ଅନଲାଇନ ପାଠପଢା ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଏନସିପିସିଆର ଅଧ୍ୟକ୍ଷଙ୍କୁ ଅଭିଯୋଗ କଲା ଓଡିଶା ଅଭିଭାବକ ମହାସଂଘ
Advertisement

ଅନଲାଇନ ପାଠପଢା ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଏନସିପିସିଆର ଅଧ୍ୟକ୍ଷଙ୍କୁ ଅଭିଯୋଗ କଲା ଓଡିଶା ଅଭିଭାବକ ମହାସଂଘ

ଅନଲାଇନ୍ ପାଠପଢା ଯୋଗୁଁ ମୋବାଇଲ ସ୍କ୍ରିନକୁ ଅଧିକ ସମୟ ଦେଖିବା ହେତୁ ବ୍ଲୁ ଲାଇଟ ରେଡ଼ିଏସନ ଦ୍ୱାରା ଛୋଟ ପିଲାମାନଙ୍କ ଆଖିରେ ସମସ୍ୟା ଓ ମୁଣ୍ଡବ୍ୟଥା ତଥା ବେକ ଓ ପିଠିରେ ଯନ୍ତ୍ରଣା ହେବାର ଅନେକ ଅଭିଯୋଗ ଅଭିଭାବକ ମାନଙ୍କଠାରୁ ବହୁମାତ୍ରାରେ ମିଳୁଛି । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର:- କୋରୋନା ସଙ୍କଟ କାରଣରୁ ବର୍ତ୍ତମାନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଅନ୍ୟପଟେ ଏହି ସମୟରେ ଅନଲାଇନ ପାଠପଢା ଚାଲୁ ରହିଛି । ଅନଲାଇନ୍ ପାଠପଢା ଯୋଗୁଁ ମୋବାଇଲ ସ୍କ୍ରିନକୁ ଅଧିକ ସମୟ ଦେଖିବା ହେତୁ ବ୍ଲୁ ଲାଇଟ ରେଡ଼ିଏସନ ଦ୍ୱାରା ଛୋଟ ପିଲାମାନଙ୍କ ଆଖିରେ ସମସ୍ୟା ଓ ମୁଣ୍ଡବ୍ୟଥା ତଥା ବେକ ଓ ପିଠିରେ ଯନ୍ତ୍ରଣା ହେବାର ଅନେକ ଅଭିଯୋଗ ଅଭିଭାବକ ମାନଙ୍କଠାରୁ ବହୁମାତ୍ରାରେ ମିଳୁଛି । କିଛି କ୍ଷେତ୍ରରେ ଅଭିଭାବକମାନେ ପିଲାଙ୍କୁ ଚିକିତ୍ସା କରି ପାରୁଛନ୍ତି ଓ କିଛି କ୍ଷେତ୍ରରେ ମଧ୍ୟ ବନ୍ଦ ଓ  କୋରୋନା କାରଣରୁ ଚିକିତ୍ସା ସମ୍ଭବ ହେଉନାହିଁ । ଆଗକୁ ଏହା ଏକ ଗୁରୁତର ସମସ୍ୟା ଭାବରେ ମୁଣ୍ଡ ଟେକିବ । ଏହାକୁ କିପରି ସୁପରିଚାଳନା କରାଯିବା ତାହାର କିଛି ନିର୍ଦ୍ଧିଷ୍ଟ ନିୟମ ନକରି ଅତି ତରବରିଆ ଭାବେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏକ ଗାଇଡଲାଇନ ଅନଲାଇନ କ୍ଳାସର ୪ ମାସ ପରେ ଘୋଷଣା କଲେ । ଏହା କୌଣସି ବିନା ଏକ୍ସପର୍ଟଙ୍କ ପରାମର୍ଶରେ କରାଯାଇଛି ବୋଲି ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଅଭିଯୋଗ କରିଛନ୍ତି ।

ଭଟ୍ଟ କହିଛନ୍ତି ଯେ, ଏନସିପିସିଆର ଏପ୍ରିଲ ୧୭ ତାରିଖରେ ଯେଉଁ ଗାଇଡଲାଇନ ଅନଲାଇନ ସବୁ ରାଜ୍ୟସରକାର ମାନଙ୍କୁ ପଠାଇଥିଲା ତାହାର ଏହି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଗାଇଡଲାଇନ ବିପରୀତ ଓ ପିଲାଙ୍କ ଅଧିକାର ବିରୋଧୀ । 

ସେପଟେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଆପକୁ ପ୍ରାଇଭେଟ ସ୍କୁଲମାନେ ଅନଲାଇନ୍  ପାଠପଢ଼ାରେ ବ୍ୟବହାର ନକରି ଅନ୍ୟାନ୍ୟ ବେସରକାରୀ କମ୍ପାନୀ ଆପକୁ ବ୍ୟବହାର କରୁଛନ୍ତି । ଯାହା ଦ୍ୱାରା ଅଭିଭାବକ ମାନଙ୍କର ସମସ୍ତ ତଥ୍ୟ ସେହି ଆପ କମ୍ପାନୀ ପାଖରେ ରହୁଛି । ଏହା ମଧ୍ୟ ଆଗାମୀ ଦିନରେ ବିଭିନ୍ନ ସାଇବର ଠକେଇକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ । ଛୋଟ ପିଲାମାନଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବାକୁ ସମସ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତର ପରାମର୍ଶ ଦେଇଛନ୍ତି । ସରକାରଙ୍କ ଅନଲାଇନ କ୍ଲାସ ପାଇଁ ଦେଇଥିବା ସମୟ ଅବଧିକୁ ମଧ୍ୟ ପ୍ରାଇଭେଟ ସ୍କୁଲମାନେ ନ ମାନି ପଇସା ପାଇବା ଆଶାରେ  ଘଣ୍ଟା ଘଣ୍ଟା  ଧରି କ୍ଲାସ କରାଉଛନ୍ତି ।

ଶିଶୁମାନେ ଦେଶର ଭବିଷ୍ୟତ । ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଆମକୁ ଏକ ସୁସ୍ଥ ମାନବ ସମ୍ବଳ ଗଠନ କରିବାରେ ସହାୟକ ହେବ । ତେଣୁ ଉପରୋକ୍ତ ସମସ୍ତ ସମସ୍ୟାକୁ ଆଖି ଆଗରେ ରଖି  ତରବରିଆ ଭାବେ କୌଣସି ପଦକ୍ଷେପ ନ ନେଇ ଶିଶୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ପରାମର୍ଶ ନେଇ ଏ ସଂକ୍ରାନ୍ତରେ ଉଚିତ ପଦକ୍ଷେପ ନେବାକୁ ମହାସଂଘ ଏନସିପିସିଆର ଅଧ୍ୟକ୍ଷଙ୍କୁ ନିବେଦନ କରିଛି । ଏହାକୁ ଅତ୍ୟନ୍ତ ଗୁରୁତର ସହ ବିଚାର କରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଏନସିଏର୍ଟି, ରାଜ୍ୟ ଶିକ୍ଷା ସଚିବ ଓ ଏସସିଏର୍ଟିକୁ ନୋଟିସ ଜାରି କରିବାକୁ ଅନୁରୋଧ କରାଯାଇଛି । ଏହାଦ୍ୱାରା ଦେଶର ୧୫ କୋଟି ପିଲା ଅନଲାଇନ ଅସୁବିଧାରୁ ମୁକ୍ତ ହେବେ ବୋଲି ସହ ଅଧକ୍ଷ୍ୟ ପ୍ରସନ୍ନ ବିଷୋୟୀ କହିଛନ୍ତି ।