ଦୂର୍ବଳ ହୋଇ ଅବପାତ ରୂପ ନେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଅବପାତର ପ୍ରଭାବରେ ହୋଇଥିବା ବର୍ଷା ପୁରୀ ଜିଲ୍ଲାରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି।

 

ସୌ: ସୋସିଆଲ ମି଼ଡିଆ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ସୋମବାର ସକାଳେ ଗଭୀର ଅବପାତ ରୂପ ନେଇ ଚାନ୍ଦବାଲି ଅତିକ୍ରମ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ମୁହାଁ ହେବ। ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୂର୍ବଳ ହୋଇ ଅବପାତ ରୂପ ନେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଅବପାତର ପ୍ରଭାବରେ ହୋଇଥିବା ବର୍ଷା ପୁରୀ ଜିଲ୍ଲାରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି।

ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ୨୬ ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥିବା ବେଳେ କୋରୋପୁଟରେ ଟିକେ ଅଧିକ ବର୍ଷା ହୋଇଛି। କଳାହାଣ୍ଡି ଓ ନୂଆପଡାରେ ସାମାନ୍ୟ ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ପୁରୀ ଜିଲ୍ଲାରେ ଗତ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ଅସ୍ତରଙ୍ଗରେ ସର୍ବାଧୀକ ୫୩୦ ମିମି ଓ କାକଟପୁରରେ ୫୨୫ ମିମି ବର୍ଷା ରେକର୍ଡ କରାଯାଇଛି। ଅସ୍ତରଙ୍ଗର ଶିଶୁଆ, ସହନ, ତଣ୍ତାହାର, ବାଉରିଆକଳ ଆଦି ଗାଁ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ବଡଦାଣ୍ଡରେ ବର୍ଷା ଜଳ ଲହଡି ଖେଳୁଛି। ଫଳରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପ୍ରଭାବିତ ହୋଇଛି। 

Also Read: ରାଜ୍ୟରେ ବର୍ଷା ବିତ୍ପାତ; ୫ ଜିଲ୍ଲାକୁ ରେଡ୍ ଓ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପ୍ରବଳ ବର୍ଷା ଅନୁମାନ କରି ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ଦୁଇ ଦିନ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ରେ ସୋମବାର ଓ ମଙ୍ଗଳବାର ସ୍କୁଲ, କଲେଜ ବନ୍ଦ ରହିବ। କୋରୋନା ପ୍ରକୋପ କମିବା ପରେ ନବମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠ ପଢ଼ା ଚାଲିଥିଲା। ବର୍ଷା ଯୋଗୁ ଏହି ସବୁ ଅଂଚଳରେ ସ୍କୁଲ ବନ୍ଦ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି।

କେବଳ ଜଳକା ବିପଦ ସଂକେତ ପାଖରେ ଅଛି। ଏବେ ଜଳକା ଜଳସ୍ତର ୫.୪ ଥିବା ବେଳେ ବିପଦ ସଂକେତ ୫.୫ ଅଛି। ଉପର ମୁଣ୍ଡରେ ବର୍ଷା ହେଉନଥବା ଯୋଗୁଁ ବନ୍ୟା ସମ୍ଭାବନା ନାହିଁ। ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଂକେତ ଠାରୁ ତଳେ ରହିଛି। ସେପଟେ ଲଗାଣ ବର୍ଷା ପ୍ରଭାବରେ ମନ୍ଦିର ମାଳିନୀ ସହର ଭୁବନେଶ୍ୱରର ବିଭିନ୍ନ ମନ୍ଦିରରେ ଜଳବନ୍ଦୀ ସ୍ଥିତି ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଆଖଣ୍ଡଳମଣୀଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଜମିଛି। ଫଳରେ ବାବାଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଛି। ପ୍ରଶାସନ ପକ୍ଷରୁ ମଟର ଲଗାଇ ଜଳ ନିଷ୍କାସନ ପାଇଁ ଉଦ୍ୟମ ଚାଲିଛି।

Also Read: ଆଜି ବି ଭିଜିବ ଓଡ଼ିଶା, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ବ୍ରହ୍ମପୁର ସହରରେ ଥିବା ଆନ୍ଧ୍ର ମହିଳା ସମାଜର ଦୀର୍ଘ ୧୦୦ ବର୍ଷ ପୁରାତନ ଐତିହାସିକ କୋଠାଟି ଭୁଷୁଡି ଯାଇଛି। ଗତ ୩ ଦିନ ଧରି ଲାଗି ରହିଥିବା ତୁହା କୁ ତୁହା ବର୍ଷା ଯୋଗୁଁ କୋଠାଟି ଗୋଟିଏ ପାଖ ଭୁଷୁଡି ପଡିଛି, ହେଲେ କାହାର କୌଣସ କ୍ଷତି ହୋଇନାହିଁ। ମହିଳା ସମାଜର  କୋଠାଟି ୧୦୧୨ ମସିହା ଠାରୁ ସ୍ଥାପନ ହୋଇଥିବା ବେଳେ ଧୀରେ କୋଠା ନଷ୍ଟ ହେବାକୁ ବସିଥିଲା। କୋଠାର ପୁର୍ଣ୍ଣ ଉଦ୍ଧାର ଲାଗି ଦାବି ହୋଇଥିଲା ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ସହାୟତା ନ ମିଳିବା ଯୋଗୁଁ ଏହି ଐତିହାସିକ କୋଠାଟି ସୋମବାର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି।

ସେପଟେ ଲଗାଣ ବର୍ଷାରେ କେନ୍ଦ୍ରାପଡାରେ କାନ୍ଥ ପଡି ୨ ଜଣଙ୍କ ମୃତ ହୋଇଛି। ମୃତକ ହେଲେ ଡେରାବିଶ ବେଣିପୁରର ନର୍ମଦା ପୃଷ୍ଟି ଓ ଗରଦପୁର ବଡବେତରା ଗ୍ରାମର ଅଭୟ ମହାପାତ୍ର। ଖୋର୍ଦ୍ଧାରେ ବି ଲଘୁଚାପର ଲଗାଣ ବର୍ଷାରେ ବେଗୁନିଆ ବ୍ଲକ ଗଡମାଣତିରି ଗ୍ରାମରେ ୪ବଖରା ମାଟିଘର ଭୁସୁଡିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ଲଗାଣ ବର୍ଷା ନେଇ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରୁ VCରେ ଯୋଗ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସାମ୍ପ୍ରତିକ ସ୍ଥିତିକୁ କିଭଳି ମୁକାବିଲା କରାଯିବ ସେନେଇ ହେଉଛି ଆଲୋଚନା କରାଯାଇଛି।