ଗଣମାଧ୍ୟମ ଉପରେ କାହିଁକି ହାକିମାତି, ସାହସ ଦେଉଛି କିଏ ?

ଭାରତରେ କିମ୍ୱା ଓଡ଼ିଶାରେ ସାମ୍ୱାଦିକ ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ନୂଆ କଥା ନୁହେଁ । ଅନେକ ଥର ଦେଶର ବିଭିନ୍ନ ସ୍ଥାନରେ ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ କଲାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଗାଳି, ଟାହିଟାପରା ଏପରିକି ମାଡ଼ ମଧ୍ୟ ଖାଇଛନ୍ତି ।

ଗଣମାଧ୍ୟମ ଉପରେ କାହିଁକି ହାକିମାତି, ସାହସ ଦେଉଛି କିଏ ?
Odisha MP misbehaves Journalist.

 

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: 'କ୍ରୋଧାଦ୍ଭବତି ସଂମୋହଃ ସଂମୋହାସ୍ମୃତିବିଭ୍ରମଃ, ସ୍ମୃତିଭ୍ରଂଶାଦବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି'

ଶ୍ରୀମତ୍ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟ ୬୩ ନମ୍ୱର ଶ୍ଲୋକରେ ଏହା ଉଲ୍ଲେଖ ରହିଛି । ଏହାର ଅର୍ଥ ହେଉଛି କ୍ରୋଧିତ ହେଲେ ମନୁଷ୍ୟ ମନରେ ମୋହ ଜାତ ହୁଏ । ମୋହ ଅଧିକ ହେଲେ ମସ୍ତିଷ୍କ ବିଭ୍ରାନ୍ତିକର ଅବସ୍ଥା ଲାଭ କରିଥାଏ । ଫଳରେ ସେ ଭଲ ମନ୍ଦ କିଛି ବିଚାର କରିପାରେନି । ମନରେ ଉତ୍ତେଜନା ବଶରେ ସେ କ'ଣ କରୁଛି, କ'ଣ କହୁଛି ଜାଣି ନ ପାରି କିଛି ଅଘଟଣ ଘଟାଇଥାଏ ଏବଂ ଅମଣିଷ ପରି ବ୍ୟବହାର କରିବସେ ।

ଭାରତରେ କିମ୍ୱା ଓଡ଼ିଶାରେ ସାମ୍ୱାଦିକ ବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ନୂଆ କଥା ନୁହେଁ । ଅନେକ ଥର ଦେଶର ବିଭିନ୍ନ ସ୍ଥାନରେ ଗଣମାଧ୍ୟମର ପ୍ରତିନିଧି ଖବର ସଂଗ୍ରହ କଲାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଗାଳି, ଟାହିଟାପରା ଏପରିକି ମାଡ଼ ମଧ୍ୟ ଖାଇଛନ୍ତି । ଚଳିତବର୍ଷ ଫେବ୍ରୁଆରୀ ମାସରେ ଛତିଶଗଡ଼ ରାୟପୁରରେ ବିଜେପିର ବୈଠକ ଚାଲିଥିବାବେଳେ 'ସୁମନ ପାଣ୍ଡେ' ନାମକ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିଲା । ରେକର୍ଡିଂ କରାଯାଇଥିବା ଭିଡିଓ ଡିଲିଟ କରିବାକୁ ତାଙ୍କୁ ବାଧ୍ୟ କରିବା ସହ ମାଡ଼ ମଧ୍ୟ ମରାଯାଇଥିଲା । ସେହିପରି ଓଡ଼ିଶାରେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ନଜିର ରହିଛି । ଜୀ ଓଡ଼ିଶା ପ୍ରତିନିଧି ଚନ୍ଦନ ପାଇକରାୟଙ୍କୁ କାକଟପୁର ନିର୍ବାଚନମଣ୍ଡଳୀ ଅସ୍ତରଙ୍ଗରେ ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଆକ୍ରମଣ ହୋଇଥିଲା । ନିକଟରେ ଜୀ ଓଡ଼ିଶା କେନ୍ଦ୍ରାପଡ଼ା ପ୍ରତିନିଧି ଶିବାଶିଷ ମହାନ୍ତିଙ୍କୁ ମଧ୍ୟ ପ୍ରମୋଦ ସାହୁ ନାମକ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହତ୍ୟା ଧମକ ଦେଇଥିଲେ । ଏନେଇ ଜୀ ଓଡ଼ିଶା ପ୍ରତିନିଧି ଅଭିଯୋଗ କରିଥିଲେ । ଏହା ବ୍ୟତୀତ ଆହୁରି ଅନେକ ଉଦାହରଣ ମଧ୍ୟ ରହିଛି ।

