)
ଭୁବନେଶ୍ବର: ଓଡ଼ିଶା ରାଜନୀତି ଇତିହାସରେ ବିରଳ ଘଟଣା । ନବୀନ ନିବାସରେ ବିରୋଧୀ । ପଦାକୁ ଆସିଲା ଗଣତନ୍ତ୍ରର ଦୁଇଟି ପାର୍ଶ୍ୱ। ଗୋଟିଏ ସୁସ୍ଥ ବାତାବରଣ ଓ ଅନ୍ୟଟି ବିଧାନସଭା ଅଚଳାବସ୍ଥା । ଏଭଳି ସ୍ଥିତିରେ ରାଜ୍ୟର ସ୍ୱାର୍ଥ ବନାମ ରାଜନୀତିର ବାସ୍ତବତା ଦେଖିଲେ ରାଜ୍ୟବାସୀ । ସେ ଶାସକ ହୁଅନ୍ତୁ ଅବା ବିରୋଧୀ । ଚାଷୀ ପାଇଁ କାହାର କେତେ ଦରଦ, ତାହାର ନିଦର୍ଶନ ଆଜି ସାରା ଓଡ଼ିଶା ଦେଖିଛି।
ବିଧାନସଭା ଅଧିବେଶନ ଭିତରୁ ଉଭୟ ଶାସକ ଏବଂ ବିରୋଧୀ ବାହାରି ରାଜରାସ୍ତାରେ କରିଥିଲେ ଫ୍ଲାଗ ମାର୍ଚ୍ଚ । ଅଭିଯାନ ଥିଲା, ହଜି ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଜିବା । ତେବେ ନବୀନଙ୍କୁ ଖୋଜି ଖୋଜି ରାଜରାସ୍ତାରେ ଯାଉଥିବା ବିରୋଧୀଙ୍କୁ ବାଟବଣା ନ ହେବା ପାଇଁ ବାଟ କଢ଼ାଇ ନେଇଥିଲା ଶାସକ ଦଳ । ଏହାରି ପଛରେ ରହିଥିଲା ଦୁଇଟି କାରଣ, ଗୋଟିଏ ରାଜ୍ୟର ଚାଷୀଙ୍କ ଧାନକିଣା ପ୍ରସଙ୍ଗ ଓ ଅନ୍ୟଟି ବିଧାନସଭାର ଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ।
Also Read: BJP ରେ ସାମିଲ ହେଲେ ରାମାୟଣର 'ରାମ' Arun Govil
ସେପଟେ ନବୀନ ନିବାସରେ କିନ୍ତୁ ଚାଲିଥିଲା ସ୍ୱାଗତ ସମ୍ୱର୍ଦ୍ଧନାର ଆୟୋଜନ । ବିରୋଧୀ (Opposition Party) ବିଧାୟକମାନଙ୍କୁ ନବୀନ ନିବାସକୁ ପାଛୋଟି ନେବା ପାଇଁ ବିଜେଡି ପକ୍ଷରୁ କରାଯାଇଥିଲା ଆଡ଼ମ୍ୱରପୂର୍ଣ୍ଣ ବ୍ୟବସ୍ଥା। ବିରୋଧୀ ଦଳର ସମସ୍ତ ବିଧାୟକ, ଚାଲିଚାଲି ଯାଇ ନବୀନ ନିବାସ ପାଖରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଓଡ଼ିଶା ରାଜନୀତି ଇତିହାସରେ ବିରଳ ଘଟଣା। ବିରୋଧୀଙ୍କୁ ନବୀନ ନିବାସକୁ ପାଛୋଟି ନେବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିରୋଧୀଙ୍କୁ ଆମନ୍ତ୍ରଣ କରିଥିଲେ। ଗୃହ ସୂଚାରୁ ରୂପେ ଚାଲିବା ନେଇ ଦୀର୍ଘ ସମୟ ଧରି ବିରୋଧୀଙ୍କ ସହ ଆଲୋଚନା ବି କରିଥିଲେ । ଏହାସହ ସର୍ବଦଳୀୟ ବୈଠକ ଡକାଇବା ପାଇଁ ମୁଖ୍ୟମନ୍ତ୍ରୀ (Chief Minister Naveen Patnaik) ବାଚସ୍ପତିଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ବିରୋଧୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଦୀର୍ଘ ୬ ଦିନ ଧରି ବିଧାନସଭା (Odisha Assembly) ଭିତରେ ଓ ବାହାରେ ଚାଲିଛି ହାଇ ଡ୍ରାମା । ଶାସକ ଦଳ କେତେବେଳେ ରାଜଭବନରେ ପହଞ୍ଚିଲାଣି ତ, ଆଉ କେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଲୋକସେବା ଭବନରେ । ବିରୋଧୀ କିନ୍ତୁ ନଛୋଡ଼ବନ୍ଧା । ଧାନକିଣା ପ୍ରସଙ୍ଗ ସୃଷ୍ଟି କରିଛି ଅଡୁଆ ପରିସ୍ଥିତି । ରାଜରାସ୍ତାରେ ଉଭୟ ବିଜେପି ଓ ବିଜେଡି ରହିଥିବାବେଳେ ବିରୋଧୀ କଂଗ୍ରେସ (Congress) ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଛି । ଏଭଳି ଭାବେ ରାଜ୍ୟ ବିଧାନସଭା ଅଧିବେଶନ ଇତିହାସରେ ପ୍ରଥମ ଥର ପାଇଁ ଚାଲିଛି ପଲିଟିକାଲ ଗେମ୍ ପ୍ଲାନ୍ (Political Game plan)
ପ୍ରତିଦିନ ଅଧିବେଶନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ରାଜ୍ୟର ପ୍ରଗତି, ସମସ୍ୟା, ଆଉ ସମାଧାନ ଦିଗରେ ଆଲୋଚନା ନ କରି ଲୋକ ପ୍ରତିନିଧିମାନେ ହୋହୋଲ୍ଲାର ହାଇ ଡ୍ରାମାବାଜି କରିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ସ୍ଥଳେ ସମସ୍ତ ଡ୍ରାମାର ଅନ୍ତ ଘଟାଇଛନ୍ତି ନବୀନ । ଗଣତନ୍ତ୍ର ଇତିହାସରେ ସ୍ୱତନ୍ତ୍ର ଫର୍ଦ୍ଦ ଯୋଡ଼ିବା ସହ ବିରୋଧୀଙ୍କୁ ଆଲୋଚନା ପାଇଁ ନିଜ ଘରକୁ ଡାକିଛନ୍ତି ମୁଖ୍ୟମନ୍ତ୍ରୀ । ଗୋଟିଏ ପଟେ ହଜି ଯାଇଥିବା ମୁଖ୍ୟମନ୍ତ୍ରୀ (Chief Minister Naveen Patnaik) ଙ୍କୁ ଖୋଜା ଅଭିଯାନ, ଅନ୍ୟପଟେ ବିରୋଧୀଙ୍କ ସହ ଆଲୋଚନା ପାଇଁ ନବୀନ ନିବାସକୁ ଡାକିବା କଥା, ଏ ଦୁଇଟି ପ୍ରସଙ୍ଗକୁ ନେଇ ଏବେ ସମସ୍ତଙ୍କ ଅକଲଗୁଡୁମ୍...ବାସ୍ତବତା କେଉଁଠି ? ବିରୋଧୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ନେଇ ପୂର୍ବରୁ ସ୍ଥିର ହୋଇଥିଲା ନା ବାସ୍ତବରେ ହଜି ଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଖୋଜି ବିରୋଧୀ ନବୀନ ନିବାସ (Naveen Niwas) ରେ ପାଇଲେ ? କିଏ କରିଛି ପ୍ରାୟୋଜିତ ଡ୍ରାମା ? ବିରୋଧୀ ବିଜେପି ନା ଶାସକ ବିଜେଡି ? ଏହା ଏବେ ଲକ୍ଷେ ଟଙ୍କିଆ ପ୍ରଶ୍ନ ?
Edited: Zee Odisha Desk