ଦୁଇ ଦିନ ପରେ ପୁଣି ଲେଉଟିବ ଶୀତ । ୪୮ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ମେଘୁଆ ପାଗ ।
Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଦୁଇ ଦିନ ପରେ ପୁଣି ଲେଉଟିବ ଶୀତ । ୪୮ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ମେଘୁଆ ପାଗ । ରାଜ୍ୟରେ ଆସନ୍ତା ଦୁଇ ଦିନ ମଧ୍ୟରେ ପୁଣି ଶୀତ ବାହୁଡିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ କିଛି ଦିନ ଧରି ପାରଦ ଉପର ମୁହାଁ ହେବା ସହ ପାଗ ମେଘାଚ୍ଛନ ରହିଥିଲା । ଆସନ୍ତା ଦୁଇ ଦିନ ପରେ ପୁନର୍ବାର ଶୀତ ଅନୁଭୂତ ହେବ ।
ତେବେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ହାଲକା ବର୍ଷା ହେବ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାରେ ଘନକୂହୂଡି ପରିଲକ୍ଷିତ ହେବାର ସମ୍ଭାବନା ରହିଛି । ସେହିପରି ୨୪ ଘଣ୍ଟା ପରେ ଉତ୍ତର ଉପକୂଳ ଓଡିଶାର କିଛି ସ୍ଥାନରେ ଘନକୂହୂଡି ପରିଲକ୍ଷିତ ହେବ ।
ତେବେ ୨୮ ତାରିଖରୁ ଉତ୍ତର ଓଡିଶାରେ ଧୀରେ ଧୀରେ ତାପମାତ୍ରା ଖସିବା ସହ ବାକି ଜିଲ୍ଲାରେ ମଧ୍ୟ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବ । ସ୍ୱାଭାବିକ ଠାରୁ ପାଖାପାଖି ୩ରୁ ୪ ଡିଗ୍ରୀ କମିବ ଏବଂ ଶୀତ ଅନୂଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ।ଆର ବିଶ୍ୱାସ ସୂଚନା ଦେଇଛନ୍ତି । ସେପଟେ ଆଜି ଦିନ ତମାମ ରାଜଧାନୀ ଭୁବନେଶ୍ୱରରେ କୋହଲା ପାଗ ସହ ସ୍ୱଳ୍ପ ବର୍ଷା ହୋଇଥିଲା ।
ଆହୁରି ପଢନ୍ତୁ; ଅଭୁଲା-19: ଏହି ତୁଙ୍ଗ ନେତାଙ୍କୁ ହରାଇଛି ଦେଶ