ଏଭଳି ଘଟଣା ପୁଣିଥରେ କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି । ନଭେମ୍ୱର ୫ ତାରିଖରେ ଜଣେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଖବର ସଂଗ୍ରହ କଲାବେଳେ ଜଣେ ସାମ୍ୱାଦିକଙ୍କୁ ସାଂସଦ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିଥିଲେ । ଗତ କିଛି ଦିନ ଧରି ନିଜର ବ୍ୟବହାରକୁ ନେଇ ଚର୍ଚ୍ଚାରେ ଥିବା ବେଳେ, ମଙ୍ଗଳବାର ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଯାହାକୁ ପ୍ରତିବାଦ କରି ଜିଲ୍ଲାର ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନୁଭବଙ୍କ ଦୁର୍ବ୍ୟବହାର ବିରୋଧରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟ କିମ୍ୱା ଦେଶରେ ସାମ୍ୱାଦିକ କେତେ ସୁରକ୍ଷିତ ?
କେବଳ ଆକ୍ରମଣ ନୁହେଁ, ଭାରତରେ ସାମ୍ୱାଦିକଙ୍କୁ ହତ୍ୟା କରାଯାଇଥିବାର ମଧ୍ୟ ଅନେକ ଉଦାହରଣ ରହିଛି । ସେ 'ଗୌରୀ ଲଙ୍କେଶ' ହୁଅନ୍ତୁ ଅବା 'ସୁଜାତ୍ ବୁଖାରି' । ବିଶ୍ୱ ପରିସଂଖ୍ୟନକୁ ନଜର ପକାଇଲେ ୨୦୧୮ ମସିହାରେ ସାରା ବିଶ୍ୱରେ ୮୦ ଜଣ ସାମ୍ୱାଦିକଙ୍କୁ ହତ୍ୟା କରାଯାଇଥିଲା । ସେହିପରି ୮୦ ଜଣଙ୍କ ମଧ୍ୟରୁ ୭୭ ଜଣ ପୁରୁଷ ସାମ୍ୱାଦିକ ଥିବାବେଳେ ୩ ଜଣ ମହିଳା ସାମ୍ୱାଦିକ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେଥିମଧ୍ୟରୁ ୬ ଜଣଙ୍କୁ ଭାରତରେ ହତ୍ୟା କରାଯାଇଥିଲା । ତେବେ ୮୦ ଜଣ ସାମ୍ୱାଦିକଙ୍କ ମଧ୍ୟରୁ ୬୩ ଜଣ ପେଶାଦାର, ୧୩ ଜଣ ଅଣ ପେଶାଦାର ଏବଂ ୪ ଜଣ ମିଡିଆ ୱାର୍କରସ୍ ରହିଛନ୍ତି । ଏହାସହ ଭାରତରେ ଅନେକ ସାମ୍ୱାଦିକଙ୍କୁ ହତ୍ୟା ଧମକ ଦିଆଯିବା ସହ ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଥିଲା । ସେହିପରି ସାମ୍ୱାଦିକଙ୍କୁ ହତ୍ୟା କରିବା କ୍ରମରେ ଭାରତ ସାରା ବିଶ୍ୱରେ ୫ ନମ୍ୱର ସ୍ଥାନରେ ରହିଛି ।  

କେବଳ ହତ୍ୟା ନୁହେଁ, ବିଭିନ୍ନ ସମୟରେ ଏହି ଗଣମାଧ୍ୟମର ପ୍ରତିନିଧିମାନେ ଗାଳିଗୁଲଜ, ହତ୍ୟା ଧମକ ଏବଂ ଆକ୍ରୋଶର ଶିକାର ହେଉଛନ୍ତି । ତଥ୍ୟ ସଂଗ୍ରହ କରି ଲୋକଲୋଚନକୁ ଆଣିବା କ'ଣ ଏମାନଙ୍କ ଅପରାଧ ? ଲୋକଙ୍କ ପାଖରେ ପହଞ୍ଚି ପାରୁ ନଥିବା ଖବରର ମାଧ୍ୟମ ସାଜିବା କ'ଣ ଭୁଲ ? ଗଣମାଧ୍ୟମର ଦାୟିତ୍ୱ ହେଉଛି ଖବରକୁ ଲୋକ ଲୋଚନକୁ ଆଣିବା । ଏହି ପରିପ୍ରେକ୍ଷୀରେ ଗଣାମାଧ୍ୟମର ପ୍ରତିନିଧିଙ୍କୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଯେମିତି ନିଜକୁ ହିରୋ ମନେ କରି କ୍ୟାମେରା ସାମ୍ନାକୁ ଆସିବା ପାଇଁ କହିବା ଏବଂ ତାଳି ମାରିବା ନିହାତି ପରିତାପର ବିଷୟ ।